ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ ଇନ୍ଦ୍ରଧନୁସ୍’ ଶୁଭାରମ୍ଭ

ସୁନ୍ଦରଗଡ଼ (୭/୨) : ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର ଦିନ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୨୨୨ ଜଣ ଗର୍ଭବତୀ ମା’ ଓ ୯୯୨ ଜଣ ଜନ୍ମରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାରେ ୪୦୦ରୁ ଅଧିକ ସେସନ୍ କରାଯାଇଛି। ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପୂର୍ବରୁ ଟିକା ନେଇ ନଥିବା ଗର୍ଭବତୀ ମା’ ଓ ଶିଶୁଙ୍କୁ ଏହି କାର୍ଯ୍ୟକ୍ରମ ଅଧୀନରେ ଟିକାଦାନ କରାଯାଇ ଟିକାକରଣ କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସୁନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯାଉଛି।

‘‘ମିଶନ ଇନ୍ଦ୍ରଧନୁସ୍ କାର୍ଯ୍ୟକ୍ରମରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳକୁ ଫୋକସରେ ରଖାଯାଇଛି। ଏହି ଅଞ୍ଚଳରେ ଯେଉଁ ଶିଶୁ ବା ଗର୍ଭବତୀ ମା’ମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ଟିକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଏପ୍ରିଲ ୪ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ତୃତୀୟ ପର୍ଯ୍ୟାୟ ମେ’ ୨ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ଗର୍ଭବତୀ ମା’ ଏବଂ ଜନ୍ମରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାର୍ବଜନୀନ ଟିକାକରଣ କରାଯାଉଛି। ତେବେ ବିଭିନ୍ନ କାରଣରୁ ଯେଉଁମାନେ ଏହି ଟିକା ନେଇପାରି ନାହାନ୍ତି ସେମାନଙ୍କୁ ଟିକାଦାନ ଲାଗି ସରକାର ‘ମିଶନ ଇନ୍ଦ୍ରଧନୁସ୍’ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ଜନ୍ମରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ପଲସ ପୋଲିଓ, ବିସିଜି, ହେପାଟାଇଟିସ ଭଳି ବିଭିନ୍ନ ଟିକା ଦିଆଯାଉଛି।

ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ବେଳେ ଏଡିଏମଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଏଡିପିଏଚଓ (ପରିବାର କଲ୍ୟାଣ) ଡାକ୍ତର କାହ୍ନୁଚରଣ ନାୟକ, ଡିପିଏମ ଶଙ୍କର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.