ଚିକିତ୍ସା ଲାଗି ଜମି ବିକ୍ରି ପାଇଁ ମିଳିଲାନି ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍, ରୋଗଶଯ୍ୟାରେ ଚାଲିଗଲା ଜୀବନ

ମାଲକାନଗିରି, ୧୪।୧୦ : ଚିକିତ୍ସା ପାଇଁ ନିଜ ପାଖରେ ଥିବା ଜମି ବିକ୍ରି କରିବା ଲାଗି ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ପାଇଁ ଆବେଦନ କରି ମାସ ମାସ ବିତି ଯାଇଥିବା ବେଳେ ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ମିଳି ନଥିବା ବେଳେ ରୋଗ ଶଯ୍ୟାରେ ଚାଲିଗଲା ଜଣଙ୍କ ଜୀବନ। କିଛି ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକର ପଦ୍ମଗିରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଯଦୁଗୁଡା ଗ୍ରାମରୁ। ସୂଚନା ଅନୁଯାୟୀ ଦୀର୍ଘ ଏକ ବର୍ଷ ଧରି ରୋଗରେ ପୀଡିତ ଥିବା ବୁଟି ମାଡି ଚିକିତ୍ସା ପାଇଁ ନିଜ ନିକଟରେ ଥିବା ୧୩ ଏକର ଜମିରୁ ୧ଏକର ଜମି ବିକ୍ରୟ କରିବା ଲାଗି ମାଲକାନଗିରି ତହସିଲରେ ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିଲେ। ବୁଟି ନିଜେ ଅନୁସୂଚିତ ଜାତି ବର୍ଗର ହୋଇଥିବାରୁ ଜମି ବିକ୍ରୟ ପାଇଁ ଏହି ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ଆବଶ୍ୟକ ଥିବାରୁ ବାରମ୍ବାର ତହସିଲ କାର୍ଯ୍ୟଳୟକୁ ଦଉଡି ଦଉଡି ନୟାନ୍ତ ହୋଇଥିବା ବେଳେ ଏହି ସାର୍ଟିଫିକେଟ୍ ମିଳି ନଥିବାରୁ ନିଜର ଚିକିତ୍ସା କରାଇ ନପାରି ଶେଷରେ ଆଜି ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବୁଟି ମାଡିଙ୍କ ଦୁଇ ପୁତ୍ରଙ୍କ ଅଭିଯୋଗ ଅନୁଯାୟୀ ପିତା ବୁଟି ମାଡ଼ି ଏକ ବର୍ଷ ଧରି ରୋଗରେ ପୀଡିତ ଥିବା ଯୋଗୁଁ ଉତ୍ତମ ଚିକିତ୍ସା ପାଇଁ ଟଙ୍କା ଦରକାର ପଡିବାରୁ ବୁଟି ମାଡ଼ିଙ୍କ ଦୁଇ ପୁତ୍ର ବାବୁଲା ଓ ସମାରୁଙ୍କ ସହ ବୁଟି ମାଲକାନଗିରି ତହସିଲଦାରଙ୍କ ନିକଟରେ ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିଲେ। ବାରମ୍ବାର ଆବେଦନ ସତ୍ତ୍ୱେ କୌଣସି ସୁଫଳ ମିଳିନଥିବା ବେଳେ ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ବି ମିଳିନଥିଲା। ତେବେ ବାବୁଲା ଓ ସମାରୁ ତତ୍କାଳୀନ ଅତିରିକ୍ତ ତହସିଲଦାରଙ୍କ ଠାରୁ ତହସିଲଦାରଙ୍କ ଯାଏଁ ଅନୁରୋଧ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ବର୍ତ୍ତମାନ ତହସିଲଦାରଙ୍କୁ ମଧ୍ୟ ଅନୁରୋଧ ସତ୍ବେ ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ କଲେ ନାହିଁ। ବାପା ବୁଟି ମାଡି ଗୁରୁତର ରୋଗରେ ପୀଡିତ ଅବସ୍ଥାରେ ମଧ୍ୟ ତହସିଲଦାରଙ୍କ ନିକଟକୁ ଯାଇଥିଲେ, କିନ୍ତୁ ସେ ଚିକିତ୍ସାଳୟର ସମସ୍ତ ପ୍ରେସକିପ୍ସନ୍ ଦେଖି ମଧ୍ୟ କାର୍ଯ୍ୟ କରିନଥିଲେ। ବର୍ତ୍ତମାନ ଯାଏ ଲ୍ୟାଣ୍ଡ ହୋଲଡିଂ ସାର୍ଟିଫିକେଟ୍ ନ ମିଳିବାରୁ ଜମି ବିକ୍ରି ହୋଇପାରିଲା ନାହିଁ କି ବାପାଙ୍କ ଉତ୍ତମ ଚିକିତ୍ସା ହୋଇପାରିଲା ନାହିଁ। ଆମ୍ଭେ ଗରିବ ହୋଇଥିବାରୁ ଆଜି ଅର୍ଥ ଅଭାବରୁ ବାପାଙ୍କ ଦେହାନ୍ତ ହୋଇଗଲା ବୋଲି ଦୁଇ ପୁଅ ଅଭିଯୋଗ କରିଛନ୍ତି। ତେବେ ଏନେଇ ଉଚ୍ଛସ୍ତରୀୟ ତଦନ୍ତ କରି ପଦକ୍ଷେପ ନେବାକୁ ସେମାନେ ଦାବି କରିଥିବା ବେଳେ ଏନେଇ ଆମେ ତହସିଲଦାର ଲଳିତ ବାଘଙ୍କୁ ଯୋଗାଯୋଗ କରିବାରୁ ସେ ଜିଲ୍ଲା ବାହାରେ ଅଛନ୍ତି ଏବଂ ଆସିଲେ ଏନେଇ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ।

nis-ad
Leave A Reply

Your email address will not be published.