ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରଲର, ଜଣେ ମୃତ : ଦୂର୍ଘଟଣାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଲା, ବିଦ୍ୟୁତ ସରବରାହ ବିଚ୍ଛିନ୍ନ…
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ଆରଏମସି ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୂର୍ଘଟଣା ଘଟି ଟ୍ରାକ୍ଟର ଚାଳକ ତଥା ମାଲିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ପିତଳ ଗ୍ରାମ ଦେଶୀବେହେରା ସାହିର ଲବ ବେହେରା (୩୯) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୭୬୪/୨୪ରେ ଏକ ମାମଲା ରୁଜୁ କରି ମୃତଦେହ ଜବତ କରି ଶୁକ୍ରବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି । ବ୍ୟବଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରିବା ସହ ଟ୍ରଲର ଚାଳକଙ୍କୁ ଥାନାରେ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଏସ.ଆଇ. ତଥା ତଦନ୍ତକାରୀ ଅଧିକାରୀ ସୁରେଶ ସାହୁଙ୍କ ସୂତ୍ରରୁ ପ୍ରକାଶ ।
ପ୍ରକାଶ ଯେ, ଗୁରୁବାର ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ହିଞ୍ଜିଳି ଥାନା ବୁଗୁଡାପଲ୍ଲୀ ଅଞ୍ଚଳର ଏକ କ୍ରସରରୁ ଗୁଡି ବୋଝେଇ କରି ଏକ ଟ୍ରାକ୍ଟର (ଓଡି୦୭କ୍ୟୁ ୬୨୦୯)ହିଞ୍ଜିଳି ଅଭିମୁଖେ ଯାଉଥିଲା । ସେହି ସମୟରେ ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଯାଉଥିବା ଏକ ମାର୍ବଲ ବୋଝେଇ ଟ୍ରଲର (ଜିଜେ୦୧ ଜେଟି ୨୭୨୮) ଟ୍ରାକ୍ଟରକୁ ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ଆରଏମସି ଛକ ନିକଟରେ ଧକ୍କା ଦେବା ସହ ରାଜପଥ ପ୍ୱାଶ୍ୱର୍ରେ ଥିବା ଏକ ବିଦ୍ୟୁଥ ଖୁଣ୍ଟ ସହ ଧକ୍କା ଘଟିଥିଲା । ଦୂର୍ଘଟଣାସ୍ଥଳରେ ହିଁ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟାରମ୍ଭ କରିଥିଲେ । ବିଦ୍ୟୁତ ବିଭାଗୀୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ସାରା ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । କ୍ରେନ ସହାୟତାରେ ରାଜପଥ ଉପରୁ ଗାଡିକୁ ହଟାଇବା ସହ ଚାଳକଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା ।