ଆଣବିକ ପାୱାର୍‌ ପ୍ଲାଣ୍ଟ୍‌ରେ ଆକ୍ରମଣ ପରେ ଚିନ୍ତାରେ ସାରା ବିଶ୍ୱ

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଥିବା ‘ଜାପୋରିଝ୍‌ଝିଆ ଆଣବିକ ପାୱାର୍‌ ପ୍ଲାଣ୍ଟ୍‌ରେ ଋଷ ସେନାର ଆକ୍ରମଣ ଯୋଗୁଁ ଏବେ ନିଆଁ ଲାଗିଯାଇଛି | ଆଉ ୟୁରୋପ୍‌ର ସବୁଠୁ ବଡ଼ ଆଣବିକ ପାୱାର୍‌ ପ୍ଲାଣ୍ଟ୍‌ ଉପରେ ଆକ୍ରମଣକୁ ନେଇ ସମଗ୍ର ବିଶ୍ୱର ଚିନ୍ତା ବଢିଯାଇଛି । କାରଣ ଏହା ଦ୍ୱାରା ତେଜସ୍କ୍ରିୟ ବିକିରଣ ବିସ୍ତାର ହୋଇପାରେ | ଆଉ ବିକିରଣ ବା ରେଡ଼ିଏସନ ବିସ୍ତାର ହେଲେ, ଅନେକ ଲୋକ ଏହାର କୁପ୍ରଭାବର ଶିକାର ହୋଇପାରନ୍ତି | ସୂଚନା ମୁତାବକ ଜାପୋରିଝ୍‌ଝିଆ ଆଣବିକ ଶକ୍ତିକେନ୍ଦ୍ର ହେଉଛି ବିଶ୍ୱର ଦଶମ ବୃହତ୍ତମ ଆଣବିକ ପାୱାର ପ୍ଲାଣ୍ଟ | ଏହାର ଛଅଟି ୟୁନିଟ୍ ରହିଛି ଏବଂ ଶେଷ ୟୁନିଟ୍ ୧୯୯୫ରେ ଆରମ୍ଭ ହୋଇଥିଲା |
ଉଲ୍ଲେଖନୀୟ କଥା ହେଉଛି,ଏହି ପାୱାର ପ୍ଲାଣ୍ଟର ମୋଟ ୬ଟି ଆଣବିକ ରିଆକ୍ଟର ଅଛି, ଯାହା ସମୁଦାୟ ୫୭୦୦ ମେଗାୱାଟ ବିଦ୍ୟୁତ ଶକ୍ତି ଯୋଗାଇଥାଏ | ଅର୍ଥାତ ଗୋଟିଏ ରିଆକ୍ଟରରୁ ୯୫୦ ମେଗାୱାଟ ଶକ୍ତି ମିଳିଥାଏ| ଏହି ପାୱାର ପ୍ଲାଣ୍ଟ ୟୁକ୍ରେନର ପ୍ରାୟ ୪୦ ଲକ୍ଷ ଘରକୁ ବିଦ୍ୟୁତ୍ ଯୋଗାଇଥାଏ | ଏହି ପାୱାର ପ୍ଲାଣ୍ଟ ୟୁକ୍ରେନର ଏକ ପଞ୍ଚମାଂଶ ବିଦ୍ୟୁତ ଚାହିଦାକୁ ପୂରଣ କରୁଥିବାବେଳେ ବିଶ୍ୱର ସମସ୍ତ ପରମାଣୁ ଶକ୍ତି କେନ୍ଦ୍ରଗୁଡ଼ିକ ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ଦ୍ୱାରା ତଦାରଖ କରାଯାଏ | ଆଣବିକ ପାୱାର୍‌ ପ୍ଲାଣ୍ଟ୍‌କୁ ଏଭଳି ନିର୍ମାଣ କରାଯାଇଥାଏ ଯେ ସାଧାରଣ ଆକ୍ରମଣ ଦ୍ୱାରା ଏହା ପ୍ରଭାବିତ ହୁଏ ନାହିଁ | କିନ୍ତୁ ଯଦି ଏହା ଉପରେ ଏକ ବଡ ଆକ୍ରମଣ କରାଯାଏ, ତେବେ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ।
କାରଣ ଏଥିରୁ ନିର୍ଗତ ତେଜସ୍କ୍ରିୟ ବିକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ମାନବ ଶରୀରର ଡିଏନଏକୁ କ୍ଷତି ପହଞ୍ଚେ ଏବଂ ଦୁର୍ବଳ ହୁଏ | ସେହିପରି ବିକିରଣ ଶରୀରର କୋଷ ପରିବର୍ତ୍ତନକୁ କ୍ଷତି ପହଞ୍ଚାଇବା ସହ ବହୁଳ ଭାବରେ କର୍କଟ ରୋଗର ଆଶଙ୍କା ବଢାଇଦିଏ | ଅସ୍ଥି ମଜ୍ଜା ଓ ଅନ୍ୟ ଅଙ୍ଗକୁ କ୍ଷତି ପହଞ୍ଚାଉଥିବାବେଳେ ଶିଶୁ ଜନ୍ମରେ ସମସ୍ୟା ସହ ମୃତ୍ୟୁର କାରଣ ହୋଇଥାଏ | ବିଶେଷଜ୍ଞମାନେ କହିଛନ୍ତି ଯେ ଜାପୋରିଝ୍‌ଝିଆ ଆଣବିକ ପାୱାର୍‌ ପ୍ଲାଣ୍ଟ୍‌ରେ ବିସ୍ଫୋରଣ ହେଲେ ଏହି ବିକିରଣ କେବଳ ୟୁକ୍ରେନ ପାଇଁ ନୁହେଁ ବରଂ ସମଗ୍ର ମହାଦେଶର ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଓ କୃଷି ପାଇଁ ବହୁ ବର୍ଷ ଧରି ପ୍ରଭାବ ପକାଇପାରେ |
ଉଲ୍ଲେଖଯୋଗ୍ୟ, ଅନ୍ତର୍ଜତୀୟ ଖବର ସରବରାହ ସଂସ୍ଥା ଏପିର ରିପୋର୍ଟ ଅନୁସାରେ ଏହି ଆଣବିକ ପାୱାର ପ୍ଲାଣ୍ଟ ଉପରେ ରୁଷୀୟ ଆକ୍ରମଣ ସମୟରେ ୩ ୟୁକ୍ରେନୀୟ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ୟୁକ୍ରେନ୍ ପକ୍ଷରୁ ରୁଷର ‘ଆଣବିକ ଆତଙ୍କ’ ବୋଲି ଅଭିହିତ କରାଯାଇଛି।

nis-ad
Leave A Reply

Your email address will not be published.