ଚିରନିଦ୍ରାରେ ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନ

ବ୍ରଜରାଜନଗର: ଓଡ଼ିଶା ବିଧାନସଭାର ପ୍ରଥମ ବିଧାୟକ ମକରଧ୍ୱଜ ପ୍ରଧାନଙ୍କର ଆଜି ଝାରସୁଗୁଡ଼ା ଜିଲ୍ଲା ବାଘମୁଣ୍ଡାସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି। ତାଙ୍କୁ ୧୦୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ କାରଣରୁ ସେ ଗତ ୨ମାସ ହେଲା ଶଯ୍ୟାଶାୟୀ ଥିଲେ। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ବଡ଼ପୁଅ କମଳ ପ୍ରଧାନ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ୧୯୨୪ ମସିହା ଜାନୁଆରି ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା ମକରଧ୍ୱଜ ବିଭିନ୍ନ ଆନ୍ଦୋଳନରେ ସାମିଲ୍‌ ହୋଇ ପରେ ରାଜନୀତିରେ ପ୍ରବେଶ କରିଥିଲେ। ପ୍ରଜା ସୋସାଲିଷ୍ଟ ଦଳରୁ ପଶ୍ଚିମ ଓଡ଼ିଶାର ଏକମାତ୍ର ପ୍ରଥମ ବିଧାୟକ ଭାବରେ ନିର୍ବାଚିତ ହେବା ତାଙ୍କ ରାଜନୈତିକ ବ୍ୟକ୍ତିତ୍ବର ବଳିଷ୍ଠ ପରାକାଷ୍ଠା। ୧୯୫୨ ମସିହାରେ ଓଡ଼ିଶାର ପ୍ରଥମ ସାଧାରଣ ନିର୍ବାଚନରେ ମୁରା-ଅମ୍ବାଭୋନା ନିର୍ବାଚନମଣ୍ଡଳୀରୁ ମକରଧ୍ୱଜ ବିଧାୟକ ହୋଇ ୧୯୫୭ ଯାଏ ଗୃହର ସଦସ୍ୟ ଥିଲେ। ୧୯୫୭ରେ ସେ ପୁଣି ଥରେ ଲଢ଼ି ପରାଜିତ ହୋଇଥିଲ‌େ। କୃଷି ଓ କୃଷକର ଚରମ ସପକ୍ଷବାଦୀ ଆନ୍ଦୋଳନର ସେ ପୁରୋଧା ଥିଲେ। ସେ ସମୟରେ ବ୍ରଜରାଜନଗର ଅଞ୍ଚଳ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ରହିଥିବା ବେ‌ଳେ ଲଖନପୁର ଅଞ୍ଚଳ ମୁରା ଥାନା ଅଧୀନରେ ଥିଲା। ମକରଧ୍ୱଜଙ୍କ ପୈତୃକ ଘର ରମ୍ପାଲୁଗା ଓ ବାଘମୁଣ୍ଡାରେ ଥିଲା। ରମ୍ପାଲୁଗା ଗାଁ ହୀରାକୁଦ ନଦୀବନ୍ଧ ଯୋଗୁଁ ବୁଡ଼ିଯିବାରୁ ଅନ୍ୟମାନଙ୍କ ସେ ଆସି ବାଘମୁଣ୍ଡା ଗାଁରେ ରହିଥିଲେ।
ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ବକୁ ଉଠି ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ରାଜନେତାମାନେ କାମ କରିବା ଉଚିତ। ଦଳ ଅପେକ୍ଷା ସେବା ମନୋବୃତ୍ତି ନେଇ ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେବା ଜରୁରି ବୋଲି ମକରଧ୍ବଜଙ୍କୁ ଶହେ ଛୁଇଁବା ଅବସରରେ ସେ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଥିଲେ। ସେ କହିଥିଲେ‌ ଯେ ହୀରାକୁଦ ନଦୀବନ୍ଧ ଦ୍ୱାରା ବାଘମୁଣ୍ଡାର ଯଦିଓ କିଛି ଅଂଶ ବୁଡ଼ିଥିଲା, ବସବାସ ପାଇଁ କିନ୍ତୁ ସମସ୍ୟା ହୋଇନଥିଲା। ସ୍ୱାଧୀନତା ପରେ ପ୍ରଥମ ନିର୍ବାଚନ ଲଢ଼ିବା ଅନୁଭୂତି ଥିଲା ନିଆରା। ସେ ସମୟରେ ତାଙ୍କ ନିର୍ବାଚନ ଖର୍ଚ୍ଚ ଥିଲା ସର୍ବମୋଟ ୮୫୦ ଟଙ୍କା। ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା ସମୟରେ କୌଣସି ଛନ୍ଦକପଟ ନଥିଲା। ପ୍ରଚାରର ଏକମାତ୍ର ମାଧ୍ୟମ ଥିଲା ସାଇକେଲ। ସାମ୍ପ୍ରତିକ ସମୟରେ ଭୋଟ ରାଜନୀତି ମୁଖ୍ୟତଃ ଦଳ, ବାହୁବଳ ଓ ଅର୍ଥବଳ ଉପରେ ନିର୍ଭର କରୁଛି। କିନ୍ତୁ ଉତ୍ତମ ବ୍ୟକ୍ତିତ୍ୱ ଓ ସେବକ ହୋଇ ରାଜନୀତି କରିବାକୁ ଚାହୁଥିବା ବ୍ୟକ୍ତିଙ୍କୁ ଜିତିବାକୁ ହେଲେ ଲୋକଙ୍କ ହୃଦୟରେ ରହି ରାଜନୀତି କରିବାକୁ ହେବ ବୋଲି ସେ ପରାମର୍ଶ ଦେଇ ଯାଇଛନ୍ତି।

nis-ad
Leave A Reply

Your email address will not be published.