ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ଆପାତକାଳୀନ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗକୁ ବଢିଛି । ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସଡ଼କ ଦୁର୍ଘଟଣାରେ ତ୍ଵରିତ ଚିକିତ୍ସା ଯୋଗାଇ ଦେବା ପାଇଁ ଏକ ବୈଠକରେ ସମୀକ୍ଷା କରିଛନ୍ତି ।
ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ସଚିବ ଏମ୍ ଅଶ୍ଵଥି, ପରିବହନ କମିଶନର ଅମିତାଭ ଠାକୁର ଓ ଆଇଆଇଟି ମାଡ୍ରାସର ସଡ଼କ ସୁରକ୍ଷା କେନ୍ଦ୍ରର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଭେଙ୍କଟେଶ ବାଲାସୁବ୍ରମଣ୍ୟମ୍ ଉପସ୍ଥିତ ଥିଲେ ।
ପ୍ରଫେସର ଭେଙ୍କଟେଶ ବାଲାସୁବ୍ରମଣ୍ୟମ୍ ଜରୁରୀକାଳୀନ ଚିକିତ୍ସାକୁ ଗୁରୁତ୍ୱ ଦେଇ କହିଥିଲେ ଯେ, ଯେଉଁ ସବୁ ସୁବିଧା ଅଛି ସେ ସବୁର ନବୀକରଣ କରାଯିବାର ଆବଶ୍ୟକତା ରହିଛି । ଟ୍ରମା କେୟାର କେନ୍ଦ୍ରଗୁଡ଼ିକରେ ଉନ୍ନତ ଲାଇଫ ସପୋର୍ଟ ସିଷ୍ଟମ ବୃଦ୍ଧି କରିବାକୁ ପଡ଼ିବ । ସେହିପରି ଚିକିତ୍ସା ସେବାରେ ଠିକ୍ ସମୟରେ ସୁବିଧା ସୁନିଶ୍ଚିତ କରିବା ପାଇଁ ଟ୍ରମା କେୟାର ସେଣ୍ଟରଗୁଡ଼ିକ ବୃଦ୍ଧି ହେବା ଉଚିତ୍ । ଏଥିସହ ଟ୍ରମା କେୟାରରେ ଡାକ୍ତରୀ କର୍ମଚାରୀଙ୍କୁ ସ୍ବତନ୍ତ୍ର ତାଲିମ ଯୋଗାଇବାର ଆବଶ୍ୟକତା ରହିଛି ।
ଏହା ସହ ହସ୍ପିଟାଲ ଯିବା ପୂର୍ବର ସେବାକୁ ଗୁରୁତ୍ବ ଦିଆଯିବା ସହ ଜରୁରୀକାଳୀନ ଚିକିତ୍ସା ସେବା ଏବଂ ଆମ୍ବୁଲାନ୍ସ ସୁବିଧାକୁ ତ୍ଵରିତ କରାଯିବ । ସେହିପରି ଏହି ସମୟରେ ଶୀଘ୍ର ରେସପନ୍ସ କିଭଳି ମିଳିପାରିବ ସେନେଇ ମଧ୍ୟ ଗୁରୁତ୍ବ ଦିଆଯିବ । ଏ ସବୁ ସହ ସରକାରୀ ଏଜେନ୍ସି, ଚିକିତ୍ସା ପ୍ରତିଷ୍ଠାନ ଏବଂ ଜରୁରୀକାଳୀନ ସେବା ମଧ୍ୟରେ ସହଯୋଗ ଓ ସମନ୍ୱୟ କିଭଳି ରହିବ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ।
ଜୀବନ ବଞ୍ଚାଇବା ଦିଗରେ ଏକ ପଦକ୍ଷେପ
ଏହି ପଦକ୍ଷେପ କାର୍ଯ୍ୟକାରୀ କରି ମୃତ୍ୟୁ ହାର ହ୍ରାସ କରିବା ଏବଂ ସଡ଼କ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ରୋଗୀର ତ୍ଵରିତ ଚିକିତ୍ସାକୁ ସୁଦୃଢ଼ କରିବା ଓଡ଼ିଶାର ଲକ୍ଷ୍ୟ । ଜରୁରୀକାଳୀନ ଆଘାତ ଚିକିତ୍ସା ବୃଦ୍ଧି ପାଇଁ ରାଜ୍ୟର ପ୍ରତିବଦ୍ଧତା ଏହାର ନାଗରିକଙ୍କ ସୁରକ୍ଷା ତଥା କଲ୍ୟାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।