ହିଞ୍ଜିଳିକାଟୁ : ବିଦ୍ୟାଳୟର ୩ ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଏକକାଳୀନ ବଦଳି କରିବା ପରେ ଅସନ୍ତୋଷ ବୃଦ୍ଧି ପାଇଛି। ଜୈନିକା ଶିକ୍ଷୟତ୍ରୀଙ୍କ ବଦଳି ବାତିଲ କରିବା ନେଇ ଶିକ୍ଷାର୍ଥୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି। ଏଭଳି ଏକ ଘଟଣା ମଙ୍ଗଳବାର ହିଞ୍ଜିଳିକାଟୁ ବ୍ଲକ୍ ଆଲପୁର ଗ୍ରାମରେ ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ପ୍ରକାରେ, ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନ ଆଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିନାୟକ ସେଠୀଙ୍କ ସମେତ ୨ ଶିକ୍ଷୟତ୍ରୀ ପ୍ରଜ୍ଞା ପରିମିତା ଦାଶ ଓ ସୁନିତା ବେହେରାଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି କରାଯାଇଥିଲା। ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବଦଳି ଖବର ପ୍ରଚାରିତ ହେବା ପରେ ଶିକ୍ଷାର୍ଥୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ। ବିଦ୍ୟାଳୟ ଫାଟକରେ ତାଲା ପକାଇ ଶିକ୍ଷୟତ୍ରୀ ଶ୍ରୀମତୀ ଦାଶଙ୍କ ବଦଳି ବାତିଲ ଦାବି କରି ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।
ଖବର ପାଇ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟକାନ୍ତି ବେହେରା ଓ ୨ ମହିଳା କର୍ମଚାରୀ ବିଦ୍ୟାଳୟରେ ପହଞ୍ଚି ଧାରଣାରତ ଶିକ୍ଷାର୍ଥୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଶିକ୍ଷୟତ୍ରୀ ଶ୍ରୀମତୀ ଦାଶଙ୍କ ବଦଳି ବାତିଲ ଦାବି କରି ନିଜ ଜିଦରେ ଅଟଳ ରହି ମଙ୍ଗଳବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ କରାନଗଲେ ଧାରଣା ଜାରୀ ରହିବ ବୋଲି ଛାତ୍ର, ଛାତ୍ରୀ ମାନେ କହିଛନ୍ତି। ଏ ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧରଙ୍କୁ ପଚାରିବାରୁ ସେ କୁହନ୍ତି ଗତ ୩ ମାସ ପୂର୍ବେ ଜୈନିକା ଶିକ୍ଷୟତ୍ରୀ , ଅନ୍ୟ ଜଣେ ଶିକ୍ଷକଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ କରିଥିଲେ। ଅନ୍ୟ ପକ୍ଷରେ ସଂପୃକ୍ତ ଶିକ୍ଷୟିତ୍ରୀ ଜଣଙ୍କ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅଭିଯୋଗ କରିଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ନେଇ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ସଂପୃକ୍ତ ବିଦ୍ୟାଳୟର ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଇଥିବା ବେଳେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଆଗାମୀ ଦିନରେ ଆଉ ୨ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ ।