ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତର ସିଙ୍ଗମିଲା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହ ନେଲା ଉଗ୍ର ଋପ । ବାପାର ଛୁରା ମାଡ଼ରେ ପୁଅର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେପଟେ ହତ୍ୟାକାରୀ ବାପା ବାଲିଗୁଡ଼ା ପୋଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ମୃତକ ୨୦ ବର୍ଷର ପୁଅ ଜିତେନ୍ଦ୍ର ମଲ୍ଲିକ ହୋଇଥିବା ବେଳେ ହତ୍ୟାକାରୀ ବାପା ପ୍ରାଣେଶ୍ବର ମଲ୍ଲିକ ହୋଇଥିବା ସୂଚନା ମିଳିଛି ।
ସୂଚନା ପ୍ରକାରେ ବାପ ପୁଅଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ଲାଗେ । ଶନିବାର ସକାଳୁ ସକାଳୁ କୌଣସି କାରଣରୁ ନେଇ ପୁଣି ବାପ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ଉଗ୍ର ହୋଇଥିଲା ଯେ, ଉତ୍ୟକ୍ତ ବାପା ପ୍ରଣେଶ୍ବର ଛୁରୀରେ ପୁଅ ଜିତେନ୍ଦ୍ରର ପେଟକୁ ଆକ୍ରମଣ କରିଥିଲା । ଜୀବନ ବିକଳରେ ଜିତେନ୍ଦ୍ର ସେଠାରୁ ଦୌଡ଼ି ଆସି ସମ୍ପର୍କୀୟଙ୍କ ଘରେ ପହଁଚିବା ପରେ ସେଠାରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଁଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ବାଲିଗୁଡା ପୋଲିସ୍ ।