ଚଳିତବର୍ଷ +୨ ଅଫ୍‌ଲାଇନ୍ ପରୀକ୍ଷା ହେବା ସ୍ପଷ୍ଟ

ପରୀକ୍ଷା ଦେବେ ୩.୫ଲକ୍ଷ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଚଳିତବର୍ଷ +୨ ଅଫ୍‌ଲାଇନ୍ ପରୀକ୍ଷା ହେବା ସ୍ପଷ୍ଟ ହୋଇଛି । ତେବେ ବିକଳ୍ପ ବ୍ୟବସ୍ଥାରେ ପରୀକ୍ଷା କରିବାକୁ ପୂର୍ବରୁ ଦାବି ହେଉଥିବାରୁ ରାଜ୍ୟରେ ବିଭିନ୍ନ ପକ୍ଷ(ଷ୍ଟେକ୍ ହୋଲ୍ଡର)ଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏହି ପ୍ରକ୍ରିୟା ଆସନ୍ତା ୨୭ତାରିଖ ସୁଦ୍ଧା ଶେଷହେବ ।

ସୋମବାର ସୁଦ୍ଧା ପ୍ରାୟ ୫ରୁ ଅଧିକ ପକ୍ଷଙ୍କ ସହ ପରୀକ୍ଷା ସମ୍ପର୍କିତ ଆଲୋଚନା ଶେଷ ହୋଇଛି । ଅବଶିଷ୍ଟ ପକ୍ଷଙ୍କ ସହ ଆଲୋଚନା ଶନିବାର ସୁଦ୍ଧା ଶେଷହେବ । ସମସ୍ତ ଆଲୋଚନା ଅନ୍‌ଲାଇନ୍ ମାଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ସବୁ ପକ୍ଷ ବା ଷ୍ଟେକ୍ ହୋଲ୍ଡର ବର୍ତ୍ତମାନ ସମୟରେ କରୋନାର ସ୍ଥିତିକୁ ଅନୁଧ୍ୟାନ କରି ଚଳିତବର୍ଷ ପରୀକ୍ଷା ଅଫ୍‌ଲାଇନ୍ ମାଧ୍ୟମରେ କରିବାକୁ ସମ୍ମତି ପ୍ରକାଶ କରିଥିବା ଜଣାପଡ଼ିଛି ।

ଏହାଦ୍ୱାରା ଚଳିତବର୍ଷ ପରୀକ୍ଷାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଥିଲା ତାହା ଦୂର ହୋଇଛି । ପରୀକ୍ଷା ଲାଗି ମାର୍ଚ୍ଚ ପ୍ରଥମ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇବ । ଚଳିତବର୍ଷ ୩.୫ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଗତବର୍ଷ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରାଯାଇଥିବାରୁ ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ପିଲାଙ୍କ ପାସ୍ ହାର ଅଧିକ ରହିଥିଲା । ଫଳରେ ଚଳିତବର୍ଷ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ରହିଛି ବୋଲି +୨ ପରିଷଦର ଜଣେ କର୍ମଚାରୀ କହିଛନ୍ତି । ଯଦି ମାର୍ଚ୍ଚ ପ୍ରଥମ ସପ୍ତାହରେ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯାଏ, ତେବେ ପରୀକ୍ଷା ପରିଚାଳନା ଲାଗି ପ୍ରସ୍ତୁତି ୨୦ରୁ ୨୨ଦିନ ସମୟ ଲାଗିବ । ଫଳରେ ମାର୍ଚ୍ଚରେ ପ୍ରାକ୍ଟିକାଲ ପରୀକ୍ଷା କରିବାକୁ ଆପାତତଃ ସ୍ପଷ୍ଟ ହୋଇଥିବା ବେଳେ ଏପ୍ରିଲରେ ଥିଓରୀ ପରୀକ୍ଷା ଶେଷ ହେବ ।

ଏପ୍ରିଲ ତୃତୀୟ ସପ୍ତାହରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ମେ’ ଶେଷ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ +୨ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି । ଅପରପକ୍ଷେ ଚଳିତବର୍ଷ ଲାଗି ଫର୍ମ ପୂରଣ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ କାର୍ଡ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଞ୍ôଚଛି । ତେବେ ବର୍ତ୍ତମାନ ରାଜ୍ୟରେ କୋଭିଡର ତୃତୀୟ ଲହର କ୍ରମଶଃ ଦୁର୍ବଳ ହେଉଥିବା ବେଳେ ରାଜ୍ୟରେ ଟିପିଆର୍ (ଟେଷ୍ଟ ପଜିଟିଭିଟି ରେଟ୍‌)୦.୭୨% ରହିଛି । ଫଳରେ ଅଫ୍‌ଲାଇନ୍ ପରୀକ୍ଷା ଲାଗି ଏକପ୍ରକାର କୌଣସି ଅସୁବିଧା ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି । ସିବିଏସ୍‌ଇ ପକ୍ଷରୁ ପରୀକ୍ଷା ଲାଗି ଏପ୍ରିଲ ୨୬ ଧାର୍ଯ୍ୟ ହୋଇଥିବା ବେଳେ ସେହି ତାରିଖକୁ +୨ ପରିଷଦ ପକ୍ଷରୁ ନଜର ଦେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.