ସୀମା ଟପିଗଲା ସ୍ୱାମୀର ବର୍ବରତା, ସ୍ତ୍ରୀକୁ ମାରି କୁକରରେ ରାନ୍ଧିଲା, ଅବିଶିଷ୍ଟାଂଶକୁ ଭସାଇଲା ହ୍ରଦରେ

ହାଇଦ୍ରାବାଦ ୨୩/୦୧: ସୀମା ଟପିଗଲା ସ୍ୱାମୀର ବର୍ବରତା । ସ୍ତ୍ରୀକୁ ମାରି କୁକରରେ ରାନ୍ଧିଲା । ଖାଲି ରାନ୍ଧିଲାନି ତ ଅବିଶିଷ୍ଟାଂଶକୁ ଭସାଇଦେଲା ହ୍ରଦରେ । ହାଇଦ୍ରାବାଦରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଘଟାଇଛନ୍ତି ଏପରି ଜଘନ୍ୟ କାଣ୍ଡ । ହାଇଦ୍ରାବାଦ ମୀରପେଟ୍‌ ଥାନା ଅଞ୍ଚଳରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ । 

ସୂଚନା ଥାଉକି, ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ବାସିନ୍ଦା ଗୁରୁ ମୂର୍ତ୍ତି ୧୩ ବର୍ଷ ପୂର୍ବେ ଭେଙ୍କଟ ମାଧବୀଙ୍କୁ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି । ପୂର୍ବରୁ ସେ ସେନାରେ କାର୍ଯ୍ୟ କରୁଥିଲେ। ସେଠାରୁ ଅବସର ନେବା ପରେ ବର୍ତ୍ତମାନ କାଞ୍ଚନବାଗ DRDOରେ ଆଉଟସୋର୍ସ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ପତ୍ନୀ ଭେଙ୍କଟ ମାଧବୀ ଏବଂ ଦୁଇ ପିଲାଙ୍କ ସହିତ ମୀରପେଟର ନ୍ୟୁ ଭେଙ୍କଟେଶ୍ୱର ନଗର କଲୋନୀରେ ଏକ ଭଡା ଘରେ ରହୁଥିଲେ । 

ଗତ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ଲାଗିରହୁଥିଲା ଝଗଡା । ହେଲେ ହଠାତ୍ ଜାନୁଆରୀ ୧୮ ତାରିଖରେ ନିଖୋଜ ହୋଇଯାଇଥିଲେ ମାଧବୀ । ମୂର୍ତ୍ତି ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ । ପରିବାର ଲୋକଙ୍କ ସହ ସେ ନିଜେ ମୀରପେଟ୍ ପୋଲିସ ଷ୍ଟେସନରେ ମାଧବୀ ନିଖୋଜ ଥିବାନେଇ ଅଭିଯୋଗ କରିଥିଲେ । ମୂର୍ତ୍ତି ତାଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ପୋଲିସ ଷ୍ଟେସନକୁ ଅଭିଯୋଗ କରିବାକୁ ଯାଇଥିଲେ । 

ସେଠାରେ ଏପରି ଅଭିନୟ କରିଥିଲେ ଯେପରି ସେ ତାଙ୍କ ସ୍ତ୍ରୀଙ୍କ ବିଷୟରେ କିଛି ଜାଣି ନାହାଁନ୍ତି । ତେବେ ପୋଲିସ ଆରମ୍ଭ କରିଥିଲା ଛାନ୍‌ଭିନ୍ । ସନ୍ଦେହ ହେବାରୁ ଅଧିକ ପଚରାଉଚରା ପାଇଁ ଥାନାରେ ସ୍ୱାମୀଙ୍କୁ ଅଟକ ରଖିଥିଲା ପୋଲିସ । ତୁହାକୁ ତୁହା ଜେରା ପରେ ଅଭିଯୁକ୍ତ ସ୍ୱାମୀ ମୁହଁରୁ ବାହାରିନଥିଲା କିଛି । ଯାହା ଉତ୍ତର ଥିଲା, ସେଥିରେ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା । ପୂର୍ବ କଥା ଓ ବର୍ତ୍ତମାନ କଥାରେ ରହିନଥିଲା ତାଳମେଳ । 

ପ୍ରଶ୍ନ ବାଣରେ ଛନ୍ଦି ହୋଇଯିବା ପରେ ଶେଷରେ ସତ ମାନିଥିଲା ପିଶାଚ ସ୍ୱାମୀ। ସ୍ତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା। ମୃତଦେହ ବିଷୟରେ ପଚରା ଯିବାରୁ ସେ ଯାହା କହିଥିଲେ ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ଏହାକୁ ପ୍ରେସର କୁକରରେ ରାନ୍ଧିଥିଲେ। ଅବିଶିଷ୍ଟ ଅଂଶ ଜିଲ୍ଲାଲଗୁଡ଼ାର ଚନ୍ଦନ ହ୍ରଦରେ ଫିଙ୍ଗି ଦେଇଥିବା କହିଥିଲେ। ପୋଲିସ ଏହି ଘଟଣାରେ ମୂର୍ତ୍ତିଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି। 

nis-ad
Leave A Reply

Your email address will not be published.