ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି : ଦକ୍ଷିଣାଞ୍ଚଳ ରାଜସ୍ଵ ଆୟୁକ୍ତ ରୂପା ରୋଶନ ସାହୁ ମାଲକାନଗିରି ଜିଲ୍ଲା ଗସ୍ତ କରି ଲଗାଣ ବର୍ଷା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀମତି ସାହୁ ଏମ୍ ଭି ୭ ଓ ଏମ୍ ଭି ୧୯ ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ଅଙ୍ଗନୱାଡ଼ି କର୍ମୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ରରେ ଶିଶୁଙ୍କ ଉତ୍ତମ ସ୍ଵାସ୍ଥ୍ୟ ନିମନ୍ତେ ବିଭିନ୍ନ ପନିପରିବା ଚାରା ରୋପଣ କରି ପୋଷଣ ବାଟିକା ତିଆରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶିଶୁଙ୍କ ମଧ୍ୟରେ କିଛି ବ୍ୟବହାରିକ ପରିବର୍ତ୍ତନ ଘଟୁଛି ନ ନାହିଁ ସେହି ବିଷୟରେ ମଧ୍ୟ ପଚାରି ବୁଝିଥିଲେ। ସେହିପରି ସେ ଏମ୍ ଭି -୧୯ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ସେଠାରେ ଆଲୋଚନା କରିଛନ୍ତି। ଏମ୍ ଭି-୭ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଶ୍ରେଣୀ ଗୃହ ବୁଲିଥିଲେ ଓ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି କିଭଳି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇ ପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିଛନ୍ତି। ଏମ୍ ଭି -୧୯ ରେ ଏକ ଜନ ସେବା କେନ୍ଦ୍ର ପରିଦର୍ଶନ କରି ସୁଭଦ୍ରା ଫର୍ମ ପୂରଣ ଠିକ୍ ଭାବରେ ଚାଲିଛି ନା ନାହିଁ ଅବଗତ ହୋଇଥିଲେ ଓ ସେଠାରେ ମହିଳା ମାନଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ଶ୍ରୀମତୀ ସାହୁ ପୋଟେରୁ ଅଞ୍ଚଳ ଗସ୍ତ କରି ଲଗାଣ ବର୍ଷା ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ ।ଲଗାଣ ବର୍ଷା ପରବର୍ତ୍ତୀ ସ୍ଥିତିରେ ଜନଜୀବନ କିଭଳି ସ୍ଵାଭାବିକ ହୋଇପାରିବ ସେଥି ନିମନ୍ତେ ତ୍ୱରିତ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଶେଷରେ ଗୋରାଖୁଣ୍ଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷୁୱାଡା ଆଦିବାସୀ ଗ୍ରାମ ଗସ୍ତ କରି ମାଆ ମାନଙ୍କ ସହ ମମତା ଓ ସୁଭଦ୍ରା ଯୋଜନା ଭଳି ସରକାରଙ୍କ ବିଭିନ୍ନ ଜନ ହିତାଧିକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଏହି ଗସ୍ତରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ବେଦବର ପ୍ରଧାନ, ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ, ବିଶ୍ଵନାଥ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ତେରେସ୍କଭା ମଲ୍ଲିକ, ସଦର ବିଡ଼ିଓ, ପ୍ରଭାତୀ ଝୋଡ଼ିଆ, ତହସିଲଦାର, ଲଳିତ ବାଘ ଓ ଏବିଇଓ ଉପସ୍ଥିତ ଥିଲେ।

କ୍ଷେତ୍ର ପରିଦର୍ଶନ ପରେ ଶ୍ରୀମତୀ ସାହୁ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ରିଲିଫ୍ କୋଡ୍ ଅନୁଯାୟୀ କିଭଳି ସହାୟତା ମିଳିବ ସେଥି ନିମନ୍ତେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୁରୁତ୍ଵାରୋପ କରିଛନ୍ତି। ଗ୍ରାମାଂଚଳରେ ସ୍ବଚ୍ଛତା କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। କୃଷି, ସ୍ଵାସ୍ଥ୍ୟ, ଯୋଗାଣ ଓ ଜିଲ୍ଲା ମଙ୍ଗଳ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରି ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର ଓ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୋମନାଥ ପ୍ରଧାନ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.