ଭୁବନେଶ୍ଵର: ଆସନ୍ତା ୨୨ ତାରିଖରେ ବେଟି ବଚାଓ ବେଟି ପଢ଼ାଓ ଉତ୍ସବ । କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର ଭାବେ ପାଳିତ ହେବ ଏହି ଉତ୍ସବ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏହାର ଆୟୋଜନ କରିବ । ଏନେଇ ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜକୁ ଉଚ୍ଚ ଶିକ୍ଷା ବିଭାଗର ଚିଠି । ବେଟି ବଚାଓ ବେଟି ପଢ଼ାଓର ୧୦ ବର୍ଷ ପୂର୍ତ୍ତି ଅବସରରେ ଏହି ଉତ୍ସବ ପାଳନ ହେବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।
ବେଟି ବଚାଓ ବେଟି ପଢ଼ାଓ ଭାରତ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା । ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି ହେଉଛି ଏହି ଯୋଜନାର ଲକ୍ଷ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୨ ଜାନୁଆରୀ ୨୦୧୫ରେ ହରିଆଣାର ପାନିପଥଠାରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ୨୦୧୧ ସେନସସ ତଥ୍ୟ ଅନୁସାରେ ଭାରତରେ ଶିଶୁମାନଙ୍କ ଲିଂଗ ଅନୁପାତ ପ୍ରତି ୧୦୦୦ଟି ପୁଅଙ୍କ ମଧ୍ୟରେ ୯୨୭ ଜଣ ଝିଅ ଥିଲେ । ୨୦୧୨ମସିହାରେ ୟୁନିସେଫର ଏହି ରିପୋର୍ଟ ଭାରତକୁ ବିଶ୍ୱର ୧୯୫ଟି ଦେଶ ମଧ୍ୟରେ ୪୧ତମ ସ୍ଥାନ ଦେଇଛି । ଶିଶୁ କନ୍ୟା ପାଇଁ ଲିଂଗଗତ ଅସମାନ୍ୟତା ଦୂର କରିବା ସମାଜରେ ତିଷ୍ଠିରହିବା ଏବଂ ସୁରକ୍ଷା ନିଶ୍ଚିତ କରିବା , ଶିକ୍ଷିତ କରିବା, ପୁଷ୍ଟିକରଣରେ ଉନ୍ନତି, ଏବଂ ଏକ ପାରିପାର୍ଶ୍ୱିକ ସୁରକ୍ଷା ଯୋଗାଇବା ଆଦି ପ୍ରଧାନ ବୈଶିଷ୍ଟ୍ୟ ଅଟେ ।