ଲଡୁବାବାଙ୍କ ପୀଠରେ ରାତି ୧୧ଟାରେ ଉଠିବ ମହାଦୀପ

ଶରଣକୁଳ: ଓଡ଼ିଶାର ପ୍ରସିଦ୍ଧ ଶୈବ କ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ପୀଠରେ ମହାଶିବରାତ୍ରୀରେ ମହାଦୀପ ରାତି ୧୧ଟାରେ ଉଠିବା ନେଇ ନିର୍ଘଣ୍ଟ ହୋଇଛି । ଆସନ୍ତା ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା ଏହି ପବିତ୍ର ଜାଗର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଡାକ ବଙ୍ଗଳାଠାରେ ନୟାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ଚଳିତ ବର୍ଷର ମହାଶିବରାତ୍ରୀ ଉତ୍ସବକୁ କିପରି କୋଭିଡ୍ କଟକଣା ମଧ୍ୟରେ ଶୃଙ୍ଖଳିତ ଭାବରେ ପାଳନ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ନିଷ୍ପତ୍ତି ଅନୁଯାୟୀ ଭୋର୍ ୩ଟାରୁ ମନ୍ଦିର ଖୋଲାଯାଇ ୧ ଘଣ୍ଟା ମଧ୍ୟରେ ଠାକୁରଙ୍କ ସକାଳ ଅବକାଶ ନୀତି ଶେଷ କରାଯିବ ।

ଭୋର ୪ଘଣ୍ଟାରୁ ସକାଳ ୭ଟା ୩୦ମିନିଟ୍ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିବ । ସକାଳ ୭ଟା ୩୦ ମିନିଟରୁ ୧୦ଟା ମଧ୍ୟରେ ଠାକୁରଙ୍କ ସକାଳର ସମସ୍ତ ପୂଜା ନୀତି ସମାପନ କରାଯାଇ ସନ୍ଧ୍ୟା ୬ଟା ୩୦ମି ପର୍ଯ୍ୟନ୍ତ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିବ । ମାତ୍ର୧ଘଣ୍ଟା ମଧ୍ୟରେ ସନ୍ଧ୍ୟା ପୂଜାନୀତି ସମ୍ପନ୍ନ କରାଯାଇ ରାତ୍ର୧୦ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିବ । ରାତି୧୦ଟା ୩୦ମିନିଟ୍‌ରେ ଲଡୁବାବାଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଚନ୍ଦ୍ରଶେଖର ଦକ୍ଷିଣ ଦ୍ୱାର ଦେଇ ବେଢ଼ା ପରିକ୍ରମା କରିବେ । ରାତ୍ର ୧୧ଟା ସମୟରେ ମହାଦୀପ ଉଠିବ । ଭକ୍ତମାନେ ମନ୍ଦିର ସିଂହଦ୍ୱାରଦେଇ ବେଢ଼ା ଭିତରକୁ ପ୍ରବେଶ କରିବେ ।

ମହନ ଓ ଘଣ୍ଟ ଦ୍ୱାର ଦେଇ ଠାକୁରଙ୍କୁ ଦର୍ଶନ କରିବା ପରେ ଦକ୍ଷିଣ ଦ୍ୱାର ଦେଇ ବେଢ଼ାକୁ ଓ ସେଠାରୁ ହାତୀ ଦ୍ୱାର ଦେଇ ମନ୍ଦିର ବାହାରକୁ ପ୍ରସ୍ଥାନ କରିବେ । ଭକ୍ତମାନେ ମନ୍ଦିର ପରିସରରେ ଦୀପ ଜାଳିବା ପାଇଁ ବାରଣ କରାଯାଇଛି । ତେବେ ସ୍ୱାଭାବିକ ଭାବରେ ମହାଶିବରାତ୍ରୀ ଯାତ୍ରା ପାଳନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ବୈଠକରେ ଓଡ଼ଗାଁ ତହସିଲଦାର, ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟ, ବିଦ୍ୟୁତ୍‌, ରାଜସ୍ୱ, ପୁଲିସ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ମନ୍ଦିର ପରିଚାଳକ ଓ ସେବାୟତ ଯୋଗଦେଇଥିଲେ ।

nis-ad
Leave A Reply

Your email address will not be published.