ରୁଷ ଯୁଦ୍ଧ ଅପରାଧର ତଦନ୍ତ ହେବ : ଜାତିସଂଘ ମାନବ ଅଧିକାର କମିଶନ ; ଭୋଟଦାନରୁ ପୁଣି ବିରତ ରହିଲା ଭାରତ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ମାନବ ଅଧିକାର କମିଶନ (ୟୁଏନଏଚଆରସି) ବୈଠକରେ ୟୁକ୍ରେନରେ ରୁଷ ଚଳାଇଥିବା ଯୁଦ୍ଧ ଅପରାଧଗୁଡ଼ିକର ତଦନ୍ତ ପାଇଁ ଏକ ନିରପେକ୍ଷ ଅନ୍ତର୍ଜାତୀୟ ତଦନ୍ତ କମିଶନ ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବୈଠକରେ ଅନୁଷ୍ଠିତ ଭୋଟଦାନରୁ ଭାରତ ବିରତ ରହିଥିଲା ।
୪୭ ସଦସ୍ୟ ବିଶିଷ୍ଟ ୟୁଏନଏଚଆରସିରେ ଏହି ପ୍ରସ୍ତାବ ସପକ୍ଷରେ ୩୨ଟି ଭୋଟ, ବିପକ୍ଷରେ ୨ଟି (ରୁଷ ଓ ଏରିଟ୍ରି) ଭୋଟ ପଡ଼ିଥିଲା । ୧୩ଟି ଦେଶ ଭୋଟଦାନରୁ ବିରତ ରହିଥିଲେ । ଏହି ଦେଶମାନଙ୍କ ମଧ୍ୟରେ ଅଛନ୍ତି ଭାରତ, ପାକିସ୍ତାନ, ଚୀନ, ଭେନିଜୁଏଲା,ସୁଦାନ ।
ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ଓ ସାଧାରଣ ପରିଷଦର ଜରୁରୀକାଳୀନ ବୈଠକରେ ଆଗତ ରୁଷ ବିରୋଧୀ ପ୍ରସ୍ତାବ ପାଇଁ ଅନୁଷ୍ଠିତ ଭୋଟରୁ ବି ଭାରତ ବିରତ ରହିଥିଲା ।
ଚଳିତ ସପ୍ତାହ ଆରମ୍ଭରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ରୁଷ ବିରୋଧୀ ନିନ୍ଦା ପ୍ରସ୍ତାବ ସଂଖ୍ୟାଗରିଷ୍ଠ ଭୋଟରେ ଗୃହୀତ ହୋଇଥିଲା । ରୁଷ ତୁରନ୍ତ ଯୁଦ୍ଧ ବନ୍ଦ କରିବା ସହ ତୁରନ୍ତ ୟୁକ୍ରେନରୁ ବାହାରି ଯିବାକୁ ଜାତିସଂଘ ପକ୍ଷରୁ ଦାବି କରାଯାଇଛି । ଏହି ପ୍ରସ୍ତାବ ସପକ୍ଷରେ ୧୪୧ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ ୫ଟି ଭୋଟ ପଡ଼ିଥିଲା ଓ ଭାରତ ସମେତ ୩୫ଟି ଦେଶ ଭୋଟଦାନରୁ ବିରତ ରହିଥିଲେ ।

nis-ad
Leave A Reply

Your email address will not be published.