ଚିତ୍ରକୋଣ୍ଡା ଜଳଭଣ୍ଡାରର ୨ଟି ଗେଟ ଖୋଲିଲା

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରରୁ ଆଜି ନିଷ୍କାସନ ଜାରି ରହିଛି ପ୍ରଥମ ବନ୍ୟାଜଳ । ପୂର୍ବରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୯ ଘଟିକା ସମୟରେ ଖୋଲିବା ପାଇଁ ସ୍ଥିର କରାଯାଇଥିଲା କିନ୍ତୁ ଜଳସ୍ତର ନିର୍ଦିଷ୍ଟ ପରିମାଣର ବୃଦ୍ଧି ନ ହୋଇଥିବାରୁ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ଅପରାହ୍ନ ୩ ଘଟିକାରେ ଖୋଲିବ ପାଇଁ ନିର୍ଧାରିତ କରାଯାଇଥିଲା । ପୋଟେରୁ ଜଳସେଚନ ପ୍ରକଳ୍ପ, ବାଲିମେଳା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କ ଦ୍ଵାରା ପ୍ରଥମେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇ ୩ ଥର ସତର୍କ ଘଣ୍ଟି ବଜାଇବା ପରେ କ୍ରମାଗତ ଭାବେ ୫ ନମ୍ବର ଏବଂ ୬ ନମ୍ବର ଗେଟ ଖୋଲାଯାଇଥିଲା । ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କ ସୂଚନା ଅନୁଯାୟୀ ୨ ଗୋଟି ଗେଟ ମାଧ୍ୟମରେ ୨୧୦୦୦ କ୍ୟୁସେକ ଜଳ ପ୍ରତି ସେକେଣ୍ଡ ରେ ନିଷ୍କାସନ ହେଉଛି । ବର୍ତ୍ତମାନ ଜଳସ୍ତର ୧୫୧୨.୩ ଫୁଟ ଥିବା ବେଳେ ୧୫୧୦ ଫୁଟ ହେବା ପର୍ଯ୍ୟନ୍ତ ଜଳ ନିଷ୍କାସନ କରାଯିବ ବୋଲି ସୂଚନା ଦେଇଛନ୍ତି । କିଛି କ୍ଷଣ ପାଇଁ ୭ ନମ୍ବର ଗେଟକୁ ଖୋଲା ଯାଇ ବନ୍ଦ କରି ଦିଆଯାଇଥିଲା । ପୋଟେରୁ ଜଳସେଚନ ପ୍ରକଳ୍ପ, ବାଲିମେଳା ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପୀତବାସ ସେଠିଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନା ର ନିରୀକ୍ଷଣ ଯନ୍ତ୍ରୀ ରମାକାନ୍ତ ପାତ୍ରଙ୍କ ସହଯୋଗରେ ସ୍ଥାନୀୟ ତହସିଲଦାର ନଟବର ଗରଡ଼ା ଏବଂ ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ଉପସ୍ଥିତି ରେ ଗେଟ ଗୁଡ଼ିକ ଖୋଲା ଯାଇଛି । ତହସିଲର ଆରଆଇ ଏବଂ ଏଆରଆଇ ମଧ୍ୟ ଉପସ୍ଥିତ ଥିଲେ । ଚିତ୍ରକୋଣ୍ଡା ଥାନା ତରଫରୁ ସମସ୍ତ କର୍ମକର୍ତ୍ତା ସୁରକ୍ଷା ପାଇଁ ସଜାଗ ରହିଥିଲେ । ଗେଟ ଖୋଲାଯିବା ସମୟରେ ବ୍ରିଜ ଉପରକୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା ।

nis-ad
Leave A Reply

Your email address will not be published.