ଏଣିକି ସରୋଗେଟ ମାତା-ପିତାଙ୍କୁ ମିଳିବ ପ୍ରସବ ଛୁଟି

ଭୁବନେଶ୍ୱର : ଏଣିକି ସରୋଗେସି ଅବା ‘ଭଡ଼ାଗର୍ଭ’ ମାତୃତ୍ୱ ଲାଭ କରୁଥିବା ସରକାରୀ କର୍ମଚାରୀଙ୍କୁ ମିଳିବ ମାତୃତ୍ୱ ଛୁଟି ।  ସରୋଗେସିରେ କେହି ସରକାରୀ ମହିଳା କର୍ମଚାରୀ ଯଦି ମା’ ହୁଅନ୍ତି ତାହାଲେ ତାଙ୍କୁ ୧୮୦ ଦିନର ମାତୃତ୍ବ ଛୁଟି ଦେବେ ରାଜ୍ୟ ସରକାର ।  ଏଥିସହ ପୁରୁଷ କର୍ମଚାରୀଙ୍କୁ ମଧ୍ୟ ୧୫ ଦିନ ପିତୃତ୍ୱ ଛୁଟି ମିଳିବ।  ଆଜି ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ପୂର୍ବରୁ କେବଳ ସାଧାରଣ ମାତୃତ୍ୱ କ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ ୬ମାସ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ପ୍ରଦାନ କରାଯାଉଥିଲା ।  ଗତ ଜୁନ୍‌‌ ୧୮ ତାରିଖରେ ଭାରତ ସରକାର ସରୋଗେସି ମାତୃତ୍ୱ ଏବଂ ପିତୃତ୍ୱ ଛୁଟି ଘୋଷଣା କରିସାରିଛନ୍ତି ।  ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜ କର୍ମଚାରୀମାନଙ୍କ ପାଇଁ ଆଜି ଅନୁରୂପ ଛୁଟି ଘୋଷଣା କରିଛନ୍ତି ।

ସରୋଗେସି ଅଧିନିୟମ ୨୦୨୧ ଅନୁଯାୟୀ ଥିବା ସର୍ତ୍ତଗୁଡିକ ଏଥିପାଇଁ ପୂରଣ କରିବା ଆବଶ୍ୟକ ।  ରାଜ୍ୟ ସରକାରଙ୍କର ଜଣେ ମହିଳା କର୍ମଚାରୀ ଯାହାଙ୍କର ଦୁଇରୁ କମ୍ ସନ୍ତାନ ରହିଥିବ ଓ ସେ ସରୋଗେଟ୍ ଶିଶୁ ଚାହୁଁଥିବେ ତେବେ ସରକାରଙ୍କ ସର୍ତ୍ତ ପୁରଣ କରି ଛୁଟି ନେଇ ପାରିବେ ।  ତାଙ୍କର ଦୁଇରୁ କମ୍ ସନ୍ତାନ ଥିଲେ ସେ ଏହି ସୁବିଧା ପାଇ ପାରିବେ ।  ସେହିପରି ପୁରୁଷ କର୍ମଚାରୀ ଯଦି ପିତା ହୁଅନ୍ତି ତାହାଲେ ସନ୍ତାନ ଜନ୍ମ ତାରିଖରୁ ୬ମାସ ଭିତରେ ୧୫ଦିନର ପିତୃତ୍ଵ ଛୁଟି ପାଇପାରିବେ ।  ମାତୃତ୍ବ ଓ ପିତୃତ୍ବ ଛୁଟି ସୁବିଧା ପାଇବା ପାଇଁ ସରୋଗେଟ୍ ମାତା ଓ ପିତାମାତାଙ୍କ ମଧ୍ୟରେ ଉଧାର ମାତୃତ୍ବ ଉପରେ ହୋଇଥିବା ରାଜିନାମା ସହିତ ପଞ୍ଜିକୃତ ଡାକ୍ତରଖାନାରୁ ଚିକିତ୍ସା ସମ୍ବନ୍ଧୀୟ ସମସ୍ତ ରେକର୍ଡ ସରକାରଙ୍କ ନିକଟରେ ଦାଖଲ କରିବାକୁ ପଡିବ ।

nis-ad
Leave A Reply

Your email address will not be published.