ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ଼ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ଗଞ୍ଜାମ ମାଟିର ବୀର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରି ସେମାନଙ୍କ ଅସୀମ ସାହସ ଓ ସାଲିସ ବିହୀନ ସଂଗ୍ରାମକୁ ନମନ କରିଥିଲେ । ନିଜ ବକ୍ତବ୍ୟରେ କହିଥିଲେ ଯେ, ସମ୍ବିଧାନ ଆମ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ । ରାଷ୍ଟ୍ରର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଚିତ୍ର ସମ୍ବିଧାନରେ ହିଁ ସ୍ପଷ୍ଟଭାବେ ପ୍ରତି ଫଳିତ ହୋଇଛି। ସମଗ୍ର ବିଶ୍ବରେ ଭାରତର ସମ୍ବିଧାନର ଏକ ସ୍ବତନ୍ତ୍ର ଗୁରୁତ୍ବ ରହିଛି । ସମ୍ବିଧାନ ପ୍ରଣୟନ ପଛରେ ପ୍ରମୁଖ ଅବଦାନ ରହିଥିବା ବାବା ସାହେବ ଡଃ ଭୀମରାଓ ଆମ୍ବେଦକର, ପଣ୍ଡିତ ଜବାହରଲାଲ୍ ନେହେରୁ, ସର୍ଦ୍ଦାର ବଲ୍ଲଭବାଇ ପଟେଲ, ଡଃ ରାଜେନ୍ଦ୍ର ପ୍ରସାଦ, ମୌଲାନା ଅବୁଲ କାଲାମ୍ ଆଜାଦ୍ ,ଆଚାର୍ଯ୍ୟ ଜେ. ବି. କୃପାଳିନୀ, ଟି. ଟି. କୃଷ୍ଣାମ୍ ଆଚାରୀ ଏବଂ ଆହୁରି ଅନେକ ମହାନୁଭବ ଙ୍କୁ ଏହି ଅବସରରେ ସ୍ମରଣ କରିବା ସହ ସ୍ବାଧୀନତା ଆନ୍ଦୋଳନରେ ଗଞ୍ଜାମର ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଗଞ୍ଜାମର କଳା, ସଂସ୍କୃତି, ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ସମ୍ପର୍କରେ ଅବଗତ କରାଇଥିଲେ । ଗଞ୍ଜାମ ଜିଲ୍ଲା ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ସଫଳତା ଅର୍ଜନ ସହ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିବା ଜଣାଇଥିଲେ । କେଳୁଆପଲ୍ଲୀ ଗ୍ରାମ ପଞ୍ଚାୟତ ସୁଦୃଢ଼ ସ୍ୱାସ୍ଥ୍ୟ ସେବା ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଥିବା ବେଳେ ସାହାପୁର ଗ୍ରାମ ପଞ୍ଚାୟତ ଏହାର ଭିତ୍ତିଭୂମି ବିକାଶ ନିମନ୍ତେ ସୁସ୍ଥ ପଞ୍ଚାୟତ ପୁରସ୍କାର ପାଇଥିବା କହିଥିଲେ ।
ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନା ଏବଂ ନିରୀକ୍ଷଣ ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା, ପ୍ରତି ଘରକୁ ହର ଘର ଜଳ ଯୋଜନା, ପ୍ରତି ପଞ୍ଚାୟତରେ ପ୍ରାଥମିକ ମଡେଲ ସ୍କୁଲର ଉନ୍ନତିକରଣ କରାଯାଇ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପଦକ୍ଷେପ ନିଆ ଯାଉଥିବା ପ୍ରକାଶ କରିଥିଲେ ।
ମହିଳା ସଶକ୍ତିକରଣ ସକାଶେ ମିଶନ୍ ଶକ୍ତି ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀ ଆତ୍ମ ନିର୍ଭରଶୀଳ ହୋଇ ପାରୁଥିବା ଜଣାଇଥିଲେ ।
ପ୍ରଧାନ ମନ୍ତ୍ରୀ ଜନମନ ଯୋଜନା, ବିକଶିତ ଗାଁ, ବିକଶିତ ଓଡିଶା, ସ୍ବଚ୍ଛ ଭାରତ ମିଶନ୍ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ ।
ପ୍ୟାରେଡ ରେ 30 ଟି ଦଳ ଅଂଶ ଗ୍ରହଣ କରିଥିଲେ । 4 ଟି ଦଳ ଶାରୀରିକ କ୍ରୀଡା ପ୍ରଦର୍ଶନ କରିଥିଲେ । ରିଜର୍ଭ ଇନିସ୍ପେକ୍ଟର ଅମୂଲ୍ୟ ନାୟକ ଓ ସେକେଣ୍ଡ ଇନ କମାଣ୍ଡ, ସର୍ଜେଣ୍ଟ ଅଫ୍ ପୋଲିସ୍ ବିକାଶ କୁମାର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ୟାରେଡ୍ ପରିଚାଳିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ 6 ଜଣଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ୟାରେଡ ପରେପରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯାଇଥିଲା ।
ଏହି ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ସମେତ ବହୁ ବୁଦ୍ଧିଜୀବୀ, ଜିଲ୍ଲାସ୍ତରୀୟ ଅଧିକାରୀ, ପୁଲିସ ଅଧିକାରୀ, ସାମ୍ବାଦିକ ବନ୍ଧୁଗଣ ଯୋଗ ଦେଇଥିଲେ । ଜିଲ୍ଲା ସ୍ତରୀୟ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିଥିବା କଣ୍ଟିଜେଣ୍ଟ ମାନଙ୍କ ମଧ୍ୟରୁ ଓ୍ବିନର୍ ଏବଂ ରନର୍ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ହାରା ଜିଲ୍ଲା ପ୍ରଶାସନ ତରଫରୁ କପ୍ ପୁରସ୍କୃତ କରାଯାଇଥିଲା । ଉପ ନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜନରାଜ୍ୟ ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହି ଜାତୀୟ ଦିବସ ଉପଲକ୍ଷେ ପୂର୍ବାହ୍ନ ୧୧ ଘ. ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକାଦଶ ଓ ଗଣ ମାଧ୍ୟମ ଏକାଦଶ ଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ସୁଧାଂଶୁ ଶେଖର ଭୋଇ, ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶୀଷ ବରାଳ, ଅତିରିକ୍ତ ତହସିଲଦାର ଜିଲ୍ଲା କ୍ରୀଡା ଅଧିକାରୀ, ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ନ ୩ ଘ. ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଋଷିକୂଲ୍ଯା ସମ୍ମିଳନୀ କକ୍ଷରେ ଛତ୍ରପୁର ସାହିତ୍ୟ ସଂସଦର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବହୁଭାଷୀ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ ରବି ନାରାୟଣ ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ଏବଂ ସଂପାଦକ ଦିଲ୍ଲୀପ କୁମାର ପଲେଇ କାର୍ଯ୍ଯକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଗତ ସ୍ବାଧୀନତା ଦିବସ ଓ ସାଧାରଣ ତନ୍ତ୍ର ଦିବସର କବିତା ଗୁଡିକ ସଂକଳିତ କରି ‘ନୀଳବୀଚି’ କୁ ମୁଖ୍ଯ ଅତିଥି ଉନ୍ମୋଚିତ କରିଥିଲେ । ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସଂଧ୍ୟା 6.00ଘଟିକା ସମୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ ବିଚିତ୍ରା ସହ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ ରବି ନାରାୟଣ ବେହେରା ଓ ବ୍ରଜ ମୋହନ ଆଚାର୍ଯ୍ୟଙ୍କ ଦ୍ବାରା ରଚିତ ଓ ନାଟ୍ୟକାର ରବି ନାରାୟଣ ବେହେରାଙ୍କ ନିର୍ଦ୍ଦେଶିତ ନାଟକ “ବନ୍ଦେ ମାତରମ୍” ଜିଲ୍ଲା ସଂସ୍କୃତି ଭବନ ଠାରେ ମଞ୍ଚସ୍ଥ ହୋଇଥିଲା । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଉପ ନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।