ଐକ୍ୟବୋଧ ହିଁ ସମାଜ ପ୍ରଗତିର ମୂଳାଧାର : ବେଲଗୁଣ୍ଠା ବରିଷ୍ଠ କଳାକାର ସଂଘ

ବେଲଗୁଣ୍ଠା : କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ବେଲଗୁଣ୍ଠା ବ୍ଳକ୍ ଶାଖାର ତ୍ରୁତୀୟ ବାର୍ଷିକୋତ୍ସବ ସ୍ଥାନୀୟ ବଣିକ ଭବନ ପରିସରରେ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଳାକାରମାନଙ୍କ ଦ୍ବାରା ଏକ ବର୍ଣାଢ୍ୟ ଶୋଭାଯାତ୍ରା ବେଲଗୁଣ୍ଠା ନୃସିଂହ ମନ୍ଦିର ପରିସରରୁ ବାହାରି ନଗର ପରିକ୍ରମା ସହ ସଭା ସ୍ଥଳରେ ପହଞ୍ଚିଥିଲେ। ତତ୍ପରେ ସେଠାରେ କଳାକାର ସଂହତି ପତାକାକୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡା. ତିରୁପତି ସାହୁ ଉତ୍ତୋଳନ କରିବା ସହ ଐକ୍ଯ ତା ଭିତରେ କଳାକାର ସମାଜର ପ୍ରଗତି ସଂଗୋପିତ ବୋଲି ଉପସ୍ଥିତ କଳାକାର ମାନଙ୍କୁ ଉଦ୍ବୋଧନ ଦେଇଥିଲେ। ପତାକା ଉତ୍ତୋଳନ କ୍ଷେତ୍ରରେ ବ୍ଳକ୍ ସଂଯୋଜକ ଈଶ୍ବର ଗୌଡ ସହଯୋଗ କରିଥିଲେ।
ମହୋତ୍ସବର ଦ୍ବିତୀୟ ପର୍ଯ୍ୟାୟରେ ବ୍ଳକ୍ ସଂଘ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାକୁ ସୋରଡ଼ା ବିଧାୟକ ନୀଳମଣୀ ବିଷୋୟୀ ବିଧିବତ୍ ଉଦ୍ଘାଟନ କରିବା ସହ ସମାଜରେ କଳାକାରମାନଙ୍କ ଭୂମିକା ଅତୀବ ମହନୀୟ ବୋଲି ତାଙ୍କ ଉଦ୍ଘାଟନୀ ଅଭିଭାଷଣ ଉପସ୍ଥାପନ କରିଥିଲେ। ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ମହାସଂଘ ସଭାପତି ଡା. ତିରୁପତି ସାହୁ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ଏଲ୍. ସତୀଶ ରେଡ୍ଡି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଯେହେତୁ କଳାକାରମାନେ ସ୍ବେଛ୍ଛାସେବୀ ଭଳି ନିଜସ୍ବ କଳାପାଟବତା ଭିତରେ ସୁନ୍ଦର ସ୍ରୁଷ୍ଠୁ ସମାଜ ଗଠନ ପ୍ରୟାସୀ ସେହେତୁ ସେମାନଙ୍କ ଆବଶ୍ଯକମତେ ସରକାର ସହାୟତା ଯୋଗାଇଦେବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ଯ ଜ୍ଞାନ ହେବା ଉଚିତ୍ ବୋଲି ନିଜ ନିଜ ଭାଷଣ କ୍ରମରେ ଉପସ୍ଥାପନ କରିଥିଲେ। ସଂପାଦକ ରଂଜିତ କୁମାର ପାତ୍ର ବାର୍ଷିକ ବିବରଣୀ ପାଠ କରିବା ଭିତରେ ସଂଘ ନିମନ୍ତେ ଏକ ସଭାଗୃହ ବିଧାୟକଙ୍କୁ ଯାଚନା କରିଥିଲେ।
କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଲୁଦୁଲୁଦି, ସାରିଆପଲ୍ଲୀ, ନେଟଙ୍ଗା, ପାଲକଷଣ୍ଢା ଆଦି ବିଭିନ୍ନ ଗ୍ରାମାଞ୍ଚଳରୁ ଆଗତ ପ୍ରହ୍ଲାଦ ନାଟକ, ଦାସକାଠିଆ, ଘଣ୍ଟସ୍ଥଳ ଇତ୍ୟାଦି ଲୋକନାଟକ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ମଧ୍ଯରେ ପରିଚାଳନା କମିଟୀ ସଦସ୍ୟଙ୍କ ସମେତ ସ୍ଥାନୀୟ ସୁନାମଧନ୍ୟ ବରିଷ୍ଠ କଳାକାର ମୋତିଲାଲ ପତିଙ୍କୁ ଆନୁଷ୍ଠାନିକ ଭାବେ ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ଯକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ପ୍ରଶାନ୍ତ ଜେନା, ନାରାୟଣ ଗୌଡ, ଶିବରାମ ରାଉତ, ନିରଞ୍ଜନ ବେହେରା, ପ୍ରକାଶ ଭୂୟାଁ, ସନ୍ତୋଷ ଲେଙ୍କା, ରାଜେନ୍ଦ୍ର ଗୌଡ, ରମେଶ ଗୌଡ, ସୁଦାମ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ରଞ୍ଜିତ ପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.