ରାଜ୍ୟ ମୁଖ୍ୟ ସୂଚନା କମିଶନର(ସିଆଇସି)ପାଇଁ ବିଜ୍ଞପ୍ତି, ଲୋକାୟୁକ୍ତ ଅଧ୍ୟକ୍ଷ ପଦ ପୂରଣ ହେବ କେବେ ?

ଭୁବେନଶ୍ବର : ରାଜ୍ୟ ମୁଖ୍ୟ ସୂଚନା କମିଶନର(ସିଆଇସି) ଜଳଦ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ଆଜି ଏହି ପଦବୀ ପୂରଣ ପାଇଁ ରାଜ୍ୟ ସରକାର ବିଜ୍ଞାପନ ଜାରି କରିଛନ୍ତି । ମାତ୍ର ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ, ଲୋକାୟୁକ୍ତ ଅଧ୍ୟକ୍ଷ ଓ ଏହାର ସମସ୍ତ ସଦସ୍ୟ ଏବଂ ୩ଟି ସୂଚନା କମିଶନର ପଦବୀଗୁଡ଼ିକ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାରେ ଟାଳଟୂଳ ନୀତି ଆପଣାଇବାରେ ଲାଗିଛନ୍ତି। ସେପଟେ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟକାଳ ମଧ୍ୟ ଅଗଷ୍ଟ ୧୯ ତାରିଖରୁ ଶେଷ ହୋଇସାରିଛି । ତେବେ ଏସବୁ ବୈଧାନିକ ପଦବୀଗୁଡ଼ିକ ପୂରଣ ଦିଗରେ ରାଜ୍ୟ ସରକାର କାହିଁକି ପଦକ୍ଷେପ ନେଉନାହାନ୍ତି ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।
ରାଜ୍ୟ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଆସନ୍ତାକାଲି (ଶୁକ୍ରବାର) ଶେଷ ହେଉଥିବାରୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ବିଜ୍ଞାପନ ଜାରି ହୋଇଛି । ଏହି ପଦବୀ ପାଇଁ ନିର୍ଦ୍ଧାରିତ ଫର୍ମାଟରେ ଆବେଦନର ଶେଷ ତାରିଖ ନଭେମ୍ବର ୨ତାରିଖ ରହିଛି। ରାଜ୍ୟ ସୂଚନା କମିଶନରେ ମୋଟ ୫ଜଣ ସଦସ୍ୟ ଓ ଜଣେ ଅଧ୍ୟକ୍ଷ ରହିବାର ପ୍ରାବଧାନ ଥିବା ସତ୍ତ୍ୱେ ଏବେ ମାତ୍ର ଦୁଇଜଣ ସଦସ୍ୟ ସୁଶାନ୍ତ କୁମାର ମହାନ୍ତି ଓ ଜଗନ୍ନାଥ ରଥ ରହିଛନ୍ତି। ରାଜ୍ୟ ସରକାର ଏବେ ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ବିଜ୍ଞାପନ ଜାରି କରିଥିଲେ ମଧ୍ୟ ଖାଲି ପଡ଼ିଥିବା ଅନ୍ୟ ୩ଟି ସଦସ୍ୟ ପଦବୀ କାହିଁକି ପୂରଣ କରୁନାହାନ୍ତି ତାହା ଅସ୍ପଷ୍ଟ।
ରାଜ୍ୟ ଲୋକାୟୁକ୍ତ ଗତ ପ୍ରାୟ ୬ମାସ ଧରି ଅଚଳ ହୋଇପଡ଼ିଛି । ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂ ଓ ସଦସ୍ୟ ଜଷ୍ଟିସ ବିକେ ନାୟକ ୨୦୨୪ ମାର୍ଚ୍ଚରେ ଅବସର ନେବାପରେ ଅନ୍ୟ ଦୁଇ ସଦସ୍ୟ ଦେବବ୍ରତ ସ୍ୱାଇଁ ଏପ୍ରିଲ ୪ରେ ଓ ଆରପି ଶର୍ମା ଅଗଷ୍ଟ ୮ରେ ଅବସର ନେଇଛନ୍ତି । ଏପ୍ରିଲ ୪ରୁ ଲୋକାୟୁକ୍ତ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ସେଠାରେ ଥିବା ୪୦ରୁ ଅଧିକ କର୍ମଚାରୀ କେବଳ ବସିବସି ଦରମା ନେଉଛନ୍ତି । ରାଜ୍ୟ ସରକାର ଏବାବଦରେ ବାର୍ଷିକ ୯ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଥିବା ଜଣାପଡ଼ିଛି । ପୂର୍ବ ବିଜେଡି ସରକାର ଏହି ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ଚୟନ ନିମନ୍ତେ ଜଷ୍ଟିସ ଭି ଗୋପାଳ ଗୌଡ଼ାଙ୍କ ଅଧ୍ୟକ୍ଷତାରେ ୨୦୨୪ ଫେବୃୟାରୀ ୨୧ତାରିଖରେ ଏକ ସର୍ଚ୍ଚ କମିଟି ମଧ୍ୟ ଗଠନ କରିଥିଲେ । ଏହି ସର୍ଚ୍ଚ କମିଟି ୨୦୨୪ ମାର୍ଚ୍ଚ ୨୮ତାରିଖରେ ଏସବୁ ପଦବୀ ନିମନ୍ତେ ନିଜର ସୁପାରିଶ ସରକାରଙ୍କୁ ଦେଇଥିଲେ । କିନ୍ତୁ ଇତିମଧ୍ୟରେ ୬ମାସ ବିତିଯାଇଥିଲେ ମଧ୍ୟ ଲୋକାୟୁକ୍ତ ଅଚଳ ହୋଇ ପଡ଼ିରହିଛି । ବର୍ତ୍ତମାନର ବିଜେପି ସରକାର ଏହି ଲୋକାୟୁକ୍ତକୁ କାର୍ଯ୍ୟକ୍ଷମ କରିବା ଦିଗରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି ।
ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ ପଦବୀ ୨୦୨୩ ନଭେମ୍ବର ୧୭ତାରିଖରୁ ଖାଲି ପଡ଼ିଛି । ତତକାଳୀନ ଓଇଆରସି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ନାଟକୀୟ ଢଙ୍ଗରେ ଇସ୍ତଫା ଦେଇ ତତକାଳୀନ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ଅବସ୍ଥାପିତ ହୋଇଥିଲେ । ସେହିଦିନଠୁ ଗୁରୁତ୍ୱପୂର୍ଣ୍ଣ ଓଇଆରସି ଅଧ୍ୟକ୍ଷ ପଦ ଖାଲି ପଡ଼ିଛି । ଏବେ ସେଠାରେ ଦୁଇଜଣ ସଦସ୍ୟ ଗଜେନ୍ଦ୍ର ମହାପାତ୍ର ଓ ସୁଶାନ୍ତ କୁମାର ରାୟ କାର୍ଯ୍ୟ କରୁଛନ୍ତି । କିନ୍ତୁ ଦୀର୍ଘ ଏକବର୍ଷ ଧରି ଖାଲି ପଡ଼ିଥିବା ଓଇଆରସି ଅଧ୍ୟକ୍ଷ ପଦବୀକୁ ପୂରଣ ଦିଗରେ ବର୍ତ୍ତମାନର ମୋହନ ମାଝୀ ସରକାର ପଦକ୍ଷେପ ନନେବା ବି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
କେବଳ ଏହିସବୁ ପଦବୀ ନୁହେଁ, ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ କାର୍ଯ୍ୟକାଳ ଗତ ଅଗଷ୍ଟ ୧୯ତାରିଖରୁ ସରିଲାଣି । କିନ୍ତୁ ରାଜ୍ୟ ସରକାର ସେଠାରେ ଏପର୍ଯ୍ୟନ୍ତ କାହାରିକୁ ନିଯୁକ୍ତି ଦେଉନଥିବାରୁ ଶ୍ରୀ ପାଢ଼ୀ ତାଙ୍କର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରାବଧାନ ଅନୁସାରେ ନୂଆ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଶ୍ରୀ ପାଢ଼ୀ ଏହି ପଦବୀରେ ରହିପାରିବେ । ତତକାଳୀନ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ସ୍ୱେଚ୍ଛାକୃତ ଅବସର ନେଇ ୨୦୧୯ ଅଗଷ୍ଟ ମାସରେ ଏହି ଦାୟିତ୍ୱ ସମ୍ଭାଳିଥିଲେ । ଉକ୍ତ ପଦବୀରେ ସେ ସର୍ବାଧିକ ୫ବର୍ଷ କାର୍ଯ୍ୟ କରିବାର ପ୍ରାବଧାନ ରହିଛି ।
ରାଜ୍ୟରେ ଶାସନର ପରିବର୍ତ୍ତନ ହୋଇଛି । ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଗଢ଼ିଛି । କିନ୍ତୁ ରାଜ୍ୟର ଏହି ସବୁ ବୈଧାନିକ ପଦବୀଗୁଡ଼ିକ ପୂରଣ ଦିଗରେ ରାଜ୍ୟ ସରକାର କାହିଁକି ତ୍ୱରିତ୍ ପଦକ୍ଷେପ ନେଉନାହାହାନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନାଯୋଗ୍ୟ, ପୂର୍ବର ବିଜେଡି ସରକାର ରାଜ୍ୟର ବିଭିନ୍ନ ବୈଧାନିକ ସଂସ୍ଥାକୁ ନିଜ ମର୍ଜିରେ ପରିଚାଳନା ତଥା ନିଜ ଅନୁଗତମାନଙ୍କୁ ଥଇଥାନ କରି ଏସବୁ ସଂସ୍ଥାକୁ ପରୋକ୍ଷରେ ନିୟନ୍ତ୍ରଣରେ ରଖିଥିଲେ ବୋଲି ଅଭିଯୋଗ ହୁଏ ।

nis-ad
Leave A Reply

Your email address will not be published.