କେବିଏନ୍ ଗ୍ୟାଙ୍ଗ୍‌ର ଆଉ ଜଣେ ସଦସ୍ୟ ଗିରଫ

ଭୁବନେଶ୍ୱର : ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବା ସହ ଏହାର ଭିଡିଓ ଭାଇରାଲ କରି ଚର୍ଚ୍ଚାକୁ ଆସିଥିବା କେବିଏନ୍‌(କୋଇ ଭି ନହିଁ)ଗ୍ୟାଙ୍ଗ୍‌ର ଆଉ ଜଣେ ସଦସ୍ୟକୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଛି । ଖଟିକଲା ବେଳେ ପୁଲିସ ଚଢ଼ାଉ କରି ତାଙ୍କୁ କାବୁ କରିଥିବାବେଳେ ଆଉ ୪ଜଣ ଖସି ପଳାଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ କେବିଏନ୍ ଗ୍ୟାଙ୍ଗର ବୋଲି ପୁଲିସ କହିଛି ।

ଗିରଫ ଅଭିଯୁକ୍ତ ଜଣକ ହେଲା ସ୍ଥାନୀୟ ଥାନା ଗଡ଼ସାହିର ଦେବାଶିଷ ମଙ୍ଗରାଜ ଓରଫ ପିକୁନ୍ ଓରଫ ଚୋଚୁ । ତା’ ଠାରୁ ଏକ କଟୁରୀ ଜବତ କରାଯାଇଛି । ଦେବାଶିଷ ନୟାପଲ୍ଲୀ ପୁଲିସ ପାଇଁ ୩ଟି ମାମଲାରେ ୱାଣ୍ଟେଡ୍ ଥିଲେ ।

ପୁଲିସ ଦେବାଶିଷଙ୍କ ନାମରେ ଆର୍ମ୍ସ ଆକ୍ଟ ସହ ଆଇପିସିର ବିଭିନ୍ନ ଦଫାରେ ଆଉ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହାପୂର୍ବରୁ ଗ୍ୟାଙ୍ଗ୍ ମୁଖ୍ୟ ବୁବୁ ଜେନାଙ୍କୁ ପୁଲିସ ଗିରଫ କରିଥିଲା । ଏଯାବତ୍ କେବିଏନ୍ ଗ୍ୟାଙ୍ଗ୍‌ର ୧୧ଜଣ ଗିରଫ ହୋଇଥିବାବେଳେ ୧୮ଜଣ ଫେରାର ଅଛନ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଡେଲ୍‌ଟା ଛକ ନିକଟ ଜଳେଶ୍ୱର ମନ୍ଦିର ପାଖରେ ଏକ କାର୍ ଥୋଇ ୫ଜଣ ଖଟି କରୁଥିଲେ । ସେମାନେ ହୋହଲ୍ଲା କରିବା ସହ କଟୁରୀ ଦେଖାଇ ରାସ୍ତାରେ ଯାଉଥିବା ଲୋକଙ୍କୁ ଧମକାଉଥିଲେ ।

ଏନେଇ ପୁଲିସ ଖବର ପାଇବା ପରେ ଅତର୍କିତ ଚଢ଼ାଉ କରିଥିଲା । ହେଲେ ସେମାନଙ୍କ ମଧ୍ୟରୁ ୪ଜଣ କାର୍ ନେଇ ଫେରାର ହୋଇଯାଇଥିଲେ । ହେଲେ ଦେବାଶିଷଙ୍କୁ ପୁଲିସ କାବୁ କରିନେଇଥିଲା । ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀରେ କେବିଏନ୍ ଗ୍ୟାଙ୍ଗ୍ ସଦସ୍ୟମାନେ ଅପରାଧ ଘଟାଇବା ସହ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଥିଲେ । ରାଜରାସ୍ତାରେ ଖଣ୍ଡାଭୁଜାଲି ଧରି କାର୍‌ରେ ଘୁରି ବୁଲୁଥିଲେ । ଖଣ୍ଡା ଭୁଜାଲି ଦେଖାଇ ନାଚଗୀତ କରି ଜନସାଧାରଣଙ୍କୁ ଭୟଭୀତ କରିବାରୁ ତାହାର ଭିଡିଓ ସୋସିଆଲ ମିଡିଆରେ ଛାଡୁଥିଲେ । ସିଆର୍‌ପି ଛକ ସଂଘବଦ୍ଧ ଆକ୍ରମଣ ଘଟଣା ପରେ କେବିଏନ୍ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଫେରାର ହୋଇଯାଇଥିଲେ ।

nis-ad
Leave A Reply

Your email address will not be published.