ଗଞ୍ଜେଇ ଚାଷକୁ ଆପଣାଇଲେଣି ପରିବା ଚାଷୀ : କଲବଲ କଲାଣି ବଜାର ଦର, ୮୦ ଉପରେ ସବୁ ପରିବା

ବାଲିଗୁଡା : ପୁଣି କଲବଲ କଲାଣି ପରିବା ଦର । ଆଳୁ ପିଆଜ ଦର ତ ଖସୁନି, ଏହାସାଙ୍ଗକୁ ପରିବାର ଦର ହୁ ହୁ ହୋଇ ବଢ଼ି ଚାଲିଛି। ବଜାରରେ ପରିବା ଯାହାକୁ ଯେତେ କିନ୍ତୁ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏବେ ପ୍ରାୟ ସବୁ ପରିବା କିଲା ପିଛା ୬୦ରୁ ୭୦ ଟଙ୍କା ଉପରେ ବିକ୍ରି ହେଉଛି। କୌଣସି କଞ୍ଚା ପରିବାରେ ହାତ ମାରି ହେଉନାହିଁ । ଅଧିକାଂଶ ପରିବାର ଦର କିଲୋ ପିଛା ଦୁଇରୁ ତିନି ଗୁଣ ବୃଦ୍ଧି ପାଇଛି। ଯାହା ଖାଉଟିଙ୍କ ଚିନ୍ତାର କାରଣ ହୋଇଛି। ଆଳୁ କିଲୋ ୩୫ଟଙ୍କାରୁ ତଳକୁ ଖସୁନଥିବା ବେଳେ ପିଆଜ ୭୦ଟଙ୍କାରୁ ତଳକୁ ଆସୁନି। ସେହିଭଳି ବାଇଗଣ ଦୀର୍ଘ ଦିନ ଧରି ୬୦ ଟଙ୍କା ଉପରେ ରହିଛି। ଟମାଟୋ ମଧ୍ୟ ୮୦ ତଳକୁ ଖସୁନି କାଙ୍କଡ଼ କେଜି ୧୦୦, ଭେଣ୍ଡି ୬୦-୮୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ପୋଟଳ ୮୦ ଟଙ୍କା, କଲରା କେଜି ୮୫, ଝୁଡଙ୍ଗ ୯୦ ଏବଂ ବିନ୍‌ ୮୦ ଟଙ୍କାରେ ପହଞ୍ଚିଛି। ଶିମଲା ଲଙ୍କା ୧୯୦-୨୦୦ ଟଙ୍କା, ଗାଜର ୧୨୦ ଟଙ୍କା ରହିଛି। ବ୍ୟବସାୟୀ ମାନେ କହୁଛନ୍ତି ଯେ ରାଜ୍ୟରେ ଶୀତଦିନିଆ ଚାଷ ଭଲ ହେଲାନାହିଁ। ପରବର୍ତ୍ତୀ ସମୟରେ ବର୍ଷା ଦିନିଆ ଫସଲର ସ୍ଥିତି ମଧ୍ୟ ଏତେ ଭଲ ନାହିଁ। ପ୍ରାୟ ସବୁ ପନି ପରିବା ଚାଷୀ ବର୍ତ୍ତମାନ ଗଞ୍ଜେଇ ଚାଷକୁ ଆପଣଇଥିବାରୁ ଏହି ଅଞ୍ଚଳର ପନି ପରିବା ଆଉ ପୂର୍ବ ଭଳି ଆଦାୟ ହେଉନାହିଁ l ଯାହା କିଛି ପନି ପରିବା ପାଇଁ ପଡୋଶୀ ଜିଲ୍ଲା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼ୁଛି। ତେଣୁ ଦର ନିୟନ୍ତ୍ରଣ ଭିତରେ ରହୁନାହିଁ। ସେଠିକାର ମାର୍କେଟ୍‌ରେ ଯାହା ଦରଦାମ୍‌ ରହୁଛି, ଏଠି ପରିବହନ ଓ ପରିବହନଜନିତ କ୍ଷୟକ୍ଷତି ମିଶିଲେ ଦର ଆକାଶଛୁଆଁ ହୋଇଯାଉଛି।

ଆଉ କେତେକ ବ୍ୟବସାୟୀଙ୍କ କହିବା ଅନୁସାରେ ଚଳିତବର୍ଷ ଅନିୟମିତ ବର୍ଷା ଯୋଗୁଁ ବଜାରକୁ ଆସିନି। ତେଣୁ ଟମାଟୋ ପାଇଁ ନାସିକ୍‌, ବେଙ୍ଗାଲୁରୁ, ରାୟପୁର ଉପରେ ନିର୍ଭର କରିବାକୁ ପଡ଼ୁଛି। ସେଠି ଯାହା ଦାମ୍‌ ରହୁଛି, ସେହି ଅନୁସାରେ ଆମର ଦାମ୍‌ ରହୁଛି। ତଥାପି ପୂର୍ବାପେକ୍ଷା ଟମାଟୋ ଦର ସାମାନ୍ୟ କମ୍‌ ରହିଛି। ସେହିଭଳି ଅଧିକାଂଶ ପୋଟଳ ଏବେ କଲିକତାରୁ ଆମଦାନୀ ହେଉଛି। ସେହି ପୋଟଳର ଦାମ୍‌ ସାମାନ୍ୟ କମ୍‌ ଥିବାବେଳେ ଦେଶୀ ପୋଟଳରେ ହାତ ମାରିହେଉନି। ଆମର ଆଞ୍ଚଳିକ ପରିବା ଆମଦାନୀ ହେଉଥିଲେ ହେଁ ତାହା ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହେଉନି। ସେହିଭଳି ଅନ୍ୟ ସମସ୍ତ ପରିବା ମଧ୍ୟ ବାହାର ରାଜ୍ୟରୁ ଆମଦାନୀ ହେଉଥିବାରୁ ଦର ହ୍ରାସ ପାଉନି। ଶୀତ ଦିନେ ଅଦିନିଆ ବର୍ଷା ଫସଲ ନଷ୍ଟ କରିଦେଲା। ବର୍ଷା ଆରମ୍ଭରୁ ନିୟମିତ ବର୍ଷା ହେଲାନି। ଫଳରେ ଆଗୁଆ ଚାଷ କରିଥିବା ଚାଷୀ ହତାଶ ହେଲେ। ତା’ପରେ ଲଗାଣ ବର୍ଷା ଓ ଦୀର୍ଘ ଦିନ ପାଣି ଜମି ରହିବା କାରଣରୁ ଫସଲ ମୂଳ ସବୁ ପଚି ନଷ୍ଟ ହୋଇଗଲା। ଏସବୁ ସମସ୍ୟା ପାଇଁ ଆମର ଏହି ଅଞ୍ଚଳରେ ଯାହା କିଛି ଆଦାୟ ପରିବା ଉତ୍ପାଦନ ବାଧାପ୍ରାପ୍ତ ହେଲା। ତେଣୁ ଦାମ୍‌ ନିୟନ୍ତ୍ରଣକୁ ଆସୁନି। ଏହି ଦରବୃଦ୍ଧି ନୂଆ ପରିବା ଉତ୍ପାଦନ ହେବା ପର୍ଯ୍ୟନ୍ତ ଲାଗିରହିବ ବୋଲି ପରିବା ବ୍ୟବସାୟୀ ମାନେ କହିଛନ୍ତି। ପଶ୍ଚିମବଙ୍ଗରୁ ଏହି ଅଞ୍ଚଳକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆମଦାନୀ ହେଉଛି। ପୂର୍ବରୁ ଯେମିତି ଆଳୁ ଆସୁଥିଲା, ଏବେ ଆସୁଛି। ହେଲେ ଦୁଃଖର ବିଷୟ ପାଇକାରୀ କିଲୋ ପିଛା ଦାମ୍‌ ୨୦ରୁ ୨୨ ଭିତରେ ରହୁଥିବା ବେଳେ ଖୁଚୁରା ବଜାର ଦାମ୍‌ କିନ୍ତୁ ୩୫ ଟଙ୍କାରୁ ତଳକୁ ଖସୁନି। ସେହିଭଳି ପିଆଜ କିଲୋ ପିଛା ପାଇକାରୀ ଦାମ୍‌ ୪୫ରୁ ୪୮ ଟଙ୍କା ରହୁଥିବାବେଳେ ଖୁଚୁରା ବଜାରରେ ୬୦ ରୁ ୭୦ ଟଙ୍କାରେ ବିକ୍ରି ହେଉଛି। ଦାମ୍‌ ବଢ଼ିବା ପ୍ରତିଯୋଗିତା ରୁ ବାଦ୍‌ ପଡ଼ୁନାହାନ୍ତି ରସୁଣ ଓ ଅଦା। ରସୁଣ କିଲୋ ୨୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅଦା କିଲୋ ୧୧୦ ଟଙ୍କାରେ ବିକ୍ରି ହେଉଛି। ଖାଇବା ତେଲ ଓ ଡାଲି ଦାମ୍‌ ବି ବଢ଼ୁଛି। ଖାଇବା ତେଲ ଦାମ୍‌ ଲିଟର ପିଛା ୧୨୫ ଟଙ୍କାରେ ପହଞ୍ଚିଲାଣି। ଏହି ତେଲ ୮ ଦିନ ତଳେ ୧୧୦ ଟଙ୍କା ଥିବାବେଳେ ଗୋଟିଏ ସପ୍ତାହ ଭିତରେ ବଢ଼ି ୧୨୫ ଟଙ୍କାରେ ବିକ୍ରି ହେଉଛି। ହରଡ଼ ଡାଲି କିଲୋ ୧୬୦ ଟଙ୍କାରେ ପହଞ୍ଚିଲାଣି। ଆଉ କେତେ ଦିନ ଭିତରେ ଏହା ୨ଶହ ଛୁଇଁବ ବୋଲି ବ୍ୟବସାୟୀ ମହଲରେ ଆକନଳ ହେଲାଣି। ତୁରନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍‌ ନିୟନ୍ତ୍ରଣରେ ସରକାର ପଦକ୍ଷେପ ନ ନେଲେ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

nis-ad
Leave A Reply

Your email address will not be published.