ସୋଶାଲ ମିଡିଆ ପାଇଁ ଆସିବ କଠୋର ଆଇନ – ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ପୋଷ୍ଟ ହେଉଥିବା ଆପତ୍ତିଜନକ ବିଷୟ ବସ୍ତୁ ଉପରେ ଲାଗିବ ରୋକ। ଏଥିସହ ଅପପ୍ରଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର କଠୋର ଆଇନ ଆଣିବା ସପକ୍ଷରେ ରହିଛନ୍ତି। ଯଦି ସଂସଦରେ ବିରୋଧୀ ସହମତ ହେବେ, ତା’ହେଲେ ଆଇନକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ରେଳ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ରାଜ୍ୟସଭାରେ ଆଗତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ସୋଶାଲ ମିଡିଆକୁ ଅଧିକ ଉତ୍ତରଦାୟୀ କରିବାକୁ ସରକାର କଠୋର ଆଣିବା ସପକ୍ଷରେ ରହିଛନ୍ତି। ଯଦି ସଂସଦରେ ରାଜନୀତିକ ସହମତି ରହିବ, ତା’ହେଲେ ଆଇନ ଆସିବ। ସରକାର କେବେ ହେଲେ ବି ମହିଳାଙ୍କ ସମ୍ମାନରେ ବୁଝାମଣା କରିବେ ନାହିଁ ବୋଲି ସେ କହିଛନ୍ତି।
ଏଥିସହ ନିକଟରେ ମୁସଲିମ ମହିଳାଙ୍କ ନିଲାମ ଡାକିବା ଭଳି କାମ ଚଳାଇଥିବା ବୁଲ୍ଲିବାଈ ଓ ସୁଲ୍ଲି ଡିଲ୍ସ ବିରୋଧରେ ସରକାର ଖବର ମିଳିବା ମାତ୍ରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିବା ସେ ସୂଚନା ଦେଇଛନ୍ତି। ବୈଷ୍ଣବ କହିଛନ୍ତି, “ଧର୍ମ ନିର୍ବିଶେଷରେ ସମସ୍ତ ମହିଳାଙ୍କ ଆତ୍ମସମ୍ମାନର ସୁରକ୍ଷା ସରକାରଙ୍କ ମୂଳ ଲକ୍ଷ୍ୟ। ଆମେ ଯେତେବେଳେ ବି ସୋଶାଲ ମିଡିଆକୁ ରେଗୁଲେଟ କରିବାକୁ ପ୍ରୟାସ କରୁଛୁ ସେତେବେଳେ ବିରୋଧୀ ଆମେ ବାକ୍‌ ସ୍ୱାଧୀନତା ଉପରେ ହମଲା କରୁଛୁ ବୋଲି କହୁଛନ୍ତି। ହେଲେ ଆଦୌ ଠିକ୍ ନୁହେଁ। ଆମେ ସବୁଥିରେ ସମତୁଲ ନୀତି ଆପଣାଇବାକୁ ଚାହୁଁଛୁ।”
କଂଗ୍ରେସ ସାଂସଦ ଆନନ୍ଦ ଶର୍ମା ସୋଶାଲ ମିଡିଆରେ ଆସୁଥିବା ଆପତ୍ତିଜନକ ମେସେଜ ବିରୋଧରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କହିଛନ୍ତି, ସୋଶାଲ ମିଡିଆକୁ ଉତ୍ତରଦାୟୀ କରିବା ପାଇଁ ଅନେକ ପ୍ରକାରର ପଦକ୍ଷେପ ପୂର୍ବରୁ ନିଆଯାଇଥିଲା। ବର୍ତ୍ତମାନ ସରକାର ସାମ୍ବିଧାନିକ ନୀତିନିୟମ ମଧ୍ୟରେ କାମ କରୁଛନ୍ତି। ଯଦି ଗୃହର ସଦସ୍ୟମାନେ ଚାହିଁବେ, ତା’ହେଲେ ଆମେ ସୋଶାଲ ମିଡିଆ ପାଇଁ ଆହୁରି କଠୋର ଆଇନ ଆଣିବୁ।
ଆମକୁ ଉତ୍ତରଦାୟୀ ଗ୍ରହଣ କରୁଥିବା ସୋଶାଲ ମିଡିଆ ତିଆରି କରିବାକୁ ହେବ। ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ବିଭିନ୍ନ ରାଜ୍ୟର ତଦନ୍ତକାରୀ ସଂସ୍ଥା କେନ୍ଦ୍ରର ସୂଚନା ଆଧାରରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ସରକାର ୨୦୨୧ରେ ସୋଶାଲ ମିଡିଆକୁ ଅଧିକ ସୁରକ୍ଷିତ ଓ ଦାୟିତ୍ୱବାନ କରିବାକୁ ଆଇନ ଆଣିଥିବା ସେ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.