ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଏନଏସିର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନଏସିରେ ଆଜି ନୂତନ ନିର୍ବାହୀ ଅଧିକାରୀ ଭାବେ ସହକାରୀ ଜିଲ୍ଲାପାଳ ମୁନା ତୁରୁକ ବିଧିବଦ୍ଧ ଭାବେ ଦାୟୀତ୍ବ ଗ୍ରହଣ କରିଛନ୍ତି। ସେହିପରି ପୁର୍ବତନ ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର ଏଠାରୁ ବଦଳି ହେବା ପରେ ସେ ଆସିକା ଏନଏସିରେ ନିର୍ବାହୀ ଅଧିକାରୀ ଭାବେ ଯୋଗ ଦେଇଛନ୍ତି।ଏହି ଅବସରରେ ଉତ୍କଳ ସାମ୍ବାଦିକ ସଂଘ କୋରୁକୋଣ୍ଡା ଶାଖା ପକ୍ଷରୁ ସଭାପତି ଶିବଦତ୍ତ ସାହୁଙ୍କ ନେତୃତ୍ୱରେ ସଂଘ କର୍ମକର୍ତ୍ତା ମାନେ ବାଲିମେଳା ସହରରେ ଦୀର୍ଘଦିନ ଧରି ଲାଗି ରହିଥିବା ବିଭିନ୍ନ ମୌଳିକ ସମସ୍ୟାର ଆଶୁ ସମାଧାନ ନିମନ୍ତେ ଏକ ୮ ଦଫା ସମ୍ବଳିତ ଦାବିପତ୍ର ବାଲିମେଳା ଏନଏସିର ନିର୍ବାହୀ ଅଧିକାରୀ ମୁନା ତୁରୁକଙ୍କୁ ପ୍ରଦାନ କରାଯାଇଛି। ତେବେ ବାଲିମେଳା ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିଭିନ୍ନ ସମସ୍ୟା ଗୁଡ଼ିକ ମଧ୍ୟରେ ଅଞ୍ଚଳର ସୁରକ୍ଷାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ସ୍ଥାନୀୟ ପୋଲିସ ଓ ପ୍ରଶାସନର ମିଳିତ ଉଦ୍ୟମରେ ସିସିଟିଭି କ୍ୟାମେରା ଲଗା ଯାଇଥିଲା।ଯାହା ଏବେ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡିକ ସମ୍ପୂର୍ଣ୍ଣ ରୂପେ ଅଚଳ ହୋଇ ଲାଗିରହିଛି।ବାଲିମେଳା ସହରରେ ଜନବସତି ଦିନକୁ ଦିନ ବୃଦ୍ଧି ପାଇବା , ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଯାତାୟତ ସହ ବାଲିମେଳା ସହର ଜନଗହଳିରେ ପରିପୂର୍ଣ୍ଣ ହେଉଥିବା ହେତୁ ପ୍ରତ୍ୟେକ ମୁଖ୍ୟ ଛକରେ ଟ୍ରାଫିକ ପୋଷ୍ଟ ସହ ଲାଇଟ୍ ବ୍ୟବସ୍ଥା କରାଯାଉ। ସହରରେ ପରିମଳ ବ୍ୟବସ୍ଥାର ସୁପରିଚାଳନା କରାଯାଉ। ଭିନ୍ନ ଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଥିବା ଥଣ୍ଡା ପାନୀୟଜଳ(ଆରୋ) ଗୁଡିକ ଅଚଳ ହୋଇପଡିଛି। ଲୋକଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟଜଳ ଯୋଗାଣ ସୁଚାରୁ ରୁପେ ଯୋଗାଇ ଦିଆଯାଉ। ସହରର ଆବଶ୍ୟକ ସ୍ଥାନରେ ଅଧିକ ଆଲୋକୀକରଣ କରାଯାଉ।ରାସ୍ତା ପାର୍ଶ୍ବରେ ବସୁଥିବା ଉଠା ଦୋକାନୀଙ୍କୁ ଭେଣ୍ଡିଙ୍ଗ ଜୋନ ଯୋଗାଇ ଦେଇ ସେମାନଙ୍କୁ ଥଇଥାନ କରାଯାଉ। ନୂତନ ବସଷ୍ଟାଣ୍ଡ ପରିସରରେ ଥିବା ଖାଲଖମାକୁ ତୁରନ୍ତ ମରାମତି କରିବା ନିତ୍ୟାନ୍ତ ଆବଶ୍ୟକ ରହିଛି। ବାଲିମେଳା ସହରର ପ୍ରତ୍ୟେକ ମୁଖ୍ୟ ରାସ୍ତାରେ ବୁଲା ଗାଈଗୋରୁ ରାସ୍ତା ଅବରୋଧ କରିବା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିବା ନଜିର ରହିଛି।ଏଣୁ କାଞ୍ଜିଆହୁଦା ସହ ଏହାର ତ୍ୱରିତ ସମାଧାନ କରାଯାଉ ବୋଲି ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବି ଜଣାଇବା ପରେ ଆଗାମୀ ଦିନରେ ସମସ୍ତ ସମସ୍ୟା ସମ୍ପର୍କରେ ନିରୀକ୍ଷଣ କରି ସମାଧାନ କରିବା ପାଇଁ ଉଦ୍ୟମ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ତୁରୁକ ପ୍ରତିଶ୍ରୁତି ଦେଇଛନ୍ତି।ଦାବୀ ପତ୍ର ପ୍ରଦାନ ସମୟରେ ଉତ୍କଳ ସାମ୍ବାଦିକ ସଂଘର ସମ୍ପାଦକ ପ୍ରଦୀପ କୁମାର ମହାରଣା,ବରିଷ୍ଠ ସାମ୍ବାଦିକ ନିରଞ୍ଜନ ମଲ୍ଲ, ଦେବାଶିଷ ପାତ୍ର ଓ ସଂଘର ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.