ଆଦିବାସୀ ମେଳା ଉଦଘାଟିତ

ଭୁବନେଶ୍ଵର: ଉଦଘାଟନ ହେଲା ଭୁବନେଶ୍ୱର ଆଦିବାସୀ ମେଳା । ଭୁବନେଶ୍ବରର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଆଦିବାସୀ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଆଦିବାସୀ ମେଳା । ମେଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଦିବାସୀମାନଙ୍କ ଦ୍ବାରା ଉତ୍ପାଦିତ ବିଭିନ୍ନ ଜିନିଷ ବହୁତ ସୁନ୍ଦର ଏବଂ ସେମାନେ ଯେଉଁ ମାଣ୍ଡିଆ, ହଳଦୀ, ଅଦା, ଡାଲିଜାତୀୟ ଖାଦ୍ୟ, ଆଳୁ ପ୍ରଭୁତି ଉତ୍ପାଦନ କରୁଛନ୍ତି, ତାହାର ସ୍ବାଦ ମଧ୍ୟ ଭିନ୍ନ। ଏହି କାରଣରୁ ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ଖାଦ୍ୟଶସ୍ୟ ଦେଶ ବିଦେଶରେ ଆଦୃତ ହୋଇଛି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଗକୁ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ଦିବସ’ ଓ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ଦେଶବିଦେଶରୁ ଅନେକ ଅତିଥି ଭୁବନେଶ୍ବର ଆସିବେ। ସେମାନେ ଏହି ଆଦିବାସୀ ମେଳାକୁ ବୁଲିବାକୁ ଆସିବେ। ଯାହାଦ୍ଵାରା ଓଡ଼ିଶାର ଆଦିବାସୀ ସଂସ୍କୃତି ଦେଶ-ବିଦେଶରେ ପ୍ରଚାରିତ ହେବ। ତେବେ ଏଥର ମେଳାରେ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, କଳା ଓ ହସ୍ତଶିଳ୍ପ ଗ୍ରାମ, ଜନଜାତି ଖାଦ୍ୟ ଫୁଡ୍‌ କୋର୍ଟ, ଲାଇଭ ଡେମନଷ୍ଟ୍ରେଶନ, ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ ମୁଖ୍ୟ ଆକର୍ଷଣ ପାଲଟିଛି । ଚଳିତ ବର୍ଷ ୨୦ଟି ଆଦିବାସୀ କୁଟିର ନିର୍ମାଣ କରାଯାଇଥିବାବେଳେ ୧୪୭ଟି ଷ୍ଟଲରେ ଆଦିବାସୀ ସାମଗ୍ରୀ ବିକ୍ରିବଟା ହେବ। ଏଥିସହ କଳା ଓ ହସ୍ତଶିଳ୍ପ ଗ୍ରାମ ପାଇଁ ୪୦ଟି ଷ୍ଟଲ ପ୍ରସ୍ତୁତ ହୋଇଥିବାବେଳେ ୧୫ ଷ୍ଟଲରେ ଲାଇଭ ଡେମନଷ୍ଟ୍ରେଶନ ସୁବିଧା ରହିଛି ।

ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ ଗ୍ୟାଲେରିରେ ବିର୍ସା ମୁଣ୍ଡାଙ୍କ ଜୀବନୀ, ଦେଶର ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଗ୍ୟାଲେରି, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର୍‌ ଓ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍‌ ଶୋ’, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ ଶୋ’, ଓଡ଼ିଶାର ଜନଜାତି ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଷିତ ଲାଇଟ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’, ଫ୍ୟାଶନ ଶୋ’ ଏବଂ ଫାୟାର୍‌ ୱାର୍କ ଶୋ’ ଆଦି ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ଜାନୁଆରି ୨୬ରୁ ଏହି ମେଳା ଆରମ୍ଭ ହୋଇଥାଏ। କିନ୍ତୁ ଚଳିତ ମାସ ଭୁବନେଶ୍ବରରେ ୨ଟି ବିଶ୍ବସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଗୁଆ ମେଳା କରାଯାଇଛି। ଆସନ୍ତା ୮ ତାରିଖ ଠାରୁ ଭୁବନେଶ୍ଵରରେ ‘ପ୍ରବାସୀ ଭାରତୀୟ ଦିବସ’ ଓ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ ଆୟୋଜନ ହେବ। ତେଣୁ ଆଜିଠୁ ଆରମ୍ଭ ହୋଇଛି ଆଦିବାସୀ ମେଳା ।

nis-ad
Leave A Reply

Your email address will not be published.