ଧାନ କିଣାରେ ଅବହେଳା ଯୋଗୁଁ ୧୩ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଛତ୍ରପୁର : ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ଅବହେଳା ତଥା ଅସହଯୋଗ କରୁଥିବା ୧୩ ଜଣ ମିଲର ଙ୍କ ବିରୋଧରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ଚାଷୀଙ୍କ ଧାନ କିଣିବା ପାଇଁ ଟ୍ୟାକ୍ ହୋଇଥିବା ସାନଖେମୁଣ୍ଡି ବ୍ଲକର ୧୩ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଛି । ନୋଟିସ୍ ଜାରି ହୋଇଥିବା ସାନଖେମୁଣ୍ଡି ବ୍ଲକର ଅନ୍ନପୂର୍ଣ୍ଣା ରାଇସ୍ ମିଲ୍, ଗୋପିନାଥ ରାଇସ୍ ମିଲ୍, ଜନତା ରାଇସ୍ ମିଲ୍, ଲକ୍ଷ୍ମୀ ନାରାୟଣ ରାଇସ୍ ମିଲ୍, ଲକ୍ଷ୍ମୀ ରାଇସ୍ ମିଲ୍, ବିମଳା ରାଇସ୍ ମିଲ୍, ଜଗାବଳିଆ ରାଇସ୍ ମିଲ୍, ମା’ରତ୍ନେଇ ରାଇସ୍ ମିଲ୍, ନାରାୟଣୀ ରାଇସ୍ ମିଲ୍, ରାଧାକୃଷ୍ଣ ରାଇସ୍ ମିଲ୍, ରାମ ବଳରାମ ରାଇସ୍ ମିଲ୍, ଶ୍ରୀଗଣେଶ ରାଇସ୍ ମିଲ୍, ଶ୍ରୀବିନାୟକ ରାଇସ୍ ମିଲ୍ ପ୍ରମୁଖ ରହିଛନ୍ତି । ମିଲର ମାନେ ମଣ୍ଡିରେ ଚାଷୀଙ୍କ ଧାନ କିଣୁନଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଜିଲ୍ଲାପାଳ ତଦନ୍ତ କରି ସଂପୃକ୍ତ ମିଲରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି ।
ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରେ ଗଲାବର୍ଷ ଡିସେମ୍ବର ୨୯ ତାରିଖଠୁ ଧାନକିଣା ଆରମ୍ଭ ହୋଇଥିଲା । ୩୬୬ ମିଲର୍ ଧାନ କିଣିବା ପାଇଁ ଚୁକ୍ତିନାମା କରିଛନ୍ତି । ୧ ଲକ୍ଷ ୨୨ ହଜାର ୮୨୬ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ ହୋଇଛନ୍ତି । ଦୁଇଟି ପର୍ଯ୍ୟାୟରେ ଜିଲ୍ଲାକୁ ୪୦ ଲକ୍ଷ ୫୨ ହଜାର ୨୩୮କୁଇଣ୍ଟାଲ ଧାନ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ଶୁକ୍ରବାର ଅପରାହ୍ନ ସୁଦ୍ଧା ୬୫୫୫୦ଜଣ ଚାଷୀଙ୍କ ଠାରୁ ୨୯ ଲକ୍ଷ ୮୬ ହଜାର ୨୩୫ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିବ ।

nis-ad
Leave A Reply

Your email address will not be published.