ପଡିଆରେ ସଫାଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ସଫାଇ ମିତ୍ର ସୁରକ୍ଷା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପଡିଆ ବ୍ଲକର ଆଠଗୋଟି ପଞ୍ଚାୟତରେ ରହିଥିବା ବିଭିନ୍ନ ସଫେଇ ମିତ୍ରଙ୍କ କାର୍ଯ୍ୟକ୍ରମ, ଦାୟିତ୍ଵ ଓ ସୁରକ୍ଷା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ପ୍ରତ୍ୟକ ଘରେ ରହିଥିବା କମ୍ପଷ୍ଟ ପିଟ୍ ଓ ସକ୍ ପିଟ୍ରେ ଲୋକେ ଏକାଠି କରିଥିବା ଆବର୍ଜନାକୁ ଟ୍ରାଇ ସାଇକଲ୍ ମାଧ୍ୟମରେ ସଫେଇ କର୍ମଚାରୀ ମାନେ ସଂଗ୍ରହ କରି ପଞ୍ଚାୟତରେ ରହିଥିବା ଇ ଭେଇକିଲ୍ ଜରିଆରେ ପୃଥକୀକରଣ କେନ୍ଦ୍ରକୁ ପଠାଇବାକୁ କୁହାଯାଇଛି। ସେଠାରେ ବିଭିନ୍ନ ପ୍ରକାରର ଆବର୍ଜନାକୁ ପୃଥକୀକରଣ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରସ୍ତାବ ରହିଛି।

ଏଥିସହ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ନଳ ଦ୍ଵାରା ଜଳ ଯୋଗାଣ, ଜଳଜୀବନ ମିଶନ, ସ୍ଵଚ୍ଛ ଭାରତ ମିଶନ, ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା, ଉଜ୍ଜଳା ଯୋଜନା, ଆୟୁଷ୍ମାନ୍ ଭାରତ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ, ମିଶନ ଇନ୍ଦ୍ର ଧନୁଷ ଯୋଜନା ଓ ଗାଆଁ କଲ୍ୟାଣ ସମିତି ରେ ସଫେଇ ମିତ୍ର ଆଦି ଯୋଜନାରେ ଯୋଡି ହେବାକୁ ଉପସ୍ଥିତ ସଫେଇ କର୍ମଚାରୀଙ୍କୁ ସୂଚେଇ ଦିଆଯାଇଛି। ଏଠାରେ ଉପସ୍ଥିତ ସଫେଇ କର୍ମଚାରୀଙ୍କୁ ଝାଡୁ, କୋଦାଳ ସହ ବିଭିନ୍ନ ସଫେଇ ସାମଗ୍ରୀ ବଣ୍ଟନ କରାଯାଇଛି। ଏହାପରେ ବ୍ଲକ ପରିସରରେ ସଫେଇ କରାଯିବା ସହ ନିଜ ଗ୍ରାମ ତଥା ଅଞ୍ଚଳର ପରିବେଶର ସୁରକ୍ଷା ନେଇ ଶପଥପାଠ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଲକ ସାଂସଦ ପ୍ରତିନିଧି ପି ଭେଙ୍କଟେଶର ରାଓ, ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ, ବିଧାୟକଙ୍କ ପ୍ରତିନିଧି ମନ ଦୀପଙ୍କର ରାୟ, ଦେବା ମାଡକାମି, କୋଟାମ ବାଲାୟା, ଏନ୍ ରୁଷି ରାଓ ଓ ତାରକନାଥ ସାନା ପ୍ରମୂଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ପଡିଆ ବ୍ଲକ ସଂଯୋଜକ ଚୀନାମ ପ୍ରଶାନ୍ତ କୁମାର ପରିଚାଳନା କରିଛନ୍ତି।

nis-ad
Leave A Reply

Your email address will not be published.