ଦାରିଙ୍ଗବାଡି : ଟାଙ୍କି ଅଛି ପାଣି ନାହିଁ,ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ…

ଦିନରେ ଲଣ୍ଠନ ଦେଖାଉଛି ପ୍ରଶାସନ…!

ଦାରିଙ୍ଗବାଡ଼ି,:, ବିରାଟ କାୟ ପାଣିଟାଙ୍କି ଅଛି ହେଲେ ପାଣି ନାହିଁ । ପାଣି ପାଇଁ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡକରବାଡ଼ି ଏବଂ ଗବାଟବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି କିଛି ଏଭଳି ଅବ୍ୟବସ୍ଥା । ସରକାର ଘର ଘର କୁ ପାଣି ଯୋଗାଇ ଦେବା ନିମନ୍ତେ ବସୁଧା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରି ଜଳ ଯୋଗାଣ ପ୍ରକଳ୍ପ ହାତକୁ ନେଉଛନ୍ତି । ହେଲେ ସରକାରୀ ବାବୁଙ୍କ ଆନ୍ତରିକତା ଅଭାବ ଯୋଗୁଁ ଟାଙ୍କି ଥାଇ ବି ପାଣି ପାଇପାରୁନାହାନ୍ତି ଗ୍ରାମବାସୀ । ଡକରବାଡ଼ି ଓ ଗବାଟବାଡ଼ି ଗ୍ରାମରେ ୨ ଶହ ରୁ ଉର୍ଦ୍ଧ ପରିବାର ବାସ କରୁଥିବା ବେଳେ ଲୋକ ପାନୀୟ ଜଳ ନିମନ୍ତେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ହେଲେ ୨୦୧୯ ମସିହାରେ ଏକ କୋଟି ଵ୍ୟୟ ବରାଦରେ ବସୁଧା ଯୋଜନାରେ ଏକ ନୂତନ ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ହୋଇ କାର୍ଯ୍ୟମଧ୍ୟ ଶେଷ ହୋଇଛି । ହେଲେ ଲୋକଙ୍କୁ ଜଳ ଯୋଗାଣ ହୋଇନପାରିବାରୁ ଗ୍ରାମବାସୀଙ୍କ ସ୍ଥିତି ଯଥା ପୂର୍ବମ ତଥା ପରମ ସ୍ଥିତିରେ ରହିଛି । ଲୋକେ ପାନୀୟ ଜଳ ପାଇଁ ଚୁଆଁ ଓ ନାଳ ପାଣି ଉପରେ ହିଁ ନିର୍ଭର କରୁଛନ୍ତି । ଏପରିକି ଡକରବାଡ଼ି ଗ୍ରାମର ଅନେକ ସ୍ଥାନରେ ପାଇପ ଫାଟି ରହିଥିଲେ ସୁଦ୍ଧା ତାକୁ ମରାମତି କରାଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ସରକାର ବିଭିନ୍ନ ସୁବିଧା ଯୋଗାଇ ଦେଉଥିବା ବେଳେ ଅନ୍ୟ ପଟେ ସରକାରୀ ବାବୁ ଓ ଠିକାଦାରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲୋକେ ସଠିକ ସୁବିଧା ପାଇପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ତୁରନ୍ତ ଜଳଯୋଗାଣର ବ୍ୟବସ୍ଥା କରାଯିବା ପାଇଁ ଉଭୟ ଗବାଟବାଡ଼ି ଓ ଡକରବାଡ଼ି ଗ୍ରାମବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.