ମୁଇଜୁଙ୍କ ସଙ୍କଟ ବଢ଼ିଲା: ବାଚସ୍ପତିଙ୍କ ସହ ବିବାଦ

ମାଲେ: ମାଳଦ୍ୱୀପର ରାଜନୀତି ପୁଣି ଥରେ ସରଗରମ ହେବାରେ ଲାଗିଛି। ଦେଶର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ସଂସଦ ବାଚସ୍ପତି ଅବଦୁଲ ରହିମ ଅବଦୁଲ୍ଲାଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି। ମହମ୍ମଦ ମୁଇଜୁ ବାଚସ୍ପତି ଅବଦୁଲ ରହିମଙ୍କ ପୁଅ ଇବ୍ରାହିମ ଫୈ ସଲଙ୍କୁ ପର୍ଯ୍ୟଟନ ମନ୍ତ୍ରୀ ପଦରୁ ବରଖାସ୍ତ କରିଛନ୍ତି।

ମାଳଦ୍ୱୀପ ଗଣମାଧ୍ୟମ ଅଧାଧୁ ଏହି ବିଷୟରେ ସୂଚନା ଦେଇଛି। ମଙ୍ଗଳବାର ସକାଳେ ଫୈସଲଙ୍କୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ବହିଷ୍କାର ଚିଠି ମିଳିଛି। ତାଙ୍କ ସ୍ଥାନରେ ଅର୍ଥନୈ ତିକ ବ୍ୟାପାର ମନ୍ତ୍ରୀ ମହମ୍ମଦ ସୟିଦଙ୍କୁ ଅସ୍ଥାୟୀ ଭିତ୍ତିରେ ପର୍ଯ୍ୟଟନ ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି। ତେବେ ଏହାକୁ ନ‌େଇ ମୁଇଜୁଙ୍କ ସଙ୍କଟ ପୁଣି ବଢ଼ିଥିବା ରାଜ‌ନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ବାଚସ୍ପତି ହେବା ସହିତ ଅବଦୁଲ ରହିମ ମଧ୍ୟ ମୁଖ୍ୟ ଶାସକ ଦଳର ପିପୁଲ୍ସ ନ୍ୟାସନାଲ କଂଗ୍ରେସ (ପିଏନସି)ର ସଭାପତି ଦାୟିତ୍ବରେ ଅଛନ୍ତି। ୧୭ ନଭେମ୍ବର ୨୦୨୩ରେ, ମୁଇଜୁ ବାଚସ୍ପତିଙ୍କ ପୁଅ ଫୈସଲଙ୍କୁ ପ୍ରଥମ କ୍ୟାବିନେଟ ନିଯୁକ୍ତିରେ ଅନ୍ତର୍ଭୁକ୍ତ କରିଥିଲେ। ଫୈସଲଙ୍କ ନିଯୁକ୍ତିକୁ ସେତେବେଳେ ସମାଲୋଚନା କରାଯାଇଥିଲା। ବିରୋଧୀ ଏହା ମୁଇଜୁଙ୍କ ବଂଶବାଦ ନୀତି ବୋଲି ଅଭିଯୋଗ କରିଥିଲେ। ତେବେ ସରକାର ଏହି ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।

ପର୍ଯ୍ୟଟନ ମନ୍ତ୍ରୀ ହେବା ପାଇଁ ଫୈସଲଙ୍କ ଯୋଗ୍ୟତା ଉପରେ ଅନେକ ଲୋକ ପ୍ରଶ୍ନ କରିଥିଲେ। ତାଙ୍କର ଇଂରାଜୀ ଭାଷା ଦୁର୍ବଳ ଯୋଗୁ ସେ ବହୁ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ପରେ ଫୈସଲ ଏହାକୁ ସ୍ୱୀକାର କରି କହିଥିଲେ ଯେ, ସେ ତାଙ୍କ ଇଂରାଜୀ ଭାଷାରେ ଉନ୍ନତି ଆଣିବା ପାଇଁ ଜଣେ ପ୍ରଶିକ୍ଷକ ନିଯୁକ୍ତ କରିଛନ୍ତି। ସେ ଏହା ମଧ୍ୟ କହିଥିଲେ,ଇଂରାଜୀରେ ତାଙ୍କର ପାରଦର୍ଶିତା ଅଭାବ ସହିତ ତାଙ୍କ କାର୍ଯ୍ୟ କରିବାର କ୍ଷମତାର କୌଣସି ସମ୍ପର୍କ ନାହିଁ।

ଗଣମାଧ୍ୟମ ଅଧାଧୁ ଏହା ପୂର୍ବରୁ ମଧ୍ୟ କହିଥିଲା ଯେ, ମୁଇଜୁ ଏବଂ ଅବଦୁଲ ରହିମଙ୍କ ମଧ୍ୟରେ ସମ୍ପର୍କ ବିଗିଡି ଯାଉଛି। ୨୦୨୪ମସିହାରେ ମଧ୍ୟ ଏହିପରି ଗୁଜବ ପ୍ରଚାର କରାଯାଇଥିଲା, କିନ୍ତୁ ସେତେବେଳେ ଅବଦୁଲ ରହିମ ଏହାକୁ ଅସ୍ୱୀକାର କରିଥିଲେ। ସେତେବେଳେ ଖବର ଆସିଥିଲା ​​ଯେଉଁଥିରେ କୁହାଯାଇଥିଲା ଯେ, ଅବଦୁଲ ରହିମ ୨୦୨୮ ମସିହାରେ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରୁଛନ୍ତି। ମାଳଦ୍ୱୀପର ସରକାରୀ ଗଣମାଧ୍ୟମର ଏହି ରିପୋର୍ଟକୁ ସେ ଅସ୍ୱୀକାର କରିଥିଲେ।

ଅବଦୁଲ ରହିମଙ୍କୁ ପୂର୍ବରୁ ରାଷ୍ଟ୍ରପତି ମୁଇଜୁଙ୍କ ସବୁଠାରୁ ଶକ୍ତିଶାଳୀ ସହାୟକ ଭାବରେ ଦେଖାଯାଉଥିଲା। ତାଙ୍କୁ ପ୍ରଥମେ ରାଷ୍ଟ୍ରପତି ମୁଇଜୁଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଥିଲା। ପରେ ୨୦୨୪ ସଂସଦୀୟ ନିର୍ବାଚନରେ ​​ସଫଳତାର ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ  ସେ  ନିଜ ପଦରୁ ଇସ୍ତଫା ଦେଇଥିଲେ।  ସଂସଦୀୟ ନିର୍ବାଚନରେ ​​ପିଏନସି ଜିତିଥିଲା। ପରେ ସେ ସଂସଦର ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ।

nis-ad
Leave A Reply

Your email address will not be published.