ଭାଜପାରେ ଯୋଗଦେବାକୁ କେନ୍ଦ୍ରକରି ମାଡ ଅଭିଯୋଗ, ଥାନାରେ ମାମଲା

ହିଞ୍ଜିଳିକାଟୁ : ରାଜ୍ୟରେ ଶାସନାଧିନ ବିଜେପିରେ ଯୋଗଦେବାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ବୁରୁପୋଡା ଗ୍ରାମର ଜଗତ ମୋହନ ସାହୁ ଆସିକାରୁ କାର୍ଯ୍ୟ ସାରି ମୋଟର ସାଇକେଲ ଯୋଗେ ଗ୍ରାମକୁ ଫେରୁଥିଲେ । ପୋଡିଙ୍ଗି ଛକ ନିକଟରେ ଯୁବକ ଜଣଙ୍କ ପାଣି ପିଇବା ପାଇଁ ପୋଡିଙ୍ଗି ଛକରେ ଥିବା ଏକ ଦୋକାନକୁ ଯାଇଥିଲେ । ସେଠାରେ ପୋଡିଙ୍ଗି ଗ୍ରାମର ୪ ଜଣ ଯୁବକ ଜଗତଙ୍କୁ କାହିଁକି ବିଜେପିରେ ଯୋଗଦେଲୁ ବୋଲି କହିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଯୁବକ ଜଣଙ୍କ ଏହାର ପ୍ରତିବାଦ କରିବାରୁ ୪ ଯୁବକ ମିଶି ମାଡ ମାରିବା ସହ ଏକ ଜଗତଙ୍କ ମୁଣ୍ଡକୁ ଏକ ପଥରରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଜଗତ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଘଟଣା ନେଇ ଜଗତ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୮୩୪/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ପାର୍ବଣ ଆରମ୍ଭରୁ ହିଞ୍ଜିଳି ଥାନା ଇଲାକାର ବିଭିନ୍ନ ଅଞ୍ଚଳରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳିଛି । ପୁଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ଏ ନେଇ ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କୁ ପଚାରିବାରୁ ସେ କୁହନ୍ତି ଘଟଣାର ତଦନ୍ତ ଚାଲିଛି । ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

nis-ad
Leave A Reply

Your email address will not be published.