ଓକିଲଙ୍କୁ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି

ବୁଗୁଡ଼ା : ଓକିଲ ଆଶିଷ ରାଉତଙ୍କୁ ଅଜଣା ଦୁର୍ବୁତ୍ତଙ୍କ ଆକ୍ରମଣ ଘଟଣାକୁ ବୁଗୁଡ଼ା ଓକିଲ ସଙ୍ଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ଓକିଲ ସଙ୍ଘ ପକ୍ଷରୁ ଏକ ଦାବିପତ୍ର ସ୍ଥାନୀୟ ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି l ଆଜି ବୁଗୁଡ଼ା ବାର ଆସୋସିଏସନ ହଲରେ ସଙ୍ଘ ସଭାପତି ବନବାସୀ ମହାରଣାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସଭାପତି ସରୋଜ କୁମାର ଦାଶ, ସମ୍ପାଦକ ଦୁର୍ଗା ମାଧବ ପଣ୍ଡା, ସହ ସମ୍ପାଦକ ସିମାଞ୍ଚଳ ନନ୍ଦ, କୋଷାଧକ୍ଷ କାହ୍ନୁ ଚରଣ ସାହୁ, ପ୍ରାକ୍ତନ ସଭାପତି ହର ପ୍ରସାଦ ଦାଶଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଘଟଣାର ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିବା ସହ ତୁରନ୍ତ ଗିରଫ କରାନଗଲେ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଥିଲା l ପ୍ରକାଶ ଥାଉ କି, ଗତକାଲି ସକାଳ ସାଢେ ଦଶଟା ସମୟରେ ଆଶିଷ ତାଙ୍କ ସ୍ତ୍ରୀଙ୍କୁ ନାଗିରି ଅଙ୍ଗନଓ୍ବାଡି କେନ୍ଦ୍ରରେ ଛାଡି ନିଜ ଗାଁ ମୋଟାବାଡିକୁ ଫେରୁଥିବା ବେଳେ ପୂର୍ବରୁ ଏକ ବାଇକରେ ଆସି ବାଟରେ ଛକିଥିବା ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ଲୁହା ରଡରେ ଆକ୍ରମଣ କରିବା ସହ ମୋବାଇଲ୍, ପର୍ସ ଓ ବାଇକ୍ ଡିକିରେ ଥିବା ଦରକାରୀ କାଗଜପତ୍ର ଲୁଟି ବାଇକରେ ଦ୍ରୁତ ଗତିରେ ଚାଲି ଯାଇଥିଲେ । ଆହତ ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଆକ୍ରମଣରେ ତାଙ୍କର ବାମ ହାତ ଭାଙ୍ଗିଥିବା ସହ ଅଣ୍ଟାରେ ପ୍ରବଣ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା ।

nis-ad
Leave A Reply

Your email address will not be published.