ପାକଶାଳା ବଗିଚା ପ୍ରଶିକ୍ଷଣ ଶିବିର

ସୁନ୍ଦରଗଡ : ଆଜିର ସମାଜରେ ନିଜ ବାଡ଼ି ବଗିଚାରେ ପନିପରିବା ନିଜେ ଲଗାଇ ତାର ଯତ୍ନ ନେଇ ତାକୁ ପାକଶାଳା ପର୍ଯ୍ୟନ୍ତ ଆଣି ନିଜ ଖାଦ୍ୟଥାଳିରେ ଆଣିବା ଏକ ଦୁରୁହ ବ୍ୟାପାର ହୋଇ ଗଲାଣି। ଆଗରୁ ନିଜ ବାଡ଼ି ବଗିଚାରେ ପନିପରିବା ଉତ୍ପାଦନ ପାଇଁ ଲୋକେ ଗର୍ବ ଅନୁଭବ କରୁଥିଲେ। ନିଜ ପରିବାରର ପାକଶାଳା ମୁତାବକ ପନିପରିବା ଗୋଟେ ପରିବାର ନିଜ ବଗିଚାରେ କିପରି କରିବେ ତା ପାଇଁ ଆଜି ଆବଶ୍ୟକ ଅଛି ସଚେତନତା ସୃଷ୍ଟି କରିବାର। ଏହି ଆଭିମୁଖ୍ୟକୁ ସମାଜରେ ପ୍ରଚାର ଓ ପ୍ରସାର କରିବା ପାଇଁ ଆଗେଇ ଆସିଛି ସଦରଥାନା ନିକଟସ୍ଥ ବନ୍ଧପାଲି ଗ୍ରାମର ସ୍ବେଚ୍ଛାସେବୀ ଅନୁଷ୍ଠାନ ” ସକ୍ଷମ”। କିରେଇସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ତତ୍ତ୍ଵାବଧାନରେ ଓ ସକ୍ଷମ ଅନୁଷ୍ଠାନର ସହଯୋଗରେ ସିଆଁବାହାଲ ଗ୍ରାମରେ ୩୫ ଜଣ ଚାଷୀଙ୍କୁ ନେଇ ଅନୁଷ୍ଠିତ ହୋଇ ଯାଇଛି ପାକଶାଳା ବଗିଚା ପ୍ରଶିକ୍ଷଣ ଶିବିର। ସକ୍ଷମ ଅନୁଷ୍ଠାନର ସଭାପତି ଉମେଶ ବାବୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶିବିରରେ କୃଷି ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡଃ. ଲକ୍ଷିପ୍ରୀୟା ପ୍ରଧାନ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ ଓ ଉପସ୍ଥିତ ଗ୍ରାମବାସୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଡଃ. ପ୍ରଧାନ ପାକଶାଳା ବଗିଚାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସେ ପ୍ରାକୃତିକ ଉପାୟରେ ଚାଷ ଓ ବଗିଚା କରିବାର ଶୈଳୀ ବିଷୟରେ ଗହନ ବିଚାରବିମର୍ଷ କରି ସେମାନଙ୍କୁ ଏହି ପଦ୍ଧତି ଅବଲମ୍ବନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ଏହା ସହିତ ଡଃ. ପ୍ରଧାନ ଜଣେ ଚାଷୀଙ୍କ ପ୍ରସ୍ତୁତ ହୋଇଥିବା ବଗିଚାକୁ ଯାଇ ବିଭିନ୍ନ ପ୍ରକାରର ପରିବା ଚାରା ରୋପଣ ପ୍ରଣାଳୀ ବୁଝାଇବା ସହିତ ଉନ୍ନତ ମାନର ବିହନ ବିତରଣ କରିଥିଲେ। ସକ୍ଷମ ଅନୁଷ୍ଠାନର ଉପସଭାପତି କଳାକୃଷ୍ଣ ଓରାମ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.