ଶ୍ରୀଲଙ୍କା ନୌସେନା ଗୁଳିରେ ୫ ଭାରତୀୟ ମତ୍ସ୍ୟଜୀବୀ ଆହତ

ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଗୁଳି ଚଳାଇଛି ଶ୍ରୀଲଙ୍କା ନୌସେନା । ଏଥିରେ ୫ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣାରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟା ଦେଇ ଶ୍ରୀଲଙ୍କା ନୌସେନାର କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରିଛି । ମନ୍ତ୍ରଣାଳୟ ଏ ନେଇ ଶ୍ରୀଲଙ୍କାର ଉଚ୍ଚାୟୁକ୍ତଙ୍କୁ ତଲବ କରିଛି ।

ମଙ୍ଗଳବାର ସକାଳେ ଡେଲଫଟ୍ ଦ୍ୱୀପ ନିକଟରେ ଶ୍ରୀଲଙ୍କା ନୌସେନା ବାହିନୀ ୧୩ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଥିଲେ । ଏହି ସମୟରେ ନୌସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା । ଏଥିରେ ୫ ମତ୍ସ୍ୟଜୀବୀ ଆହତ ହୋଇଥିଲେ ।

ତେବେ ଏହି କାର୍ଯ୍ୟାନୁଷ୍ଠାନ କୌଣସି ବି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ମନ୍ତ୍ରଣାଳୟ କହିଛି । ଆଜି ସକାଳେ ଦ୍ୱୀପ ନିକଟରେ ୧୩ ଜଣ ମତ୍ସ୍ୟଜୀବୀଙ୍କୁ ଧରିବା ବେଳେ ଶ୍ରୀଲଙ୍କା ନୌସେନା ଗୁଳି ଚଳାଇଥିଲା । ଡଙ୍ଗା ଉପରେ ଥିବା ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୨ ଜଣଙ୍କୁ ଗଭୀର ଆଘାତ ଲାଗିଛି । ଜାଫନା ଟିଚିଙ୍ଗ୍ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ଅନ୍ୟ ୩ ଜଣଙ୍କୁ ମଧ୍ୟ ମାମୁଲି ଆଘାତ ଲାଗିଛି ।

ଭାରତୀୟ ବାଣିଜ୍ୟ ଦୂତାବାସର ଅଧିକାରୀମାନେ ଜାଫନାରେ ଆହତ ମତ୍ସ୍ୟଜୀବୀମାନଙ୍କୁ ଭେଟିଛନ୍ତି । ସେମାନେ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ମଙ୍ଗଳବାର ସକାଳେ ନୂଆଦିଲ୍ଲୀରେ ଦ୍ୱୀପର ହାଇ କମିଶନରଙ୍କୁ ସମନ କରାଯାଇ ଘଟଣାକୁ ତୀବ୍ର ବିରୋଧ କରାଯାଇଛି । ସେପଟେ କଲମ୍ବୋରେ ଥିବା ଭାରତୀୟ ଉଚ୍ଚ ଆୟୋଗ ମଧ୍ୟ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରଣାଳୟ ପାଖରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।

nis-ad
Leave A Reply

Your email address will not be published.