ବରଦାଯୋଡି ଗ୍ରାମବାସୀଙ୍କ ଭୋଟବର୍ଜନ ଚେତାବନୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଲଦିପଦର ଓ ବରଡାଯୋଡି ଦୁଇଟି ଗାଁର ଶତାଧିକ ଭୋଟର ଦୀର୍ଘ ଦିନ ଧରି ମୌଳିକ ସମସ୍ୟାର ସମାଧାନ ହୋଇ ପାରୁନଥିବାରୁ, ମୌଳିକ ସମସ୍ୟାକୁ କେନ୍ଦ୍ର କରି ଗ୍ରାମବାସୀ ମାନେ ମିଳିତ ଭାବେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ବ୍ଲକ କେନ୍ଦ୍ରରୁ ମାତ୍ର କେଇ କିଲୋମିଟର ଦୂରରେ ପାହାଡ଼, ଜଙ୍ଗଲ ଘେରା ଭିତରେ ଥିବା ଲଦୀପଦର ଓ ବରଡାଯୋଡି ଗାଁକୁ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ରାସ୍ତା ଖଣ୍ଡେ ନାହିଁ, ବର୍ଷା ଦିନ କଥା ଦୁରେ ଥାଉ ଖରା ଦିନରେ ମଧ୍ୟ ଏହି ଦୁଇ ଗାଁକୁ ଆମ୍ବୁଲାନ୍ସ ଯିବା ସମ୍ଭବ ନୁହଁ l ଗର୍ଭବତୀ, ଅସୁସ୍ଥ ଲୋକଙ୍କୁ ପ୍ରାୟ ୪କିଲୋମିଟର ବିପଦ ସଂକୁଳ ରାସ୍ତାରେ ଖଟିଆରେ ବୋହି ଅଣା ଯାଇଥାଏ।
ପିଇବା ପାଣି କହିଲେ ଲଦିପଦର ରେ ନଳକୂପ ଟିଏ ନଥିବା ବେଳେ ବରଡ଼ାଯୋଡି ରେ 2ଟି ନଳକୂପ ରହିଥିଲେ ମଧ୍ୟ ଦୂଷିତ ପାଣି ପିଉଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ l ପାଇପ ଦ୍ୱାରା ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସୁଫଳ ହୋଇପାରିନାହିଁ ଯୋଜନା l ବରଡାଯୋଡି ଗାଁରେ ପୂର୍ବରୁ ସ୍କୁଲ ଗୋଟିଏ ରହିଥିଲା ବେଳେ ବର୍ତମାନ ସେହି ସ୍କୁଲ ଭାଙ୍ଗି ଯାଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଅନ୍ୟପଟେ ଲଦୀପଦର ଗାଁରେ ସ୍କୁଲ ଅଛି କିନ୍ତୁ ଖରାପ ରାସ୍ତାର ଆଢୁଆଳରେ ଶିକ୍ଷକ ସ୍କୁଲକୁ ଆସୁନଥିବା ଲୋକେ ଅଭିଯୋଗ କରିଛନ୍ତି l ଗାଁରେ ବିଦ୍ୟୁତ ସଂଯୋଗ ନଥିବା ବେଳେ ଗ୍ରାମବାସୀ ନିଜ ନିଜ ଖର୍ଚ୍ଚରେ ସୋଲାର ଆଣି ଲଗାଇଥିବା ଦେଖିବାକୁ ମିଳିଛି l ଏହି ସବୁ ସମସ୍ୟା ଦେଇ ଗତି କରୁଛନ୍ତି ଗ୍ରାମବାସୀ।

ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ଠାରୁ ମାତ୍ର ୧୦ କି.ମି ଦୂରରେ ଅବସ୍ଥିତ ଦୁଇଟି ଗ୍ରାମ,ପ୍ରଥମ ଗ୍ରାମ “ବରଡାଯୋଡି” ଗାଁରେ ୬୫ ଟି ପରିବାର ରହୁଥିବା ବେଳେ “ଲଦୀପଦର” ଗାଁରେ ୩୫ ଟି ପରିବାର ବସବାସ କରନ୍ତି l ଏହି ପରିବାର ସବୁ ପରଜା ସମ୍ପ୍ରଦାୟର ଅଟନ୍ତି l ଏହି ଦୁଇଟି ଗାଁରେ ମୋଟ ୧୬୮ ଭୋଟର ଅଛନ୍ତି। ଏହି ଦୁଇ ଗ୍ରାମବାସୀ ଗାଁର ସମସ୍ୟାକୁ ନେଇ ଅନେକ ଥର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଡ଼ିଓ ପର୍ଯ୍ୟନ୍ତ ଗୁହାରି କରି କରି କୌଣସି ସୁପରିଣାମ ପାଇପାରିଲେ ନାହିଁ।ନିର୍ବାଚନ ସମୟରେ ନେତା ଗାଁକୁ ଗସ୍ତ କରି ଅନେକ ଫମ୍ପା ପ୍ରତିଶୃତି ଦେଇ ଆସିଛନ୍ତି କିନ୍ତୁ ନିର୍ବାଚନ ଶେଷ ହେବା ପରେ,ପ୍ରତିଶୃତି କେବଳ ପ୍ରତିଶୃତିରୁ ହିଁ ଅଟକି ଯାଇଛି।ନିର୍ବାଚନ ପରେ ପୁଣି ଆଉ କେବେ ଫେରି ଚାହିଁ ନାହାନ୍ତି।ନା ଅଛି ସଡକ,ନା ଅଛି ସ୍ଵାସ୍ଥ୍ୟ ସୁବିଧା,ନା ଅଛି ଶିକ୍ଷା ବ୍ୟବସ୍ଥା,ନା ଅଛି ପାନୀୟଜଳ। ଏହି କାରଣରୁ ଗ୍ରାମବାସୀ ମାନେ ନିର୍ବାଚନ ରେ ଭୋଟ ଦାନ ପ୍ରତି ମୁହଁ ଫେରାଇ ନେଇ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ନ ହେବା ଯାଏଁ ଭୋଟ ଦାନରୁ ବିରତ ରହିବେ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ତଥା ଜନ ପ୍ରତିନିଧି ଏ ସମସ୍ୟାର କି ପ୍ରକାର ସମାଧାନର ବାଟ ବାହାର କରୁଛନ୍ତି।ନା, ସମସ୍ୟାକୁ ଅଣଦେଖା କରି ଉକ୍ତ ଗ୍ରାମବାସୀଙ୍କୁ ଭୋଟ ଦାନରୁ ବଞ୍ଚିତ କରୁଛନ୍ତି।

nis-ad
Leave A Reply

Your email address will not be published.