ଭାଗଚାଷୀଙ୍କୁ କ୍ଷତି ପୂରଣ ଦାବିରେ ସାନଖେମୁଣ୍ଡି ତହସିଲ ଅଫିସ ଠାରେ ବିକ୍ଷୋଭ….

ବ୍ରହ୍ମପୁର //ସାନଖେମୁଣ୍ଡି, ତା. ୧୪. ୧. ୨୦୨୫ରିଖ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଭାଗ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବୀ ନେଇ ଆଜି ଆଞ୍ଚଳିକ କୃଷକ ସଂଗଠନ ଓ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ମିଳିତ ଆନୁକୂଲ୍ୟରେ ସାନଖେମୁଣ୍ଡି ତହସିଲ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ଯୋଗ୍ୟ ଯେ,ଗତ ମାସ ୨୦ ତାରିଖରୁ ଓଡିଶାର କିଛି ଜିଲ୍ଲାରେ ଅଦିନିଆ ଲଗାଣ ଲଘୁଚାପ ବର୍ଷାରେ ଚାଷୀର ବର୍ଷଯାକର ଫସଲ ଯଥା ଧାନ, ମୁଗ, କାନ୍ଦୁଲ, ବିରି, କୋଳଥ ତଥା ପନିପରିବା ଏହି ଅଦିନିଆ ବର୍ଷାରେ ନଷ୍ଟ ହେଇଯାଇଛି। ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଅଂଚଳରେ ବି ସମ ଦଶା ଭୋଗିବାକୁ ପଡିଛି ଚାଷୀ ଓ ଭାଗ ଚାଷୀଙ୍କୁ l ଚାଷୀ ଯାହା ବି ଧାନ କାଟିଥିଲେ ତାହା ଏହି ଝିପି ଝିପି ଲଘୁଚାପ ବର୍ଷାରେ ଗଜା ହୋଇଗଲା l ଯେଉଁ ସାହୁକାର ବା ମହାଜନୀ ଠାରୁ ଋଣ କରି ଚାଷୀ ତା’ ବିଲରେ ଅର୍ଥ ବିନିଯୋଗ କରିଛନ୍ତି ,ସେହି ଋଣ କେମିତି ସୁଝିବ ବୋଲି ଚାଷୀ ହତାଶ ହୋଇଛି l ଅନ୍ୟପଟେ ସବୁଠାରୁ ସ୍ବର୍ବସ୍ବାନ୍ତ ହେଉଛି ଭାଗଚାଷୀ। ଭାଗ ଚାଷୀ ଅନ୍ୟର ଜମିରେ ଚାଷ କରେ, ଚାଷ ପାଇଁ ସେ କରିଥିବା ଋଣ ବର୍ତମାନ କିପରି ସୁଝିବ! ତାହା ଚାଷୀ ଭାବି ପାରୁନାହିଁ l ଯଦି ବି ସରକାର କ୍ଷତିପୂରଣ ଦେବେ ତାହା ଜମି ମାଲିକଙ୍କୁ ହିଁ କ୍ଷତିପୂରଣ ମିଳିପାରେ କାରଣ ତା’ ପାଖରେ ଜମିର ମାଲିକାନା ପଟ୍ଟା ରହିଛି l କିନ୍ତୁ କୌଣସି ଭାଗଚାଷୀର ପ୍ରମାଣ ପତ୍ର ନାହିଁ। ଯଦ୍ୱାରା ଖରା, ବର୍ଷାରେ ରକ୍ତକୁ ଝାଳ କରି ଖଟି ଖଟି ଫସଲ ଉତ୍ପାଦନ କରୁଥିବା ଭାଗଚାଷି ବିଚରା କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ସରକାର ବିଳମ୍ବ ନକରି ଚାଷୀଙ୍କ ସଙ୍କଟ ସମୟରେ ଚାଷୀଙ୍କ ପାଖରେ ଛିଡା ହେବା ସହ ତୁରନ୍ତ ନଗଦ ଟଙ୍କା ସିଧାସଳଖ ଭାଗଚାଷୀ ଓ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରିଲେ ଚାଷୀ କିଛିଟା ଚିନ୍ତାମୁକ୍ତ ହୋଇପାରିବ ଓ ଚାଷୀ ମୁହଁରେ ହସ ଫୁଟି ପାରିବ ବୋଲି ଆଞ୍ଚଳିକ କୃଷକ ସଂଗଠନ ଓ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ସାନଖେମୁଣ୍ଡି ଆଞ୍ଚଳିକ କମିଟି ପକ୍ଷରୁ ପ୍ରମୁଖ ଦାବି ନେଇ ସାନଖେମୁଣ୍ଡି ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l ଅଦିନିଆ ଲଗାଣ ଲଘୁଚାପ ବର୍ଷାରେ ଧାନ, ମୁଗ, ବିରି, କୋଳଥ, କାନ୍ଦୁଲ ଆଦି ନଷ୍ଟ ହୋଇଥିବା ଯୋଗୁଁ ତୁରନ୍ତ ଏକର ପ୍ରତି ୩୦,୦୦୦ ଟଙ୍କା ନଗଦ କ୍ଷତିପୂରଣ ପ୍ରଦାନ,ତୁରନ୍ତ ଭାଗ ଚାଷୀଙ୍କୁ ଚି଼ହ୍ନଟ କରି ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରିବା,ପନିପରିବା ଚାଷୀଙ୍କୁ ଏକର ପ୍ରତି ୨୫,୦୦୦ ଟଙ୍କା ତୁରନ୍ତ ପ୍ରଦାନ,ମହାଜନୀ ଓ ସରକାରୀ ଋଣ ନେଇ ଚାଷ କରିଥିବା ସମସ୍ତ ଋଣ ଛାଡ଼ କରିବା ସହିତ ନୂତନ ଭାବେ ସମବାୟ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କରୁ ଋଣ ପ୍ରଦାନ କରିବା,ଭାଗଚାଷୀ ଓ ଚାଷୀଙ୍କୁ ବିହନ, ସାର, କୀଟନାଶକ ଆଦି ଯୋଗାଇବା,ଭାଗଚାଷୀଙ୍କୁ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜିକରଣ କରିବା,ସରକାରଙ୍କ ତରଫରୁ ବର୍ତ୍ତମାନ ଜମି ବନ୍ଦବସ୍ତ (ସେଟେଲମେଣ୍ଟ) ହାଇଟେକ ନାଁରେ ଜିଓ କମ୍ପାନୀ ଦ୍ୱାରା ସାଧାରଣ ଲୋକଙ୍କ ଠାରୁ ପ୍ରଚୁର ବେଆଇନ ଅର୍ଥ ହଡ଼ପ ବନ୍ଦ କରିବା ,ଗଞ୍ଜାମ ଜିଲ୍ଲାର ଜୀବନରେଖା ରୁଷିକୂଲ୍ୟା ନଦୀର ପାଣିକୁ ଟାଟା ଓ ଅନ୍ୟନ୍ୟ କମ୍ପାନୀକୁ ଦେବା ପାଇଁ ହେଉଥିବା ପ୍ରସ୍ତାବିତ ପିପଳପଙ୍କା ଡ୍ୟାମ ବାତିଲ ଆଦି ଆଠ ଦଫା ଦାବିନେଇ ଆଜି ଆୟୋଜିତ ବିକ୍ଷୋଭରେ ସାନଖେମୁଣ୍ଡିର ଆଞ୍ଚଳିକ କୃଷକ ସଂଗଠନର ନେତା ସାଥି ଉମାକାନ୍ତ ପଟ୍ଟନାୟକ,ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ସାଥି ନିରାକାର ନାୟକ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବି ଅବନୀ ଗୟା, ସମାଜସେବୀ ତ୍ରିନାଥ ମହାନ୍ତି, ରବୀନ୍ଦ୍ର ଦଳେଇ, ନମଶିବା ନାୟକ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ପଂଚାୟତର ଶହ ଶହ ଭାଗଚାଷୀ ଅଂଶ ଗ୍ରହଣ କରିଥିଲେ l

nis-ad
Leave A Reply

Your email address will not be published.