ଏୟାର ଇଣ୍ଡିଆର ସିଇଓ ପଦ ଗ୍ରହଣ କରିବେନି ଇଲକେର ଆଇସି

ନୂଆଦିଲ୍ଲୀ: ତୁର୍କୀ ଏୟାରଲାଇନ୍ସ ପରିଚାଳନା ବୋର୍ଡର ପୂର୍ବତନ ଚେୟାରମ୍ୟାନ୍ ଇଲକେର ଆଇସି ଏୟାର ଇଣ୍ଡିଆର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ହେବେ ନାହିଁ। ତାଙ୍କୁ ଟାଟା ସନ୍ସ ପକ୍ଷରୁ ସିଇଓ ପଦ ଅଫର କରାଯାଇଥିଲା। ହେଲେ ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ଟାଟା ସନ୍ସକୁ ଇ-ମେଲ ଯୋଗେ ଜଣାଇ ଦେଇଛନ୍ତି। ଟାଟା ସନ୍ସ ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛି।
ଏପ୍ରିଲ ୧ ପୂର୍ବରୁ ସେ ଏହି ପଦରେ କାମ ଆରମ୍ଭ କରିବାର ଥିଲା। ଏଥିସହ ସେ ଭାରତ ସରକାରଙ୍କ ସମ୍ପର୍କିତ କ୍ଲିୟରାନ୍ସକୁ ମଧ୍ୟ ଅପେକ୍ଷା କରିଥିଲେ। ହେଲେ ତାଙ୍କ ବିରୋଧରେ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଉଥିବାରୁ ସେ ଏହି ପଦରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ନିକଟରେ ଟାଟା କମ୍ପାନୀ ଏୟାର ଇଣ୍ଡିଆର ନିୟନ୍ତ୍ରଣକୁ ନେବା ପରେ ଆଇସିଙ୍କୁ ଏହାର ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଥିଲା। ତେବେ ଭାରତ ସରକାର ଟାଟା ସନ୍ସର ଆଇସି ପ୍ରୀତିକୁ ସହଜରେ ଗ୍ରହଣ କରିପାରି ନଥିଲେ। ଆଇସିଙ୍କ ତୁର୍କୀ ରାଷ୍ଟ୍ରପତି ଏରୋଡଗାନଙ୍କ ସହ ଲିଙ୍କ ଥିବାରୁ ବିଭିନ୍ନ ମହଲରେ ଏହାକୁ ବିରୋଧ କରାଯାଇଥିଲା।
ଆଇସି ଗୋଟିଏ ବିବୃତିରେ କହିଛନ୍ତି, “ମୋର ନିଯୁକ୍ତିକୁ ନେଇ ଭାରତୀୟ ଗଣମାଧ୍ୟମ ବିଭିନ୍ନ ପ୍ରକାରର ଖବର ପ୍ରକାଶ କରିଛି। ଏ ସବୁକୁ ଦୃଷ୍ଟିରେ ରଖି ମୁଁ ଏୟାର ଇଣ୍ତିଆ ପଦ ଗ୍ରହଣ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଛି।”
ଇସ୍ତାନବୁଲର ମେୟର ଥିବା ବେଳେ ତୁର୍କୀର ରାଷ୍ଟ୍ରପତି ଟାୟିପ ଏରୋଡଗାନଙ୍କ ପରାମର୍ଶଦାତା ଭାବେ ଆଇସି କାମ କରୁଥିଲେ। ଏହି କାରଣରୁ ଆରଏସଏସ୍‌ ପକ୍ଷରୁ ଆଇସିଙ୍କ ନିଯୁକ୍ତିକୁ ବିରୋଧ କରାଯାଇଥିଲା। ଏଥିସହ ଆରଏସଏସ ଭାରତ ସରକାରଙ୍କୁ ଏପରି ନିଯୁକ୍ତି ରୋକିବାକୁ ଅନୁରୋଧ ମଧ୍ୟ କରିଥିଲା।

nis-ad
Leave A Reply

Your email address will not be published.