ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ସହ ବୁଲେଟ ଚୋରୀ, ଥାନାରେ ଏତାଲା

ହିଞ୍ଜିଳିକାଟୁ : ଶେରଗଡ ବ୍ଳକ ଡେଙ୍ଗାପଦର ଗ୍ରାମ ପଞ୍ଚାୟତର‌ ପୂର୍ବତନ ସରପଞ୍ଚ ରାମକୃଷ୍ଣ ପୋଲାଇଙ୍କୁ ୨ ମୁଖାଧାରୀ ଦୁବୃର୍ତ୍ତ ଆକ୍ରମଣ କରିବା ସହ ବୁଲେଟ ବାଇକ୍ (ଓଡି୦୭ଏଏମ ୪୩୮୨)କୁ ଲୁଟି ନେଇଥିବା ନେଇ ରାମକୃଷ୍ଣ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ – ୭୨୧/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ। ଅଭିଯୋଗ ପ୍ରକାରେ, ଶେରଗଡ ବ୍ଳକ ଡେଙ୍ଗାପଦର ଗ୍ରାମ ପଞ୍ଚାୟତର‌ ପୂର୍ବତନ ସରପଞ୍ଚ ତଥା ଶେରଗଡ ଥାନା ବାକିଲିକଣା ଗ୍ରାମର ରାମକୃଷ୍ଣ ପୋଲାଇ ଶନିବାର ଭୋର ସମୟରେ ବୁଲେଟ ବାଇକ୍ ଯୋଗେ ପୋଚିଲିମା ଅଭିମୁଖେ ଆସୁଥିଲେ। ହିଞ୍ଜିଳି ଥାନା ବଳରାମପୁର ଖଜୁରୀବନ୍ଧ ଛକ ନିକଟରେ ୨ ଜଣ ମୁଖାଧାରୀ ଦୁବୃର୍ତ୍ତ ରାମକୃଷ୍ଣଙ୍କୁ ଅଟକାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ରାମକୃଷ୍ଣ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ଘଟଣା ସ୍ଥଳରୁ ଦୈାଡି ପଳାଇଥିଲେ। ଦୁବୃର୍ତ୍ତ ମାନେ ହତ୍ୟା କରିବା ପାଇଁ ରାମକୃଷ୍ଣଙ୍କୁ ଗୋଡାଉଥିବା ବେଳେ ସେହି ରାସ୍ତାଦେଇ କିଛି ଯାନବାହାନ ଆସିବାରୁ ଦୁବୃର୍ତ୍ତ ମାନେ ରାମକୃଷ୍ଣଙ୍କ ବୁଲେଟ ଗାଡିକୁ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଅନ୍ୟପକ୍ଷରେ ଗତ ୨୦୧୬ ମସିହାରେ ସେହି ଗ୍ରାମର ଦିଲିପ ପୋଲାଇ ହତ୍ୟା କରିବା ଉଦେଶ୍ୟରେ ରାମକୃଷ୍ଣଙ୍କୁ ଆକ୍ରମଣ କରିଥିଲେ। ଶୁକ୍ରବାର ସଂପୃକ୍ତ ଘଟଣାର ରାମକୃଷ୍ଣ କୋର୍ଟରେ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ପାଇଁ ଯାଇଥିଲେ। କୋର୍ଟରୁ ବାହାରକୁ ଆସିବା ପଛରେ ଦିଲିପ, ତାଙ୍କୁ ଧମକ ଦେଇଥିଲେ, ଶନିବାର ଆକ୍ରମଣ ଘଟଣାରେ ଦିଲିପଙ୍କ ହାତ ରହିଥିବା ସନ୍ଦେହ କରିଛନ୍ତି ବୋଲି ରାମକୃଷ୍ଣ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।

nis-ad
Leave A Reply

Your email address will not be published.