ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ଶାଖାର ଅଭିମୁଖୀକରଣ କାର୍ଯ୍ୟକ୍ରମ

ଆସିକା ତା ୨୧/୯ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ଯୁବ ରେଡକ୍ରସ୍ ଶାଖାର ଉପଦେଷ୍ଟା ଦ୍ବୟ ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ ଏବଂ ଓଡ଼ିଆ ଅଧ୍ୟାପକ ଡ. ଅଜିତ୍ କୁମାର ମୁନୀଙ୍କ ସଂଯୋଜନାରେ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏକ ଓରିଏଣ୍ଟେସନ୍ ପ୍ରୋଗ୍ରାମ (ଅଭିମୁଖୀକରଣ କାର୍ଯ୍ୟକ୍ରମ) ସେମିନାର ହଲ୍ ଠାରେ ସଂପାଦିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ବରପୁର କଲେଜର ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ଓ ଦକ୍ଷିଣ ଓଡ଼ିଶାର ରେଡକ୍ରସ ସଂଯୋଜକ ପ୍ରଫେସର ବି. ଗୋବିନ୍ଦ ରାଓ ମୁଖ୍ୟ ଅତିଥି ଏବଂ ଆଂଚଳିକ ମହାବିଦ୍ୟାଳୟ, ଜଗନ୍ନାଥପ୍ରସାଦର ଅବସର ପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ତଥା ଗଂଜାମ ଜିଲ୍ଲାର ବରିଷ୍ଠ ଯୁବ ରେଡକ୍ରସ ଉପଦେଷ୍ଟା ଡ. ଲୋକନାଥ ମହାନ୍ତି ମୁଖ୍ୟବକ୍ତାରୂପେ ଉପସ୍ଥିତ ଥିଲେ।

ଡେମୋଷ୍ଟ୍ରେଟର ଧନଞ୍ଜୟ ମହାପାତ୍ରଙ୍କ ବେଦ ମନ୍ତ୍ର ଧ୍ବନୀରେ ପ୍ରଥମେ ଦେବ ବିଗ୍ରହରେ ତଥା ରେଡକ୍ରସର ପୃଷ୍ଟପୋଷକ ସାର୍ ଜନ୍ ହେନରୀ ଡ୍ୟୁନଟଙ୍କ ବିଗ୍ରହରେ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଉପଦେଷ୍ଟା ଡ. ମୁନୀ ଅତିଥିଙ୍କ ପରିଚ଼ୟ ଏବଂ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ ସ୍ବାଗତ ଭାଷଣ ରଖିଥିଲେ ଏବଂ ସମାଜରେ ମାନବିକତାର ଧାରାକୁ ସେବା ଦ୍ବାରା ଅକ୍ଷୁର୍ଣ୍ଣ ରଖିବା ପାଇଁ ସ୍ବେଚ୍ଛାସେବୀମାନଙ୍କୁ ଆହ୍ବାନ କରିଥିଲେ ଏବଂ ମାନବ ସେବା ହିଁ ମାଧବ ସେବା ବୋଲି କହିଥିଲେ।ମୁଖ୍ୟ ଅତିଥି ପ୍ରଫେସର ରାଓ ସ୍ବେଚ୍ଛାସେବୀଙ୍କ ଗହଣରେ ଆଧ୍ୟାତ୍ମିକ ସଂଗୀତ ପରିବେଷଣ କରି ପ୍ରଥମେ ରେଡକ୍ରସର ଇତିହାସକୁ ଏବଂ ସାର ଜନ୍ ହେନରୀ ଡ୍ୟୁନଟଙ୍କ ଉଚ୍ଚକୋଟି ମାନବୀୟ ସେବାକୁ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ନିକଟରେ ଉପସ୍ଥାପନ କରିଥିଲେ। ସମାଜରେ ବଞ୍ଚିରହିଥିବା ନିଶ୍ବ, ଦୁସ୍ଥ, ଅସହାୟ, ଉତ୍ପିଡ଼ନର ଭାରାକ୍ରାନ୍ତରେ ଜର୍ଜରିତ ଏବଂ ନିଷ୍ପେସିତ ବ୍ୟକ୍ତିଙ୍କୁ ସେବା ମାଧ୍ୟମରେ ମାନବିକତାର ମୁଖ୍ୟସ୍ରୋତରେ ଶାମିଲ କରିବା ପାଇଁ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ଦିଗ୍ଦର୍ଶନ ଦେଇଥିଲେ। ରେଡକ୍ରସର ଏଡସ୍ ସଚ଼େତନତା, ସ୍ବେଚ୍ଛାକୃତ ରକ୍ତଦାନ, ବିଭିନ୍ନ ଯାନୀ ଯାତ୍ରାରେ ଜନସାଧାରଣଙ୍କୁ ନିଜ ଶ୍ରମ ଦ୍ବାରା ସେବା ଯୋଗାଇଦେବା, ସ୍ବଚ୍ଛ ଭାରତ ଅଭିଯାନ, ସଡ଼କ ସୁରକ୍ଷା ସଚ଼େତନତା,ପ୍ରାଥମିକ ଚିକିତ୍ସା ସଚ଼େତନତା, ପ୍ଳାଷ୍ଟିକ ମୁକ୍ତ ସଚ଼େତନତା, ଅଗ୍ନି ସୁରକ୍ଷା ସଚ଼େତନତା, ପ୍ରାକୃତିକ ବିପର୍ଯ୍ୟୟରୁ ମୁକ୍ତି ପାଇଁ ସଚ଼େତନତା, ସାଇବର କ୍ରାଇମରୁ ମୁକ୍ତି ସଚ଼େତନତା, ବୃକ୍ଷ ତଥା ଚ଼ାରାରୋପଣ ଇତ୍ୟାଦି ଗଠନ ମୂଳକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବା ପାଇଁ ସ୍ବେଚ୍ଛାସେବୀମାନଙ୍କୁ ଆହ୍ବାନ କରିଥିଲେ। ରେଡକ୍ରସର ସେବାମୂଳକ ଯୋଜନାବଦ୍ଧ ଧାରାରେ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ମଧ୍ୟ କହିଥିଲେ। ମୁଖ୍ୟ ବକ୍ତା ଡ. ମହାନ୍ତି ‘ସ୍ବେଚ୍ଛାସେବୀ ଆମେ ସ୍ବେଚ୍ଛାସେବୀ ପରିବର୍ତ୍ତନର ଆମେ ଅସଲି ଚାବି’ ଏବଂ ‘ବିଶ୍ବ ବିଜୟୀ ନୌଜବାନ୍’ ଦୁଇଟି ହୃଦୟସ୍ପର୍ଷୀ ମଧୂର ସଙ୍ଗୀତ ମୁର୍ତ୍ସନାରେ ସ୍ବେଚ୍ଛାସେବୀମାନଙ୍କୁ ଅଭିମନ୍ତ୍ରିତ ଏବଂ ମନ୍ତ୍ରମୁଗ୍ଧ କରିପାରିଥିଲେ।

ରେଡକ୍ରସର ସାତୋଟି ମୌଳିକ ନୀତି – ମାନବିକତା, ନିରପେକ୍ଷତା, ନିଷ୍ପକ୍ଷତା, ସ୍ବାଧିନତା, ସ୍ବେଚ୍ଛାକୃତ ସେବା, ଏକତା ଏବଂ ସାର୍ବଜନୀନତାକୁ ବଜାୟ ରଖିବା ପାଇଁ ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ଉକ୍ତ ସ୍ବେଚ୍ଛାସେବୀ ଅଭିମୁଖୀକରଣ କାର୍ଯ୍ୟକ୍ରମରେ ଶତାଧିକ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସଂଗଠକ ସ୍ବେଚ୍ଛାସେବୀ ଛାତ୍ର ହୃଷିକେଶ୍, ପବନ, ହିମାଂଶୁ, ସନ୍ତୋଷ, ସୁମନ, ତେଜସ୍ବୀ, ବିଶ୍ବଜିତ୍, ସ୍ମୃତିରଂଜନ, ଇତ୍ୟାଦି ସାଥୀଛାତ୍ର ଏବଂ ଶୁଭଶ୍ରୀ, ପିନାକୀ ଏବଂ ସାଥୀ ଛାତ୍ରୀଙ୍କ ସକ୍ରୀୟ ସହଯୋଗରେ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇପାରିଥିଲା। ପରିଶେଷରେ ଉପଦେଷ୍ଟା ସାହୁ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଉପାଦେୟ ମତାମତକୁ ନିଜ ଜୀବନରେ ଚ଼ରିତାର୍ଥ କରି ସମାଜରେ ପ୍ରତିଷ୍ଠିତ ସ୍ବେଚ୍ଛାସେବକ ଓ ସେବିକା ହେବା ପାଇଁ ଆହ୍ବାନ କରିଥିଲେ ଏବଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.