ବାଙ୍କୀ/କଟକ: ଘରଦ୍ୱାର ସବୁ ଜଳି ପୋଡି ଛାରଖାର୍ । କେଉଁଠି ଦରପୋଡା ପୋଷାକ ପଡିଛି ତ କେଉଁଠି ଆସବାବ ପତ୍ର ଜଳି ଯାଇଛି । କେଉଁଠି ତାଟିଆରେ ଛିଡା ରୁଟିକୁ କ୍ଷୀର ଥୁଆ ହୋଇଛି କେଉଁଠି ପାଣି ବୋତଲ ତରଳି ଯାଇଛି । ଯେମିତି ସର୍ବଗିଳା ନିଆଁ ଆଁରେ ସବୁ କିଛି ଅଙ୍ଗାର ହୋଇଯାଇଛି । ଏପଟେ ଅଣନାତିକୁ କୋଳରେ ବସାଇ ବୁଢୀ ମାଆଟି ଗୁମୁରୀ ଗୁମୁରୀ କାନ୍ଦୁଛି । କାହାକୁ କଣ କହିବ କିଛି ବୁଝିପାରୁନି । ତା ବୁଢା ପୁଅ ଆଜି ତା ଭେଣ୍ଡିଆ ନାତି ଆଉ ନାତୁଣୀ ବୋହୂକୁ ମୃତ୍ୟୁର ଦ୍ୱାରକୁ ପଠାଇ ଦେଇଛି । ୬ବର୍ଷର କଅଁଳ ପିଲାଟି ବି ମାଆକୁ ହରାଇ ସାରିଥିବାବେଳେ, ଏବେ ମୃତ୍ୟୁମୁଖରେ ପଡିଥିବା ବାପାର ବାଟକୁ ଅନେଇ ବସିଛି । ସତରେ ଗୋଟେ ବାପା କଣ ଏତେ ନିଷ୍ଠୁର ହୋଇପାରେ ।
ତେବେ ଯାହା ସୂଚନା ମିଳିଛି, ବାପାର ଅମାନୁଷିକ କାଣ୍ଡ ପରେ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ପୁଅ । ପୁଅ ଦୀନବନ୍ଧୁ କଟକ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତାଙ୍କୁ ଆଇସିୟୁରେ ରଖାଯାଇଛି । ଶରୀରର ୫୦%ରୁ ଅଧିକ ପୋଡ଼ିଯାଇଛି । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ବୋହୂ ସସ୍ମିତା ରାଉତ । ଏପଟେ ବାରଙ୍ଗ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଅଭିଯୁକ୍ତ ଗୋବର୍ଦ୍ଧନର ବାରାଶିଙ୍ଗା ଘରକୁ ଯାଇ ଯାଞ୍ଚ କରିଥିଲା । ଶୋଇବା ଘର ଓ ଡାଇନିଂ ରୁମରୁ ଦମ୍ପତ୍ତିଙ୍କ ପୋଡ଼ା କପଡ଼ା, ବାଡିରେ କପଡ଼ା ଗୁଡାଇ ତିଆରି କରାଯାଇଥିବା ନିଆଁ ହୁଳା ଓ ଏକ ବୋତଲରେ ଥିବା କିଛି ପେଟ୍ରୋଲକୁ ସାଇଣ୍ଟିଫିକ ଟିମ୍ ଜବତ କରି ପରୀକ୍ଷା ପାଇଁ ନେଇଛି ।
ଗୋବର୍ଦ୍ଧନର ବୃଦ୍ଧା ମାଆ ଓ ପାଖ ପଡୋଶୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଛି । ବାଙ୍କୀ ବାରଙ୍ଗ ଗୋଡିସାହି ଫାଣ୍ଡି ବାରସିଙ୍ଗା ଗାଁରେ ଘରୋଇ କଳହର କରୁଣ ପରିଣତି ଘଟିଛି । ଶନିବାର ରାତି ୧୦ଟା ସମୟରେ ବାରସିଙ୍ଗା ଗାଁର ଦୀନବନ୍ଧୁ ରାଉତ ଓ ସସ୍ମିତା ରାଉତଙ୍କ ଉପରେ ତାଙ୍କ ବାପା ଗୋବର୍ଦ୍ଧନ ରାଉତ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଥିଲା ।
ପୁଅ ଦୀନବନ୍ଧୁଙ୍କୁ ବାପା ଗୋବର୍ଦ୍ଧନ ଟଙ୍କା ମାଗିଥିଲେ । ହେଲେ ଦୁଇ ଦିନ ପୂର୍ବରୁ ୫ ହଜାର ଟଙ୍କା ଦେଇଥିବାରୁ ଆଉ ଟଙ୍କା ଦେବାକୁ ମନାକରିଦେଇଥିଲେ । ଘର ମଝିରେ ପାଚେରି ପକାଇବାକୁ ଧମକ ଦେଉଥିଲେ । ଶନିବାର ରାତିରେ ପୁଅ-ବୋହୂ ବସି ଖାଉଥିବାବେଳେ ବାପା ଗୋବର୍ଦ୍ଧନ ହଠାତ୍ ଆସି ପେଟ୍ରୋଲ ଢାଳି ଦୁଇ ଜଣଙ୍କ ଉପରେ ନିଆଁ ପକାଇ ଦେଇଥିଲେ । ଚିତ୍କାର ଶୁଣି ଦୀନବନ୍ଧୁ ଓ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ଏହାପରେ ଅଭିଯୁକ୍ତ ଗୋବର୍ଦ୍ଧନ ରାଉତକୁ ଗିରଫ କରିଥିଲା ପୋଲିସ୍ ।
ଏପଟେ ମୃତ ବୋହୂ ସସ୍ମିତା ରାଉତଙ୍କର ଏସସିବିରେ ବ୍ୟବଚ୍ଛେଦ ପରେ, ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲା ପୋଲିସ୍ । ଗତକାଲି ସନ୍ଧ୍ୟାରେ ସସ୍ମିତାଙ୍କ ଗ୍ରାମ ଶ୍ମଶାନରେ ଶୋକାକୁଳ ପରିବେଶ ଭିତରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଏପଟେ ଅଭିଯୁକ୍ତ ବାପା ଗୋବର୍ଦ୍ଧନ ରାଉତଙ୍କ ଜଣେ ସମ୍ପର୍କୀୟଙ୍କ ଲିଖିତ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରିଛି ପୋଲିସ୍ ।
ଅପରପଟେ ଏସସିବିରେ ଅଭିଯୁକ୍ତକୁ ଗୋବର୍ଦ୍ଧନକୁ ପୋଲିସ୍ ହେପାଜତରେ ରଖାଯାଇ ଚିକିତ୍ସା କରାଯାଉଛି । ସେ ସୁସ୍ଥ ହେବା ପରେ ତଦନ୍ତରେ ମିଳିଥିବା ତଥ୍ୟ ପ୍ରମାଣକୁ ଆଧାର କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ପୋଲିସ୍ । ଚିକିତ୍ସାଧୀନ ପୁଅ ଦିନବନ୍ଧୁଙ୍କର ବି ମୃତ୍ୟୁ କାଳୀନ ଜମାନବନ୍ଦୀ ରେକର୍ଡ କରାଯାଇଛି ।