ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚୁଡ଼ାନ୍ତ ପ୍ରସ୍ତୁତି…


ହିଞ୍ଜିଳିକାଟୁ : ଆସନ୍ତା ୧୬ ତାରିଖ ଠାରୁ ରାଜ୍ୟର ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୋମବାର ଚୁଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ହିଞ୍ଜିଳିକାଟୁ ବ୍ଳକର ୨୧ଟି ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ଥିବା ଭୋଟ ଗ୍ରହଣ ସକାଶେ ୩୦୭ଟି ବୁଥର ବ୍ୟବସ୍ଥା କରାଯାଇଛି । ୧୦୦ଟି ସମ୍ବେଦନନଶୀଳ ଓ ୨୨ଟି ଅତ୍ୟନ୍ତ ସମ୍ବେଦନଶୀଳ ବୁଥ ସକାଶେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୋଚିଲିମା ପଞ୍ଚାୟତର ସୋମପୁର ଗ୍ରାମର ବୁଥକୁ ପିଙ୍କ୍ ବୁଥ ଭାବେ ଚିହ୍ନଟ କରାଯାଇଛି । ରାଜ୍ୟ ନିର୍ବାଚନ କମିଶନରଙ୍କ ନିୟମ ଅନୁସାରେ ଭିନ୍ନକ୍ଷମ ବ୍ୟକ୍ତି ଓ କରୋନା ସଂକ୍ରମିତ ବ୍ୟକ୍ତି ମାନଙ୍କ ସକାଶେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ସୋମବାର ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଅସ୍ଥାୟୀ ଶିବିରରୁ ପ୍ରିଜାଇଡିଂ, ପୋଲିଂ ଅଧିକାରୀ ଓ ସୁପରଭାଇଜର ସହ ପୁଲିସ ବୁଥ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ହିଞ୍ଜିଳିକାଟୁ ବ୍ଳକର ପଞ୍ଚାୟତର ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ର ଗୁଡ଼ିକରେ ଆବଶ୍ୟକୀୟ ସର୍ତକତାମୂଳକ ପଦକ୍ଷେପ ସହ ନକଲି ଭୋଟର, ଆଇନ ଶୃଙ୍ଖଳା, ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ସକାଶେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା ହିଞ୍ଜିଳିକାଟୁ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡା ଓ ଜିପ୍ଖବସ ପ୍ରଶାନ୍ତ କୁମାର ରଥ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.