ମୁହାଁମୁହିଁ ହେଲେ ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରୋମାନିଆର ମେୟର

ରୋମାନିଆ: ମୁହାଁମୁହିଁ ହେଲେ ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରୋମାନିଆର ମେୟର। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ପାଇଁ ‘ଅପରେସନ ଗଙ୍ଗା’କୁ ଜୋରଦାର କରାଯାଇଛି। ଏହି ପ୍ରକ୍ରିୟାରେ ୟୁକ୍ରେନରୁ ଆସି ରୋମାନିଆରେ ପହଞ୍ଚୁଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ସେଠାରେ ଡେରା ପକାଇଛନ୍ତି ସିନ୍ଧିଆ। ହେଲେ ଭାରତୀୟ ଛାତ୍ରଙ୍କ ସହ କଥାବାର୍ତ୍ତା ହେବା ବେଳେ ମୁହାଁମୁହିଁ ହୋଇ ଯାଇଛନ୍ତି ଉଭୟ ନେତା। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ୟୁକ୍ରେନ ଫେରନ୍ତା କିଛି ଛାତ୍ର ରୋମାନିଆର ଏକ ଶରଣାର୍ଥୀ ଶିବିରରେ ଥିବା ବେଳେ ସେମାନଙ୍କୁ ସାକ୍ଷାତ କରିବାକୁ ପହଞ୍ଚିଥିଲେ ସିନ୍ଧିଆ। ହେଲେ କଥାବାର୍ତ୍ତା ସମୟରେ ହଠାତ୍‌ ରୋମାନିଆ ମେୟର ତାଙ୍କୁ ଅଟକାଇ ଆପଣ କେବଳ ନିଜ କାମ କରନ୍ତୁ ବୋଲି କହିଥିଲେ। ଏଥିରେ ଅସହଜ ଅନୁଭବ କରିଥିବା ସିନ୍ଧିଆ ହଠାତ୍‌ ଉତ୍ତ୍ୟକ୍ତ ହୋଇ ପଡ଼ିଲେ। ଏପରିକି ମୁଁ କ’ଣ କରିବା ତାହା ମୁଁ ସ୍ଥିର କରିବି ବୋଲି କହିଥିଲେ।
ହେଲେ ଏଥିରେ ରାଗି ଯାଇଥିବା ମେୟର ମଧ୍ୟ ସିନ୍ଧିଆଙ୍କୁ କଡ଼ା ଜବାବ ଦେଇଥିଲେ। ଆପଣ ନିଜ କଥା କୁହନ୍ତୁ, ଏହି ପିଲାମାନଙ୍କ ରହିବା, ଖାଇବା ବ୍ୟବସ୍ଥା ଆମେ କରୁଛୁ , ଆପଣ କରୁ ନାହାନ୍ତି ବୋଲି କହିଥିଲେ। ଆପଣ କେବଳ କେବେ ଏହି ପିଲାମାନଙ୍କୁ ନେଇ ଫେରିବେ ସେ ବିଷୟରେ କୁହନ୍ତୁ ବୋଲି କହିଥିଲେ । ଏହା ଶୁଣି ସେଠାରେ ଉପସ୍ଥିତ ଛାତ୍ରମାନେ ତାଳି ମାରୁଥିବା ଶୁଣିବାକୁ ମିଳିଛୁ।
ଏହାକୁ ନେଇ ମନ୍ତ୍ରୀ ସିନ୍ଧିଆ ଖୁବ୍‌ ଟ୍ରୋଲ ହେଉଥିବା ବେଳେ ଏହାକୁ କଂଗ୍ରେସ ନେତା ସଲମାନ ନିଜାମୀ ମଧ୍ୟ ନିଜ ଟ୍ୱିଟର ଆକାଊଣ୍ଟରେ ଟ୍ୱିଟ କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ଦେଖନ୍ତୁ ଶରଣାର୍ଥୀ ଶିବିରରେ କିପରି ରୋମାନିଆ ମେୟର ଆମ ମନ୍ତ୍ରୀ ସିନ୍ଧିଆଙ୍କୁ ପାଠ ପଢ଼ାଇ କେବେ ଯିବେ ବୋଲି ପଚାରିଛନ୍ତି। କେବଳ ସେତିକି ନୁହେଁ, ଶିବିରରେ ଆମେ ରହିବା, ଖାଇବା ଦେଉଛୁ, ଆପଣ ନୁହେଁ ବୋଲି ବି କହିଛନ୍ତି।
ସୂଚନାଯୋଗ୍ୟ, ୟୁକ୍ରେନ ଫେରନ୍ତା ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ପଠାଇବା ପାଇଁ ଅପରେସନ ଗଙ୍ଗା ଜରିଆରେ ୪ କେନ୍ଦ୍ର ମନ୍ତ୍ରୀଙ୍କୁ ୪ଟି ଦେଶକୁ ପଠାଯାଇଛି। ସେମାନେ ସେଠାରେ ରହି ୟୁକ୍ରେନ ଫେରନ୍ତାଙ୍କୁ ବର୍ଡର କ୍ରସ୍‌ କରାଇ ସ୍ୱଦେଶ ଫେରାଉଛନ୍ତି। ଏହି ପରିପ୍ରେକ୍ଷୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋମାନିଆରେ, କିରନ ରିଜ୍ଜୁ ସ୍ଲୋକାକିଆରେ , ହରଦୀପ ସିଂ ପୁରୀ ହଙ୍ଗେରୀରେ ଓ ବିକେ ସିଂ ପୋଲାଣ୍ଡରେ ଅଛନ୍ତି। ଏହି ୪ ମନ୍ତ୍ରୀ ଏ ଯାବତ ୩,୫୦୦ ଭାରତୀୟ ଛାତ୍ରଙ୍କୁ ସ୍ୱଦେଶ ପଠାଇ ସାରିଛନ୍ତି।

nis-ad
Leave A Reply

Your email address will not be published.