ସାମ୍ଭାବ୍ୟ ବାତ୍ୟାକୁ ନେଇ ସକ୍ରିୟ କଳାବଜାରୀ : ପ୍ରଶାସନ ର ଲଗାମ ନାହିଁ..

ପନିପରିବା ଦର ବୃଦ୍ଧି, ବଜାରରୁ ଆଳୁ ଉଭାନ
ହିଞ୍ଜିଳିକାଟୁ : ପାଣିପାଗ ବିଭାଗର ପୂର୍ବନୁମାନ ପ୍ରକାରେ ଓଡିଶାରେ ସାମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସମଗ୍ର ଓଡିଶାବାସୀ ଆତଙ୍କିତ । ସାମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ସହରରେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ପବନ ସାଙ୍ଗକୁ ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରକାରେ ଲୋକେ ଆବଶ୍ୟକ ଠାରୁ ଅଧିକ ପରିମାଣରେ ପରିମାଣରେ ସାମଗ୍ରର ବୋହି ନେବା କାରଣରୁ ଦରବୃଦ୍ଧି ଘଟିଥିବା ସାଧାରଣରେ ମତ ପ୍ରକାଶ ପାଇଛି । ତେବେ ରାସନ ସାମଗ୍ରୀର ଦର ପୂର୍ବାପେକ୍ଷା ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ପନିପରିବା ଦର ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ସ୍ଥାନୀୟ ବଜାରରୁ ଆଳୁ ଏକପ୍ରକାର ଉଭାନ ହୋଇ ଯାଇଥିବା ଦେଖିବାକୁ ମିଳିଛି ।


ସାମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବ ସିଧାସଳଖ ହିଞ୍ଜିଳିକାଟୁ ବଜାରରେ ପଡିଥିବା ଦେଖିବାକୁ ମିଳିଛି । ବୁଧବାର ସକାଳୁ ହିଞ୍ଜିଳିକାଟୁ ପରିବା ବଜାରରେ ପରିବା ଦର ସମେତ ଆଳୁ ଓ ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ପରିବା ହବ୍ ଭାବେ ଖ୍ୟାତି ଅର୍ଜନ କରିଥିବା ହିଞ୍ଜିଳିକାଟୁ ବ୍ଳକରେ ପରିବା ଦର ବୃଦ୍ଧି ଖାଉଟିଙ୍କୁ ବେଶ୍ ବାଧିଛି । ସ୍‌ଥାନୀୟ ବ୍ଳକର ବୁରୁପୋଡା, ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ନନ୍ଦିକ, ଆଲପୁର, ଖରିଡା, ଶାସନଆମ୍ବଗାଁ ପ୍ରଭୃତି ଅଞ୍ଚଳରୁ ପ୍ରଚୁର ପରିମାଣରେ ସବୁଜ ପନିପରିବା ଆମଦାନୀ କରାଯାଈ ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଜିଲ୍ଲାକୁ ରପ୍ତାନି କରାଯାଇଥାଏ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପରିବା ବ୍ୟବସାୟୀ ମାନେ ପ୍ରତ୍ୟହ ହିଞ୍ଜିଳିକାଟୁ ହୋଲସେଲ ପରିବା ବଜାରକୁ ଆସି ପନିପରିବା କ୍ରୟ କରି ନେଉଛନ୍ତି । ନିକଟସ୍ଥ ଅଞ୍ଚଳର ପନିପରିବା ବ୍ୟବସାୟୀ ସମେତ କ୍ଷୁଦ୍ର ବ୍ୟବସାୟୀ ମାନେ ହିଞ୍ଜିଳିକାଟୁ ବଜାରକୁ ଆସି ପ୍ରଚୁର ପରିମାଣରେ ପନିପରିବା ସମେତ ଆଳୁ ଓ ପିଆଜ ବୋହି ନେଉଥିବା ଦେଖିବାକୁ ମିଳିଛି ।

ନିକଟବର୍ତ୍ତୀ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟୀ ମାନେ ହିଞ୍ଜିଳିକାଟୁ ବଜାରକୁ ଆସି ୮/୧୦ ବସ୍ତା ଆଳୁ ଓ ଷ୍ଣ ବସ୍ତା ପିଆଜ ଓ ବିଭିନ୍ନ ପ୍ରକାରର ସବୁଜ ପନିପରିବା ବୋହି ନେବାରେ ଲାଗିଛନ୍ତି । ମଙ୍ଗଳବାର ସକାଳେ ହିଞ୍ଜିଳିକାଟୁ ସହରର ଖୁଚୁରା ବଜାରରେ ଆଳୁ କିଲୋଗ୍ରାମ ପ୍ରତି ଦର ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସନ୍ଧ୍ୟାରେ ୩୫ ଟଙ୍କା ଓ ବୁଧବାର ସକାଳେ ଦର ୪୦ ଟଙ୍କା ରହିଛି । ସେହିପରି ପିଆଜ ଦର ଗତ ୨ ଦିନ ମଧ୍ୟରେ କିଲୋଗ୍ରାମ ପ୍ରତି ଦର ୨୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି । ପିଆଜ କିଲୋଗ୍ରାମ ପିଛା ଦର ୭୦ ରୁ ୮୦ ଟଙ୍କା ରହିଛି । ଟମାଟ ୬୦, କଟିକି ୬୦, କାଙ୍କଡ ୬୦, ଦେଶୀ କାଙ୍କଡ ୧୫୦, କଞ୍ଚାଲଙ୍କା ୧୦୦ରୁ ୧୨୦, ସାରୁ ୪୦, କଖାରୁ ୪୦, ଭେଣ୍ଡି ୪୦, ଝୁଡୁଙ୍ଗ ୬୦, ଫୁଲକୋବି ୮୦, ବନ୍ଧାକୋବି ୫୦, ଜହ୍ନି ୫୦ ଟଙ୍କା ରହିଛି । ନିକଟବର୍ତ୍ତୀ ଗ୍ରାମଞ୍ଚଳରେ ଦର ସ୍ଥାନୀୟ ବଜାର ଠାରୁ କିଲୋଗ୍ରାମ ପିଛା ଦର ୫ରୁ ୧୦ ଟଙ୍କା ବୃଦ୍ଧି ପାଇଛି । ପନିପାିବା ସମେତ ଆଳୁ ଓ ପିଆଜର ଅହେତୁକ ଦର ବୃଦ୍ଧି ଖାଉଟିଙ୍କୁ ବେଶ ବାଧିଛି । ଆଳୁ, ପିଆଜ, ସବୁଜ ପନିପରିବା ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଘଟିଥିଲେ ମଧ୍ୟ ଯୋଗାଣ ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟା ସାଜିଛନ୍ତି । ଅନ୍ୟପକ୍ଷରେ କିଛି ମୁନାଫଖୋର ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର କୃତିମ ଅଭାବ ଦର୍ଶାଇ କଳବଜାରୀ କରୁଥିବା ଅଭିଯୋଗ ହୋଇଛି । ଏ ଦିଗରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରୟହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.