ରାୟଗଡ଼ା ପୂର୍ତ୍ତ ବିଭାଗ ଗୃହ ମରାମତିରେ ବ୍ୟାପକ ଦୁର୍ନୀତି

ରାୟଗଡ଼ା (୨୦/୦୨) : ରାୟଗଡା ଜିଲ୍ଲାରେ ପୂର୍ତ ବିଭାଗ ଜାଲିଆତି କରିବା ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛି | ତଥାପି ବିଭାଗୀୟ ଅଧିକାରୀଙ୍କୁ କିଛି ଫରକ ପଡୁନି | ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଦୁର୍ନୀତି ରୋକିବା ନେଇ ବିଭିନ୍ନ ବିଭାଗ କରିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଏଥିପ୍ରତି ତିଳେ ମାତ୍ର ଭୟ ନାହିଁ | ଦିନକୁ ଗୋଟିଏ ଗୋଟିଏ ବିଭାଗରେ ଦୁର୍ନୀତି ହେଉଥିବା ନଜରକୁ ଆସୁଛି | କେତେବେଳେ ପୋଲିସ ବାବୁଙ୍କ ଦୁର୍ନୀତି ସାମନାକୁ ଆସୁଛି ତା ଆଉ କେତେବେଳେ ପ୍ରଶାସନିକ ବିଭାଗର ଦୁର୍ନୀତି ସାମନାକୁ ଆସୁଛି | ମୁଖ୍ୟମନ୍ତ୍ରୀ ଦୁର୍ନୀତି ରୋକିବା ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ଅଭିଯୋଗ ପ୍ରକୋଷ୍ଠ, 5ଟି ଅଭିଯୋଗ ପ୍ରକୋଷ୍ଠ ରହିବା ସହ ଦୁର୍ନୀତି ରୋକିବା ନେଇ ଭିଜିଲାନ୍ସ ଭଳି ବିଭାଗ ରହିଥିଲେ ମଧ୍ୟ ସରକାରୀ କର୍ମଚାରୀଙ୍କ ମନରେ ଭୟ ରହୁନାହିଁ | ଏହିପରି ଏକ ଅଦ୍ଭୁତ ଦୁର୍ନୀତି କାରବାର ରାୟଗଡା ଜିଲ୍ଲା ପୂର୍ତ୍ତ ବିଭାଗରେ ଦେଖିବାକୁ ମିଳିଛି | ସଦର ମହକୁମା ସ୍ଥିତ ପୂର୍ତ୍ତ ବିଭାଗ କାର୍ଯ୍ୟଳୟର ମରାମତି ପାଇଁ ଏକକାଳୀନ ଟେଣ୍ଡର ନକରି ପୂର୍ତ୍ତ ବିଭାଗ ପକ୍ଷରୁ ଭାଗ ଭାଗ କରି କାର୍ଯ୍ୟାଦେଶ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି |

ଏଠାରେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାଦେଶ ନ ହୋଇ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧ୍ୟରେ ସାଲିସ ଦ୍ୱାରା କାର୍ଯ୍ୟାଦେଶ ବାହାରୁଛି | ଏନେଇ ରାୟଗଡା ସହର ସ୍ଥିତ ରୟତ କଲୋନୀର ଜଣେ ମହିଳା ବୀଣାପାଣି ପଣ୍ଡା ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ 5ଟି ଅଭିଯୋଗ ପ୍ରକୋଷ୍ଠକୁ ଏକକାଳୀନ ଅଭିଯୋଗ କରିଥିଲେ | ମୁଖ୍ୟ ଶାସନ ସଚିବଙ୍କ ନିକଟରେ ହୋଇଥିବା ଇ-ଅଭିଯୋଗ ସିଏସ100/E/2021/02534 କୁ ଭିତ୍ତି କରି ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଜିଲ୍ଲାପାଳ ଶ୍ରୀ ସରୋଜ ମିଶ୍ରଙ୍କୁ ନିର୍ଦେଶ ଆସିଥିଲା | ଫଳରେ ଜିଲ୍ଲାପଲ ଏହାର ନିରପେକ୍ଷ ତଦନ୍ତ ନିମନ୍ତେ ରାୟଗଡା ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ୱ ଦେଇଥିଲେ | ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦେଶକୁ ଭିତ୍ତି କରି ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀମତୀ ଯମୁନା ବେହେରାଙ୍କୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହେବା ପାଇଁ ନିର୍ଦେଶନାମା ଜାରି କରିଥିଲେ | କିନ୍ତୁ ଶ୍ରୀମତୀ ବେହେରା ନିଜେ ଉପସ୍ଥିତ ନହୋଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବୀରେନ୍ଦ୍ର କୁମାର ଖୁରାଙ୍କୁ ଦାୟିତ୍ୱ ଦେଇଥିଲେ | ତଦନ୍ତ ପୂର୍ବକ ଶ୍ରୀ ଖୁରା ଟେଣ୍ଡର ବିଜ୍ଞପ୍ତି ସମ୍ପର୍କିତ ସମସ୍ତ ପ୍ରମାଣ ପତ୍ର ଦେଖାଇଥିଲେ | ଉକ୍ତ ପ୍ରମାଣଗୁଡିକୁ ଯାଞ୍ଚ ପରେ ଜଣାପଡିଲା ଯେ, ଟେଣ୍ଡର ବିଜ୍ଞପ୍ତି ନେଇ କୌଣସି ଖବର କାଗଜରେ ପ୍ରକାଶ ପାଇନଥିଲା ଏବଂ ଶ୍ରୀମତୀ ବେହେରା ଏଥିରେ ଚଞ୍ଚକତା କରିଥିବା ପ୍ରମାଣିତ ହୋଇଥିଲା | ଶ୍ରୀମତୀ ବେହେରା ଏମଏସ ମାରୁତି ଇଂଜିନିୟରିଂ ଏଣ୍ଟରପ୍ରାଇଜେସ ନାମକ ଏକ ଠିକା କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ଏହି ମରାମତି କାମକୁ ଦୁଇଟି ଫେଜ ମାଧ୍ୟମରେ ୮ ଭାଗରେ ବିଭକ୍ତ କରି ସର୍ବମୋଟ ୩୯ ଲକ୍ଷ ୩୫ ହଜାର ୪୨୧ ଟଙ୍କାର କାର୍ଯ୍ୟାଦେଶ ଦେଇଥିବା ଜଣାପଡିଛି | ୫ ଲକ୍ଷ ଟଙ୍କା କିମ୍ବା ତାଠାରୁ ଉର୍ଧ୍ଵ ଟଙ୍କାର କାମ ହେଲେ ଟେଣ୍ଡର କରିବାକୁ ସରକାରୀ ନିୟମ ରହିଥିବାରୁ ସମସ୍ତ ୮ ଗୋଟି କାର୍ଯ୍ୟାଦେଶ ୫ ଲକ୍ଷରୁ କମ ମୂଲ୍ୟର କାର୍ଯ୍ୟାଦେଶ ଦିଆଯାଇଛି | ସେଗୁଡିକ ହେଲା 490575/-, 489065/-, 490575/, 493593/-,490575/-, 490575/-,492575/- ଏବଂ 499888/- ଟଙ୍କା | ଦୁଇଟି ଫେଜରେ ସର୍ବମୋଟ ୪୦ ଲକ୍ଷ ଟଙ୍କାର ଅନୁକମ୍ପା ମିଳିଛି ଉକ୍ତ ଠିକା କମ୍ପାନୀକୁ | ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଉକ୍ତ ଜାଲିଆତି ଘଟଣାର ତଦନ୍ତ କରିବାର ଅଢେଇ ମାସ ବିତିଯାଇଥିଲେ ସୁଦ୍ଧା ପ୍ରଶାସନିକ ଅଧିକାରୀ କିମ୍ବା ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ | ଅପର ପକ୍ଷେ ଶ୍ରୀମତୀ ବେହେରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତେ ଅଧିକ୍ଷକ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିବା ଅତି ଆଶ୍ଚର୍ଯ୍ୟଜନକ ଏବଂ ସରକାରଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ହୋଇଛି | ଏହୁ ଉଭୟ ଜିଲ୍ଲା ପରଶାସନ ଏବଂ ସରକାର ଏହି ତଦନ୍ତକୁ ଭିତ୍ତି କରି ଶ୍ରୀମତୀ ବେହେରାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର ଧରିଛି |

nis-ad
Leave A Reply

Your email address will not be published.