ନାଟକରେ ଅପସଂସ୍କୃତି ଏକ ଧର୍ତ୍ତବ୍ୟ ଅପରାଧ : ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂଘ

ବ୍ରହ୍ମପୁର : ମା’ କୁରେଈଶୁଣି ଲୋକ ନାଟ୍ୟ ନିର୍ଦ୍ଦେଶକ ସଂଘ ତରଫରୁ ସାମ୍ପ୍ରତିକ ନାଟ୍ୟ ପରିବେଷଣ କ୍ଷେତ୍ରରେ ଦେଖା ଦେଇଥିବା ଅପସଂସ୍କୃତି ଘେନି ଘୋର ଉଦବେଗ ପ୍ରକାଶ ପାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ତଥା ନିର୍ଦ୍ଦେଶକ ସଙ୍ଘ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ସଭାପତିତ୍ୱରେ ସ୍ଥାନୀୟ ଗିରି ରୋଡ଼ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ପରିସରରେ ଅନୁଷ୍ଠିତ ବୈଠକରେ ସୀମାନ୍ତ ନାଟରାଜ ଡ଼ା. ତିରୁପତି ସାହୁ ମୁଖ୍ୟ ଅତିଥି, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଉଦୟ ନାଥ ମହାରଣା ଓ ପ୍ରାକ୍ତନ ସଂଘ ସଭାପତି ଗୁରୁ ଜି. ରାଜେନ୍ଦ୍ର ରେଡ୍ଡୀ ସମ୍ମାନିତ ଅତିଥି ଏବଂ ସଂଘ ସଭାପତି ଗୁରୁ ଧର୍ମରାଜ ସ୍ୱାଇଁ ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ସାମ୍ପ୍ରତିକ ନାଟକରେ ଦେଖାଯାଉଥିବା ଅନାବଶ୍ୟକ ଅଶ୍ଳୀଳ ପ୍ରଦର୍ଶନ, ବନ୍ୟ ଓ ସର୍ପାଦି ପ୍ରାଣୀଙ୍କ ମଞ୍ଚ ପ୍ରଦର୍ଶନ, ରାକ୍ଷସ ଚରିତ୍ରର ଜୀବନ୍ତ କୁକୁଡ଼ା, ବତକ, ଛେଳି, ଘୁଷୁରୀ ଆଦିଙ୍କୁ ମାରି ରକ୍ତ-ମାଂସ ଭକ୍ଷଣର ବିଭତ୍ସ ଦୃଶ୍ୟ ସହ ସର୍ବଗ୍ରାହ୍ୟ ଆଦର୍ଶ ଚରିତ୍ରରେ ଅଶୋଭନୀୟ ଅଭିନୟ ପ୍ରଦର୍ଶନ ପରିପ୍ରେକ୍ଷିରେ ଉଦବେଗ ଓ କ୍ଷୋଭ ପ୍ରକାଶ ସହିତ ଘୋର ନିନ୍ଦା କରାଯାଇଥିଲା। ଉପସ୍ଥିତ ନାଟ୍ୟ ଗୁରୁମାନଙ୍କୁ ନିଜ ନିଜ ନାଟକ ଅପସଂସ୍କୃତି ମୁକ୍ତ ରଖିବା ନିମନ୍ତେ ଅଧ୍ୟକ୍ଷ ଶପଥ କରାଇଥିଲେ। ଅପସଂସ୍କୃତି ରୋକିବା କ୍ଷେତ୍ରରେ ସରକାରୀ କଳ ଓ ସ୍ଥାନୀୟ ପ୍ରସାଶନର ଅଙ୍କୁଶ ରହିବା ଆବଶ୍ୟକତା ସପକ୍ଷରେ ସର୍ବଶ୍ରୀ ଗୁରୁ ଗୋପାଳ ସେଠୀ, ସନାତନ ନାୟକ, ଇନ୍ଦ୍ରମଣି ଶାସମଲ୍, ଶଙ୍କର୍ଷଣ ବେହେରା, ଗୁରୁପ୍ରସାଦ ଦୀକ୍ଷିତ, ପିଣ୍ଟୁ ମହାପାତ୍ର ପ୍ରମୁଖ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ଗୁରୁ ପର୍ଶୁରାମ ନାୟକ, ହୀନ ପ୍ରଧାନ, ବଳରାମ ପଲାଇ, ବିନୟ ପ୍ରଧାନ, ଏସ. ନରସିଂହ, ଡ଼ି. ରାମେୟା, ପ୍ରଦୀପ ବେହେରା, ମିତ୍ରଭାନୁ ପଲାଇ, ହରିହର ମହାରଣା, ଏମ୍. ମୋହନ ପାତ୍ର, ପ୍ରତାପ କୁମାର ସାହୁ, ପ୍ରଦୀପ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ସଙ୍ଘ ସମ୍ପାଦକ ଗୁରୁ ବୁଲୁ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.