ରାସ୍ତାରେ ପାର୍କିଂ : ବଢୁଛି ଟ୍ରାଫିକ ସମସ୍ୟା

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଖୋଲାଖୋଲି ଭାବେ ସଡ଼କ ନିୟମକୁ ଉଲଘଂନ କରି ଯାନବାହାନ ଗୁଡିକ ରାସ୍ତାରେ ପାର୍କିଂ କରାଯାଉଛି । ଏଥିଯୋଗୁଁ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡିଛି । ବିଶେଷକରି ସହରର ମୁଖ୍ୟ ଛକ ଗୁଡ଼ିକରେ ଏଭଳି ପରିସ୍ଥିତ ସୃଷ୍ଟି ହେଉଛି । ହେଲେ ସମସ୍ୟାର ସମାଧାନ କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିସିଟିଭି କ୍ୟାମେରା ଓ ଟ୍ରାଫିକ ପୋଲିସ ମୃତୟନ କରାଯାଉଛି । ପରିତାପର ବିିଷୟ ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ସ୍ଥିତି ଗମ୍ଭୀର ହୋଇଥିବା ସତ୍ତ୍ୱେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଞ୍ଚଳର ମୁଖ୍ୟ ରାସ୍ତା ବଇଁଚବଣିଆ ଛକ ଠାରୁ ଆରଏମସି ଛକ ପର୍ଯ୍ୟନ୍ତ ସଦାସର୍ବଦା ଜନଗହଳି ପୂର୍ଣ୍ଣ ହୋଇ ରହୁଛି । ସହରର ବଇଁଚବଣିଆ, ଲକ୍ଷ୍ମୀ ବଜାର, ବିଜୁ ପଟ୍ଟନାୟକ ଛକ, ବସ ଟର୍ମିନାଲ, ତାରାତାରିଣୀ ରୋଡ଼, ବ୍ଳକ ଛକରେ ଟ୍ରାଫିକ ସମସ୍ୟା ଗୁରୁତର ରହିଥିବା ବେଳେ ଉକ୍ତ ସ୍ଥାନ ମାନଙ୍କରେ ଟ୍ରାଫିକ ପାଇଁଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ପ୍ରତିଦିନ ଲୋକଙ୍କ ଗହଳି ସାଙ୍ଗକୁ ଶହଶହ ଗାଡ଼ି ମୋଟର ଯାତାୟତ କରିଥାନ୍ତି । ସ୍ଥାନୀୟ ସହରର ମୁଖ୍ୟ ରାସ୍ତା ତଥା ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ରହିଛି । ରାତି ପାହିଲେ ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଅଞ୍ଚଳର ବହୁ ଜନସାଧାରଣ ବାଣିଜ୍ୟ କାରବାର ସକାଶେ ହିଞ୍ଜିଳିକାଟୁ ସହରକୁ ଆସିଥାନ୍ତି ଏବଂ ନିଜ ନିଜର ଗାଡ଼ି ମୋଟରକୁ ବେଆଇନ ଭାବେ ମନଇଛା ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ପାର୍କିଂ କରିଥାନ୍ତି । ସ୍ଥାନୀୟ ସହର ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ପାର୍କିଂ ଭାବେ ରହିନଥିବା ଯୋଗୁଁ ବହୁ ସମୟରେ ମୋଟର ସାଇକେଲ ସମେତ ୪ ଓ ୬ ଚକିଆ ଗାଡି ଗୁଡିକ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ଘଣ୍ଟା ଘଣ୍ଟା ଧରି ବେଆଇନ ଭାବେ ପାର୍କିଂ କରିଥାନ୍ତି । ଯଦ୍ୱାରା ସହର ମଧ୍ୟରେ ଯାନବାହନ ଚଳାଚଳରେ ଅସୁବିଧା ଦେଖାଦେବା ସହ ସହର ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏ ଦିଗରେ ପୋଲିସ ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେଇ ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଟ୍ରାଫିକ ପୋଷ୍ଟ ନିର୍ମାଣ ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

nis-ad
Leave A Reply

Your email address will not be published.