ଶ୍ରେଣୀଗୃହ ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ର ଆହତ

ବାରିପଦା : ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ବାକରତଳା ହାଇସ୍କୁଲ ଶ୍ରେଣୀଗୃହ ଛାତରୁ ପ୍ଲାଷ୍ଟର ଖସି ୩ ଛାତ୍ର ଆହତ ହୋଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଚିକିତ୍ସା ଲାଗି ସେମାନଙ୍କୁ ନିକଟସ୍ଥ ତାଟୋ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆହତ ଛାତ୍ରମାନେ ହେଲେ ସିଦ୍ଧାନ୍ତ ନାୟକ, କିଶୋର କୁମାର ମହାନ୍ତ ଏବଂ କେ.କ୍ରିଷ୍ଣା ମହାନ୍ତ।

ସୋମବାର ମଧ୍ୟାହ୍ନ ୧୨ଟା ସମୟରେ କ୍ଲାସ ରୁମରେ ୧୦ମ ଶ୍ରେଣୀ ଛାତ୍ରଙ୍କ ଶିକ୍ଷାଦାନ ଚାଲିଥିଲା। ୫-ଟି ଅନ୍ତର୍ଗତ ସ୍କୁଲ ରୂପାନ୍ତରୀକରଣ ଯୋଜନାରେ ନୂଆକରି ନିର୍ମାଣ ହୋଇଥିବା ସ୍ମାର୍ଟ କ୍ଲାସ ଛାତରୁ ହଠାତ୍‌ ସିଲିଂ ଖସିପଡ଼ିଥିଲା। ଫଳରେ ୩ ଛାତ୍ର ଆହତ ହୋଇଥିଲେ। ସିଲିଂ ଖସିବା ନେଇ ପ୍ରଧାନଶିକ୍ଷକ ଡମ୍ବରୁଧର ମହାନ୍ତ ଜିଲା ଶିକ୍ଷାଧିକାରୀ ନବ କିଶୋର ଗିରିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।

ଜିଲା ଶିକ୍ଷାଧିକାରୀ ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଥିଲେ। ଜିଲାପାଳ ବିନୀତ ଭରଦ୍ୱାଜ ଆହତ ଛାତ୍ରମାନଙ୍କ ଉତ୍ତମ ଚିକିତ୍ସା ସହ ଓ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ତରବରିଆ ଭାବେ ସ୍କୁଲ ରୂପାନ୍ତରୀକରଣ ନଁାରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଛାତ୍ରୀଛାତ୍ରମାନେ ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢ଼ିବାକୁ ବାଧ୍ୟ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.