ସହର ତଳି ଅଞ୍ଚଳ ବ୍ରହ୍ମପୁର ମହାନଗର ନିଗମରେ ମିଶିବ ଓ ବୃହତ୍ତର ବ୍ରହ୍ମପୁର ମହାନଗର ନିଗମ ଗଠନ ହେବ

ବ୍ରହ୍ମପୁର : ଆଜି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ବ୍ରହ୍ମପୁର ଗସ୍ତ ସମୟରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ନେତୃତ୍ଵରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତନିଧି ମଣ୍ଡଳୀ ମନ୍ତ୍ରୀଙ୍କୁ ବିଡ଼ିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକ ଅବସରରେ ସାକ୍ଷାତ କରି ସହର ତଳି ଅଞ୍ଚଳ ଓ ୨୦୦୮ ଗେଜେଟ ବିଜ୍ଞପ୍ତି ଅନୁଯାୟୀ ୧୮ ଟି ପାର୍ଶ୍ଵବର୍ତ୍ତୀ ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ନେଇ ଏକ ଦାବୀ ପତ୍ର ପ୍ରଦାନ ସହ ଏ ନେଇ ଆଲୋଚନା କରିଥିଲେ। ମନ୍ତ୍ରୀ ସ୍ମାରକ ପତ୍ର ଗ୍ରହଣ କରି ଆପଣ ମାନେ ମହାନଗର ନିଗମରେ ମିଶିବାକୁ ଚାହୁଁଛନ୍ତି ମୁଁ ଅବଗତ ଅଛି। ଖୁବ୍ ଶୀଘ୍ର ସହର ସନ୍ନିକଟ ଓ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତକୁ ମହାନଗର ନିଗମରେ ସାମିଲ କରିଦିଆଯିବ। ଏବଂ ଆଜି ଠାରୁ ଏହା ହେଇଗଲା ବୋଲି ଧରି ନିଅନ୍ତୁ ବୋଲି ସମସ୍ତଙ୍କ ଉପସ୍ଥିତିରେ କହିଥିଲେ। ସମ୍ମିଳନୀ କକ୍ଷରେ ଉପସ୍ଥିତ ଥିବା ବିଏମସି କମିଶନରଙ୍କୁ ଡାକି ଏ ବିଷୟ ପଚାରିବା ସହ ସହର ସନ୍ନିକଟ ଅଞ୍ଚଳ ଉନ୍ନୟନ ଓ ବିକାଶ ନିମନ୍ତେ ଯାହା ଆବଶ୍ୟକ ତାହା ଆଜିଠାରୁ ସେ ଅଞ୍ଚଳରେ ଆରମ୍ଭ କରନ୍ତୁ ବୋଲି ନିର୍ଦ୍ଧେଶ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ଗଞ୍ଜାମ ଜିଲ୍ଲାପାଳଙ୍କୁ ଡାକି କମିଟିର ଦାବୀ ଅନୁଯାୟୀ ସହର ତଳି ଅଞ୍ଚଳକୁ ମିଶେଇ ଦେଇ ମୋ ପାଖକୁ ତୁରନ୍ତ ପ୍ରୋପୋଜାଲ ପ୍ରସ୍ତୁତ କରି ପଠାନ୍ତୁ ମୁଁ ତାହାକୁ ଅନୁମୋଦନ କରିବି ବୋଲି କହିଥିଲେ। କମିଟି ପକ୍ଷରୁ ୨୦୦୮ ଗେଜେଟ ନୋଟିଫିକେସନ୍ , ପଞ୍ଚାୟତ ରେଜୋଲୁସନ ଓ ଏ ନେଇ ରହିଥିବା ହାଇ କୋର୍ଟଙ୍କ ନିର୍ଦ୍ଧେଶ ଏବଂ ହାଇ କୋର୍ଟଙ୍କ ନିର୍ଦ୍ଧେଶ ପ୍ରକାରେ ମିଶ୍ରଣ ନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତି ଆଦି ବିଷୟ ନେଇ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଆଜିର ଉଲ୍ଲେଖନୀୟ ବିଷୟ ହେଲା ମନ୍ତ୍ରୀଙ୍କ ଦ୍ଵାରା ବ୍ରହ୍ମପୁର ବିଡ଼ିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ସାଂସଦ ଡ ପ୍ରଦୀପ ପାଣିଗ୍ରାହୀ ଓ ଗୋପାଳପୁର ବିଧାୟକ ତଥା ମନ୍ତ୍ରୀ ବିଭୂତି ଭୂଷଣ ଜେନା ମନ୍ତ୍ରୀଙ୍କ ନିକଟରେ ସହର ତଳି ଅଞ୍ଚଳ ମିଶ୍ରଣ ନେଇ ଦୃଢ଼ ଯୁକ୍ତି ଉପସ୍ଥାପନ କରିବା ସହ ଏ ନେଇ ପଦକ୍ଷେପ ନେବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ବ୍ରହ୍ମପୁରର ଅଭିବୃଦ୍ଧି ନେଇ ସ୍ଥାନୀୟ ଜନପ୍ରତିନିଧି ଙ୍କ ଆଗ୍ରହ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଉକ୍ତି ଓ ପ୍ରତିଶ୍ରୁତି ପରେ ସହର ତଳି ଅଞ୍ଚଳ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ହୋଇ ପୂର୍ଣ୍ଣାଙ୍ଗ ମହାନଗର ନିଗମ ଗଠନର ରାସ୍ତା ସୁଗମ ହେବା ସହ ଆଶା ଉଜ୍ଜଳ ହେଇଛି ଏବଂ ଏ ନେଇ ଆଗକୁ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ଆଶା କରାଯାଉଛି। ସେହିପରି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଦୀର୍ଘ ଦିନର ଦାବୀ, ଉଦ୍ୟମ, ସ୍ୱପ୍ନ ଓ ସଂଘର୍ଷର ପ୍ରୟାସ ସାକାର ହେବାକୁ ଯାଉଥିବାରୁ କମିଟି ପକ୍ଷରୁ ଖୁସି ବ୍ୟକ୍ତ କରାଯାଉଛି। ଏଥି ନିମନ୍ତେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ସହ ସ୍ଥାନୀୟ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ସାଧୁବାଦ ଜଣାଯାଇଛି । କମିଟି ପକ୍ଷରୁ ଆଶା କରାଯାଇଛି ଯେ ଖୁବ୍ ଶୀଘ୍ର ସହର ତଳି ଅଞ୍ଚଳ ମିଶ୍ରଣ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିବେ। ଆଜିର ଦାବୀ ପତ୍ର ପ୍ରଦାନ ସମୟରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ସହ ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ଉପ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ,ସହ ସଂଯୋଜକ କାହ୍ନୁ ଚରଣ ପତି, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, ସହ କୋଷାଧ୍ୟକ୍ଷ ସୁନିଲ ପାତ୍ର ଓ ଉପଦେଷ୍ଟା କାଳିନ୍ଦୀ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.