କମିସନରେଟ୍‍ ପୁଲିସର ପୌର ନିର୍ବାଚନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ରାଜଧାନୀରେ ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଠାରୁ ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ ରହିଥିଲା। ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କମିସନରେଟ୍‍ ପୁଲିସ ପକ୍ଷରୁ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ସେମାନଙ୍କ ବନ୍ଧୁକଗୁଡ଼ିକୁ ନିକଟସ୍ଥ ଥାନାରେ ଗୋଟିଏ ସପ୍ତାହ ମଧ୍ୟରେ ଜିମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୌର ନିର୍ବାଚନ ଲାଗି ଆଚରଣ ବିଧି ଲାଗୁ ହୋଇସାରିଥିବାରୁ ତୁରନ୍ତ ସେମାନଙ୍କ ବନ୍ଧୁକକୁ ଥାନାରେ ଦାଖଲ କରିବାକୁ କୁହାଯାଇଛି।

କମିସନରେଟ୍‍ ପୁଲିସ ସହରାଞ୍ଚଳରେ ୧୮୦୦ରୁ ଊର୍ଦ୍ଧ୍ବ ଜଣ ଲାଇସେନ୍ସ ବନ୍ଧୁକଧାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ ବ୍ୟବସାୟୀ, ନେତା, ଅଭିନେତା ଓ ପ୍ରତିଷ୍ଠିତ ବ୍ୟକ୍ତି ଅଛନ୍ତି। ତେଣୁ ଲାଇସେନ୍ସଧାରୀଙ୍କୁ ସେମାନଙ୍କ ବନ୍ଧୁକ ଥାନାରେ ଜିମା ଦେବାଲାଗି କୁହାଯାଇଛି। ତେବେ ନୂଆପଲ୍ଲୀ ଥାନା ଅଞ୍ଚଳରେ ସର୍ବାଧିକ ବନ୍ଧୁକ ଲାଇସେନ୍ସଧାରୀ ରହିଛନ୍ତି। ନୂଆପଲ୍ଲୀ ପଛକୁ ଖଣ୍ଡଗିରି, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର ଓ ଜଟଣୀ ଥାନା ରହିଛି। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ବନ୍ଧୁକଗୁଡିକୁ ନିକଟସ୍ଥ ଥାନାରେ ଜମା ନ ଦେଲେ ଏସମ୍ପର୍କରେ ପୁଲିସ ପାଖରେ କାରଣ ଦର୍ଶାଅ ସବିଶେଷ ତଥ୍ୟ ଦାଖଲ କରିବାକୁ ହେବ। ସେହିପରି ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବନ୍ଧୁକ ରଖୁଥିବା କିମ୍ବା ବ୍ୟାଙ୍କର ସୁରକ୍ଷାକର୍ମୀ ସେମାନଙ୍କ ବନ୍ଧୁକ ରଖିବାକୁ ହେଲେ ପୁଲିସକୁ ବିଧିବଦ୍ଧ ଭାବେ ଜଣାଇବେ। ତେବେ ପୁଲିସ କମିସନରଙ୍କ ଅନୁମତି ନେବା ପରେ ସେମାନେ ପାଖରେ ବନ୍ଧୁକ ରଖିପାରିବେ ବୋଲି କମିସନରେଟ ପୁଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ନିର୍ବାଚନ ସମୟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥାଏ। ବିଭିନ୍ନ ଦଳ ପତିଆରା ଦଖଲ କରିବା ଲାଗି ହିଂସା ଭଳି ପ୍ରଦକ୍ଷେପ ଆପଣାଇବାର ନଜି ରହିଛି। ଲାଇସେନ୍ସ ବନ୍ଧୁକଧାରୀ ନିଜ ସୁରକ୍ଷା ଲାଗି ରଖିଥିବା ବନ୍ଧୁକକୁ ବିଭିନ୍ନ ସମୟରେ ନିଜର ଦବ୍‍ଦବା ଜାହିର କରିବା ଲାଗି ପ୍ରତିପକ୍ଷଙ୍କୁ ଦେଖାଇ ଭୟଭୀତ କରିବା ସହ ଆତଙ୍କ ସୃଷ୍ଟି କରିବାରେ ଆଶଙ୍କା ରହିଥାଏ। ବିଗତ ବର୍ଷଗୁଡ଼ିକରେ ପୌର ନିର୍ବାଚନ ସମୟରେ ଏଭଳି ଅନେକ ଘଟଣା ଘଟିଛି। ତେବେ ଏଭଳି ସମସ୍ୟା ନ ଉପୁଜିବା ଲାଗି ପୁଲିସ ପକ୍ଷରୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେପଟେ କେବଳ ବନ୍ଧୁକ ନୁହେଁ ବରଂ ପେଶାଦାର ଅପରାଧୀଙ୍କୁ ସାବାଡ଼ କରିବା ଲାଗି ଅଣ୍ଟା ଭିଡ଼ିଛି କମିସନରେଟ ପୁଲିସ। ପୌର ନିର୍ବାଚନ ପରିପ୍ରେକ୍ଷୀରେ ପେଶାଦାର ଅପରାଧୀମାନେ ଦାଦାବଟି ଓ ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ପ୍ରାର୍ଥୀ କିମ୍ବା ଭୋଟରଙ୍କୁ ଭୟଭୀତ କରିବାର ଆଶଙ୍କା ରହିଛି। ତେଣୁ ସେମାନଙ୍କ ଉପରେ ବି ଛାଟ୍‍ ପକାଇବା ସହ ଗିରଫ କରିବାକୁ ସହରାଞ୍ଚଳର ସମସ୍ତ ଥାନାଗୁଡିକୁ କୁହାଯାଇଛି। ସହରାଞ୍ଚଳର ସମସ୍ତ ଥାନାରେ ୮୦ଜଣ ପେଶାଦାର ଅପରାଧୀଙ୍କ ଏକ ତାଲିକା ପ୍ରସ୍ତୁତ କରିଛି କମିସନରେଟ ପୁଲିସ। ଖଣ୍ଡଗିରି ଥାନା ଅଞ୍ଚଳରେ ସର୍ବାଧିକ ଥିବା ବେଳେ ପଛକୁ ନୂଆପଲ୍ଲୀ, ଏୟାରପୋର୍ଟ, ଜଟଣୀ, ମଞ୍ଚେଶ୍ୱର ଓ କ୍ୟାପିଟାଲ ଆଦି ଥାନା ରହିଛି। ସେହିପରି ଏକାଧିକ ମାମଲାରେ ସଂଶ୍ଲିଷ୍ଟ ରହି ଧରାପଡ଼ୁଥିବା ଅଭିଯୁକ୍ତଙ୍କ ବିରୋଧରେ ୧୧୦ ଦଫା ଲଗାଉଛି କମିସନରେଟ ପୁଲିସ। ତେବେ ସପ୍ତାହେ ଭିତରେ ୯ଜଣ ଅଭିଯୁକ୍ତଙ୍କ ବିରୋଧରେ ୧୧୦ ଦଫା ଲଗାଇଲାଣି ପୁଲିସ। ଆଗକୁ ଏହି ଧରପଗଡ଼ ଜାରି ରହିବ ବୋଲି ପୁଲିସ କହିଛି।

nis-ad
Leave A Reply

Your email address will not be published.