ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ : ୨୦୩୬ ସୁଦ୍ଧା ହେବ ବିକଶିତ ଓଡିଶାର ଅଭ୍ୟୁଦୟ

ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ସ୍ତରୀୟ ବିକାଶ ମେଳା ଅନଷ୍ଠିତ, ବିକଶିତ ଓଡିଶା ହେବ ବିକଶିତ ଭାରତ ପାଇଁ- ମାନ୍ୟବର ମନ୍ତ୍ରୀ

ଛତ୍ରପୁର : ଓଡିଶା ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ସ୍ତରୀୟ ବିକାଶ ମେଳା ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗୀୟ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ଯୋଗ ଦେଇ ବିକାଶ ମେଳାକୁ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ କହିଥିଲେ ଯେ, ଅଢେଇ ଦଶନ୍ଧି ପରେ ଓଡିଶା ବାସୀଙ୍କ ଆଶୀର୍ବାଦ ଓ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆଜି ଆମେ ସରକାର ଗଢିପାରିଛୁ । କଥା ଦେଇ କଥା ରଖିବା ଆମ ସରକାରର କାମ । ନିର୍ବାଚନ ସଂକଳ୍ପ ପତ୍ର ରେ ଯାହା ଲେଖି ଥିଲୁ ତାହା ଆଜି ଅକ୍ଷରେ ଅକ୍ଷରେ ପାଳନ କରୁଛୁ । 100 ଦିନର ସଫଳତା ମଧ୍ୟରେ ମହାପ୍ରଭୁ ଜଗନ୍ନାଥ ଙ୍କ ଚାରି ଦ୍ବାର ଖୋଲିବା, ଚାଷୀ ମାନଙ୍କ ପାଇଁ ଧାନ କ୍ବିଣ୍ଟାଲ ପିଛା 3100 ଟଙ୍କା ଦେବା, ଯୁବଶକ୍ତି ଓ ନାରୀ ଶକ୍ତିର ଉନ୍ନତି କରିବା ସରକାରର ମୂଳ ଲକ୍ଷ୍ୟ । ସରକାରଙ୍କର ଯୁଗାନ୍ତକାରୀ ପଦକ୍ଷେପ ହେଉଛି 55 ହଜାର କୋଟିର ସୁଭଦ୍ରା ଯୋଜନା । ଗଞ୍ଜାମ ଜିଲ୍ଲାକୁ ଆଗେଇ ନେବା ପାଇଁ ଜିଲ୍ଲାପାଳ ସର୍ବଦା ଦକ୍ଷତାର ସହ କାର୍ଯ୍ୟ କରୁଛନ୍ତି । ବାର୍ଷିକ 60 ହଜାର ନିଯୁକ୍ତି ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଆୟୁଷ୍ମାନ ଭାରତ ଓ ପ୍ରଧାନ ମନ୍ତ୍ରୀ ଆରୋଗ୍ୟ ଯୋଜନାରେ ଏକ କୋଟି ପରିବାରକୁ ମାଗଣା ସ୍ବାସ୍ଥ୍ୟସେବା ମିଳିବ । ଓଡିଶାର ଅସ୍ମିତା ପାଇଁ 200 କୋଟି ଟଙ୍କାର କର୍ପସ୍ ପାଣ୍ଠି ଗଠନ କରାଯାଇଛି । ବିକଶିତ ଓଡିଶା ହେବ ବିକଶିତ ଭାରତ ପାଇଁ ।
ପ୍ରାରମ୍ଭରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସମସ୍ତ ଅତିଥି ମାନଙ୍କୁ ସ୍ବାଗତ କରିବା ପରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ“ ବିଧିଗତ ପରିବେଷଣ କରାଯାଇଥିଲା ।

ଜିଲ୍ଲାପାଳ ଶ୍ରୀ ପରିଡା ପ୍ରାରମ୍ଭିକ ସୂଚନା ଦେଇ କହିଥିଲେଯେ, ସରକାରଙ୍କ ଦ୍ବାରା ବହୁବିଧ କଲ୍ୟାଣକାରୀ ଯୋଜନା ଗୁଡିକ କାର୍ଯ୍ୟକାରୀ କରାଯାଉଛି । ସେହି ସମସ୍ତ ଯୋଜନା ଗୁଡିକ ସମ୍ପର୍କରେ ଜନ ସାଧାରଣ ଅବଗତ ହେଲେ ଯାଇ ତାହାର ସୁଫଳ ନେଇ ପାରିବା । ତେଣୁକରି ଏହି ଶିକ୍ଷା ଓ ସଂଚାର ଭିତ୍ତିକ ସଚେତନତା ସୃଷ୍ଟି ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ଜାଣିବା ଓ ଅନ୍ୟକୁ ଜଣାଇବା ତେବେ ଯାଇ ଏଥିରୁ ଆମ ଲୋକେ ଉପକୃତ ହୋଇପାରିବେ ।
ଛତ୍ରପୁର ମାନ୍ୟବର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଚିକିଟି ମାନ୍ୟବର ବିଧାୟକ ମନୋ ରଞ୍ଜନ ଦ୍ୟାନ ସାମନ୍ତରାୟ, ଭଞ୍ଜନଗର ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ , କବିସୂର୍ଯ୍ୟ ନଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଓଡିଶା ସରକାରଙ୍କ ବହୁବିଧ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ 100 ଦିନର ସଫଳତା ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଅନ୍ୟତମ ଅତିଥି ଭାବେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ମାନସୀ ସ୍ବାଇଁ, କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ସୂର୍ଯ୍ୟ ନାୟକ, ଦିଗ ପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ବାଲି ପଣ୍ଡା ଯୋଗ ଦେଇଥିଲେ ।
ଜାତୀୟ ଖାଦ୍ୟ ନିରାପତ୍ତା ମିଶନ୍ ଅଧୀନରେ ଛତ୍ରପୁର କୃଷକ ଉତ୍ପାଦ ସଂଗଠନ ଓ ବାବା ବିଶ୍ବନାଥ କୃଷକ ଉତ୍ପାଦ ସଂଗଠନ ପୁରୁଷୋତ୍ତମପୁର ଙ୍କୁ ମିନି ଡାଲି ମିଲ୍ ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବ୍ରୟଲର କୁକୁଡା ପାଳନ ନିମନ୍ତେ ମାଟିଖାଲର ଜୟନ୍ତୀ ପ୍ରଧାନଙ୍କୁ ଆଦେଶ ପତ୍ର ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ( ବାୟୋଫ୍ଲକ୍ ମାଛ ଚାଷ) ନିମନ୍ତେ ଛତ୍ରପୁର ବ୍ଲକ୍ ର ମଞ୍ଜୁଲତା ସାମନ୍ତରାୟଙ୍କୁ 15 ଲକ୍ଷ (ରିହାତି 11 ଲକ୍ଷ) ଓ ଚିକିଟି ବ୍ଲକ୍ ଚନ୍ଦନ ବିଷୋୟୀଙ୍କୁ ( ବାୟୋଫ୍ଲକ୍ ମାଛ ଚାଷ) ନିମନ୍ତେ 50 ଲକ୍ଷ (ରିହାତି 20 ଲକ୍ଷ) ଟଙ୍କା ପ୍ରଦାନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ସଂସ୍କୃତି ଅଧକାରୀ ରବି ନାରାୟଣ ବେହେରା ସମସ୍ତ ଅତିଥି ଗଣ ଓ ଜନ ସାଧାରଣ ନିଜର ବହୁମୂଲ୍ୟ ସମୟ ଦେଇ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଓରମାସ ଦ୍ବାରା ଆୟୋଜିତ ଏହି ବିକାଶ ମେଳା ତିନି ଦିନ ଧରି ଚାଲିବ । ପ୍ରତିଦିନ ପୂର୍ବାହ୍ନ 10 ଘ. ଠାରୁ ପ୍ରଦର୍ଶନୀ ମେଳା ଚାଲିବ । ଏହି ମେଳାରେ ପଞ୍ଚାୟତିରାଜ ଏବଂ ଡିବ୍ଲୁ ବିଭାଗର 3 ଗୋଟି ଷ୍ଟଲ, ମିଶନ୍ ଶକ୍ତି,ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଯୋଜନା, ଜେନେରାଲ ମ୍ୟାନେଜର ଡି.ଆଇ.ସି., ପର୍ଯ୍ୟଟନ, ଜିଲ୍ଲା ସାମାଜିକ ସୁରକ୍ଷା, ଟାଟା ପାଓ୍ବାର ସପ୍ଲାଇ, ମତ୍ସ୍ୟ, ପଶୁ ସମ୍ପଦ ଓ ପ୍ରାଣୀ, କୃଷି ବିଭାଗ, ଉଦ୍ୟାନ ବିଭାଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଆରକ୍ଷୀ ବିଭାଗ,, ଓରମାସ୍ ର 5 ଗୋଟି ଷ୍ଟଲ , ମିଶନ୍ ଶକ୍ତି, ମହିଳା ଶିଶୁ କଲ୍ୟାଣ, ହସ୍ତ ତନ୍ତ, ଏଚ୍ ଆଣ୍ ସି.ଆଇ, ପ୍ରାଡ୍ୟୁସର ଗୃପ୍ ର 2 ଗୋଟି ଷ୍ଟଲ ଏବଂ ଜିଲ୍ଲା ଅଗ୍ନି ଶମ ବିଭାଗ ଦ୍ବାରା ପ୍ରଦର୍ଶନୀ ଷ୍ଟଲ ଖୋଲା ଯାଇଅଛି ।
ଶେଷରେ ଜିଲ୍ଲା ସଂସ୍କୃତି ବିଭାଗ ଦ୍ବାରା ଯୋଡିଶଙ୍ଖ, ପଶୁମୁଖା ନୃତ୍ୟ, ଓଡିଶୀ ନୃତ୍ୟ ଓ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଲୋକକଳା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

nis-ad
Leave A Reply

Your email address will not be published.