ପୂର୍ବ ଶତୃତାକୁ କେନ୍ଦ୍ରକରି ଗାଁ ସଭାପତିଙ୍କ ଗଳା କାଟି ହତ୍ୟା, ୨ ଗିରଫ


ହତ୍ୟାରେ ବ୍ୟବହୃତ ଛୁରୀ ସମେତ ୨ ବାଇକ୍ ଜବତ

ହିଞ୍ଜିଳିକାଟୁ : ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରେ ଦେଖିବାକୁ ମିଳିଛି । ୨ ଜଣ ଯୁବକ ପୂର୍ବ ଶତୃତାକୁ କେନ୍ଦ୍ର କରି ଗାଁ ସଭାପତିଙ୍କୁ ଛୁରୀରେ ଗଳାକାଟି ହତ୍ୟା କରିଛନ୍ତି । ହତ୍ୟାର ଶୀକାର ପାଲଟିଥିବା ବ୍ୟକ୍ତି ଜଣଙ୍କ ହେଲେ ବ୍ରହ୍ମପୁର ସଦର ଥାନା ସାତପହଣ୍ଡିଆ ଗ୍ରାମର କେ. ରାଜେନ୍ଦ୍ର ରେଡ୍ଡି ଓରଫ୍ ରାଜୁ(୫୧) । ହତ୍ୟା କରିବା ଅଭିଯୋଗରେ ହିଞ୍ଜିଳି ପୁଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ବ୍ରହ୍ମପୁର ସଦର ଥାନା ସାତପହଣ୍ଡିଆ ଗ୍ରାମର ବି. ସୁବ୍ରତ ରେଡ୍ଡି (୨୭) ଓ ଏସ. ଶିବରାମ ରେଡ୍ଡି (୨୮) । ଘଟଣା ନେଇ ମୃତକଙ୍କ ସ୍ତ୍ରୀ କେ. ସୁକାନ୍ତି ରେଡ୍ଡି ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୮୩୬/୨୪ରେ ଏକ ମାମଲା ରୁଜୁ କରି ପୁଲିସ ସାତପହଣ୍ଡିଆ ଗ୍ରାମର ବି. ସୁବ୍ରତ ରେଡ୍ଡି ଓ ଏସ. ଶିବରାମ ରେଡ୍ଡିଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଧାରୁଆ ଛୁରୀ, ମୋବାଇଲ ଫୋନ୍‌, ୨ଟି ମୋଟର ସାଇକେଲ (ଓଡି୦୭ଏଭି ୨୪୬୪ ଓ ଏପି୩୯ଇଏ ୧୪୭୪)ଜବତ କରିଛି ।
ପୁଲିସ ସୂଚନା ପ୍ରକାରେ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ସାତପହଣ୍ଡିଆ ଗ୍ରାମର ୩ ପଡୋଶୀ ରାଜେନ୍ଦ୍ର, ସୁବ୍ରତ ଓ ଶିବରାମଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ଶତୃତା ଲାଗି ରହିଥିଲା । ଗତ ୨୦୧୯ ଓ ୨୦୨୧ ମସିହାରେ ରାଜେନ୍ଦ୍ର ଓ ସୁବ୍ରତଙ୍କ ମଧ୍ୟରେ ଗଣ୍ଡୋଗୋଳ ଘଟିଥିଲା । ସେହି ସମୟରେ ଘଟଣା ନେଇ ବ୍ରହ୍ମପୁର ସଦର ଥାନାରେ ୨ଟି ମାମଲା ରୁଜୁ କରି ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦୀର୍ଘଦିନର ଶତୃତାକୁ କେନ୍ଦ୍ର କରି ଦିନକୁ ଦିନ ଅସନ୍ତୋଷ ଲାଗି ରହିଥିଲା । ରବିବାର ବିଳମ୍ବିତ ରାତିରେ ସୁବ୍ରତ ଓ ଶିବରାମ ଦୁହେଁ ମିଶି ରାଜେନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ରାଜେନ୍ଦ୍ର ବ୍ରହ୍ମପୁରରୁ କାର୍ଯ୍ୟ ସାରି ବାଇକ୍ (ଏପି୩୯ଇଏ ୧୪୭୪) ଯୋଗେ ଗାଁକୁ ଫେରୁଥିବା ବେଳେ ସୁବ୍ରତ ଓ ଶିବରାମ ହିଞ୍ଜିଳି ଥାନା ବଡଖଣ୍ଡି ଜଗନ୍ନାଥ ମନ୍ଦିର ନିକଟସ୍ଥ ଏକ ନିକାଞ୍ଚନ ଜାଗାରେ ଛକି ବସିଥିଲେ । ରଜେନ୍ଦ୍ର ସେହି ରାସ୍ତାରେ ଆସୁଥିବା ବେଳେ ଦୁହେଁ ରାଜେନ୍ଦ୍ରଙ୍କୁ ଅଟକାଇବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଉତକ୍ଷିପ୍ତ ହୋଇ ସୁବ୍ରତ ଧରିଥିବା ଏକ ଧାରୁଆ ଛୁରୀରେ ରାଜେନ୍ଦ୍ରଙ୍କ ଗଳାକୁ କାଟି ହତ୍ୟା କରିବା ପରେ ନିକଟସ୍ଥ ଏକ ଧାନଚାଷ ଜମିରେ ମୃତଦେହକୁ ଫୋପାଡି ଚାଲି ଯାଇଥିଲେ । କୌଣସି ସୂତ୍ରରୁ ଖବର ପାଇ ଆସିକା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ଶେରଗଡ ଥାନା ଆଇଆଇସି ବରେନ୍ଦ୍ର ସିଅଳ, ହିଞ୍ଜିଳି ଥାନା ଅତିରିକ୍ତ ଆଇଆଇସି ପଦ୍ମ ଚରଣ ଭଟ୍ଟ ଓ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ଘଟଣା ନିକଟସ୍ଥ ଚାଷ ଜମିରୁ ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଶିବରାମଙ୍କୁ ଗାଁ ନିକଟରୁ ପୁଲି ଗିରଫ କରିବାକୁ ସକ୍ଷମ ହୋଇଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁବ୍ରତ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ମୁଖ୍ୟ ଅଭିଯୁକ୍ତଙ୍କୁ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେବା ପରେ ସେ ଆହତ ହୋଇ ରାସ୍ତାରେ ପଡିଥିବା ବେଳେ କିଛି ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ଉଦ୍ୟମ କରୁଥିବା ବେଳେ ସୁବ୍ରତ ଉଦ୍ଧାରକାରୀଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ । ଭୟରେ ଉଦ୍ଧାରକାରୀ ଘଟଣା ନେଇ ହିଞ୍ଜିଳି ଥାନା ଆଇଆଇସିଙ୍କୁ ଜଣାଇଥିଲେ । ଖବର ପାଇ ଆସିକା ଏସଡିପିଓ, ହିଞ୍ଜିଳି ଓ ଶେରଗଡ ଥାନା ଆଇଆଇସି ହିଞ୍ଜିଳିକାଟୁ ଡାକ୍ତରଖାନାରେ ପହଞ୍ଚି ଅଭିଯୁକ୍ତଙ୍କୁ ଚିକତ୍ସା କରାଇବା ପରେ ଗିରଫ କରିଥିଲେ । ସେମାବାର ସକାଳେ ସାଇଣ୍ଟଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଘଟଣାରେ ଅନ୍ୟ କେହି ସଂପୃକ୍ତ ଅଛନ୍ତି କି ନାହିଁ ତହା ସ୍ୱଷ୍ଟ ହୋଇ ପାରିନାହିଁ । ତଦନ୍ତ ଶେଷ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ ତଥା ହିଞ୍ଜିଳି ଥାନା ଅତିରକ୍ତ ଥାନା ଭାରପ୍ରାପ୍ତ ଅଧିକାରୀ ପଦ୍ମ ଚରଣ ଭଟ୍ଟ କହିଛନ୍ତି ।

nis-ad
Leave A Reply

Your email address will not be published.