ହିଞ୍ଜିଳିରେ କବାଡିଆ ଦୋକାନ ମାଳମାଳ : ବଢୁଛି ଚୋରା କାରବାର…


ହିଞ୍ଜିଳିକାଟୁ, ୪ା୮ (): ଭଙ୍ଗା, ଦଦରା ଲୁହା, ଟିଣ, ପ୍ଳାଷ୍ଟିକ, ଅଦରକାରୀ କାଗଜ କିଣା ବିକା କରିବା ଲାଗି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ଗଢି ଉଠିଛି କବାଡିଆ ଦୋକାନ । ଦିନକୁ ଦିନ ସ୍ଥାନୀୟ ଅଞ୍ଚଳରେ କବାଡିଆ ଦୋକାନ ଗୁଡ଼ିକ ଛତୁ ଫୁଟିଲା ଭଳି ଗଢି ଉଠୁଛି । ବାସ୍ତବ କ୍ଷେତ୍ରରେ କିଛି ଅସାମାଜିକ ଶ୍ରେଣୀର ବ୍ୟକ୍ତି କମ୍ ମଜୁରୀ ପ୍ରଦାନ କରି ଗରିବ ଶ୍ରେଣୀର କୋମଳମତି ଶିଶୁ ମାନଙ୍କୁ ଭଙ୍ଗା, ଦଦରା ଲୁହା, ଟିଣ, ପ୍ଳାଷ୍ଟିକ, ଅଦରକାରୀ କାଗଜ ସଂଗ୍ରହ କରିବା ପାଇଁ ପଠାଉଥିବା ବେଳେ ଅସଲରେ କିଛି ଅଲଗା ଉଦ୍ଦେଶ୍ୟ ରହିଥିବା ଜଣାପଡିଛି । ସଂପୃକ୍ତ ଗରିବ ଶ୍ରେଣୀର ଶିଶୁ ମାନେ ମଉକା ଦେଖି ବିଭିନ୍ନ ସାହି ବସ୍ତିରୁ ଘରର ପଛପଟେ ରହିଥିବା ପିତଳ, କଂସା ବାସନ କୁସନ ସମେତ ଲୁହାରେ ନିର୍ମତ ବିଭିନ୍ନ ଆବଶ୍ୟକ ଯନ୍ତ୍ରପାତିକୁ ଚୋରାଇ ଆଣି କବାଡିଆ ଦୋକାନରେ ବିକ୍ରି କରୁଥିବା ଜଣାପଡ଼ିଛି । ଏପରିକି କିଛି ଅସାମାଜିକ ଶ୍ରେଣୀର ଯୁବକ ସୁଯୋଗ ଉଣ୍ଡି ବିଭିନ୍ନ ଘରୁ ପାଣି ମୋଟର ସମେତ ପିତଳ, ଆଲୁମିନିୟମ ସାମଗ୍ରୀ ଚୋରି କରି ଖୁବ୍ କମ୍ ଦରରେ କବାଡିଆ ଦୋକାନ ମାଲିକ ମାନଙ୍କୁ ବିକ୍ରି କରୁଥିବାର ଜଣାପଡିଛି । ସହରର କିଛି କବାଡିଆ ଦୋକାନ ମାଲିକ ପ୍ରତିଦିନ ସକାଳୁ ଛୋଟ ଛୋଟ ଶିଶୁ ମାନଙ୍କୁ କିଛି ଟଙ୍କା ଧରାଇ ଦେଇଥାନ୍ତି । ଅଧିକ ଟଙ୍କା ପାଇବା ଆଶାରେ ସଂପୃକ୍ତ ଶିଶୁ ମାନେ ବିଭିନ୍ନ ସାହି ବସ୍ତିରେ ପଶି ସମୟ ସୁବିଧା ଦେଖି ବିଭିନ୍ନ ଘରୁ ଲୁହା, ପିତଳ, ଆଲୁମିନିୟମ ସାମଗ୍ରୀ ଚୋରୀ କରି କବାଡିଆ ଦୋକାନ ମାଲିକ ମାନଙ୍କୁ ଚୋରୀ ସାମଗ୍ରୀ ଖୁବ୍ କମ୍ ଦରରେ ବିକ୍ରି କରିଥାନ୍ତି । ଚୋରା ସାମଗ୍ରୀକୁ କବାଡିଆ ଦେକାନ ମାଲିକ ମାନେ କିଲୋ ପିଛା ୨୦ରୁ ୨୫ ଟଙ୍କାରେ କିଣୁଥିବା ବେଳେ ସାମଗ୍ରୀର ଚାହିଦା ଅନୁସାରେ ବିଭିନ୍ନ ଗ୍ରାହକଙ୍କୁ ବିକ୍ରି କରିଥାନ୍ତି । ଏପରିକି କିଛି ଗ୍ରାହକ ସୂଲଭ ମୁଲ୍ୟରେ ଘର କରଣା ସାମଗ୍ରୀ କିଣିବା ଲାଗି ବିଭିନ୍ନ କବାଡିଆ ଦୋକାନ ମାନଙ୍କରେ ଭିଡ଼ ଜମାଉଥିବାର ନଜିର ରହିଛି । କିଛି ଦିନ ପୂର୍ବେ ବିଭିନ୍ନ ଘରକରଣା ସାମଗୀ କିଣିବା ପାଇଁ ଲୋକମାନେ ସ୍ଥାନୀୟ ଅଞ୍ଚଳର କବାଡିଆ ଦୋକାନ ମାନଙ୍କରେ ଭିଡ ଜମାଉଥିବାର ଦେଖି କବାଡିଆ ଦୋକାନ ମାଲିକ ମାନେ ସଂପୃକ୍ତ ସାମଗ୍ରୀକୁ ରାତାରାତି ନିଜ ଘରେ ମହଜୁଦ ରଖି ଗ୍ରାହକଙ୍କୁ ଘରକୁ ନେଇ ବିକ୍ରି କରୁଥିବା ଜଣାପଡିଛି । ପ୍ରତ୍ୟହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସାହି ବସ୍ତିର କିଛି ଘରୁ ଚୋରୀ ହେଉଥିବା ବେଳେ ଛୋଟମୋଟ ଚୋରୀକୁ କେନ୍ଦ୍ର କରି ଥାନାରେ ଏତାଲା ଦେଇ ଅଯଥାରେ ହଇରାଣ ହରକତ ହେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏହାର ସୁଯୋଗରେ ବହୁ ଅସାମାଜିକ ଯୁବକ ଏହାର ଭରପୁର ଲାଭ ଉଠାଉଛନ୍ତି । ଅନ୍ୟପକ୍ଷରେ ଛୋଟମୋଟ ଚୋରୀକୁ ନେଇ କେହି ଥାନାରେ ଅଭିଯୋଗ କରୁନଥିବାରୁ ପୁଲିସ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । କିଛି ମାସ ପୂର୍ବରୁ ସ୍ଥାନୀୟ ଥାନା ଅଞ୍ଚଳର ବିଭିନ୍ନ ନିର୍ମାଣଧିନ ଘରୁ ଘରକରଣା ଲୁହା ସାମଗ୍ରୀ ସମେତ ପାଣି ମୋଟର ଚୋରୀ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଜୈନିକ ଠିକାଦାର ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ତଦନ୍ତ ସମୟରେ ସହରର କିଛି ଲୁଟେରା ପାଣି ମୋଟର ଗୁଡିକ ଖୁବ୍ କମ୍ ମୂଲ୍ୟରେ ସହରର କିଛି କବାଡିଆ ଦୋକାନ ମାଲିକଙ୍କୁ ବିକ୍ରି କରିଥିବା ଜଣାପଡିଥିଲା । ସ୍ଥାନୀୟ ପୁଲିସ ଥାନା ଇଲାକା ମଧ୍ୟରେ ଗଢି ଉଠିଥିବା କବାଡିଆ ଦୋକାନୀ ମାଲିକଙ୍କୁ ଡକାଇ ଚୋରୀ ସାମଗ୍ରୀ ନକିଣିବା ପାଇଁ ତାଗିଦ୍ କରିଥିଲା । କିଛି ଦିନ ପାଇଁ କବାଡିଆ ଦୋକାନୀ ମାଲିକ ମାନେ ଲୁଟେରା ମାନଙ୍କ ଠାରୁ ଚୋରୀ ସାମଗ୍ରୀ କିଣିବା ବନ୍ଦ କରିଥିଲେ। ପରବର୍ତ୍ତୀ ସମୟରେ ବ୍ୟବସାୟ ଆଶାଜନକ ନହେବାରୁ ପୁଣିଥରେ କିଛି କବାଡିଆ ଦୋକାନୀ ମାଲିକ ମାନେ ଲୁଟେରା ମାନଙ୍କ ଠାରୁ ବହୁ ଲୁହା, ରସ, ପିତଳ ଓ ତମ୍ବାର ଚୋରୀ ସାମଗ୍ରୀ କିଣିବା ଦେଖିବାକୁ ମିଳିଛି। ଏପରିକି କିଛି ଲୁଟେରା ବହୁ ସମୟରେ ବିଭିନ୍ନ ଘର ସମ୍ମୁଖରେ ଥିବା ସାଇକେଲ ଓ ବାଇକ୍ ଲୁଟି କବାଡିଆ ଦୋକାନରେ ବିକ୍ରି କରୁଥିବା ଜଣାପଡିଛି। କବାଡିଆ ଦୋକାନୀ ମାଲିକ ମାନେ ରାତାରାତି ଚୋରୀ ସାଇକେଲ ଓ ବାଇକ ଗୁଡିକୁ ଭାଙ୍ଗି ଓ ମୋଟର ସାଇକେଲ ଗୁଡ଼ିକର ଯନ୍ତ୍ରାଂଶ ଗୁଡିକୁ ଅଲଗା ଅଲଗା କରି ହୋଲସେଲ କବାଡିଆ ଦୋକାନୀ ମାଲିକଙ୍କୁ ବିକ୍ରି କରୁଥିବା ଜଣାପଡିଛି। ଘଟଣା ନେଇ ପୁଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳର କବାଡ଼ିଆ ଦୋକାନ ଗୁଡ଼ିକରେ ଅର୍ତକିତ ଚଢାଉ କରାଗଲେ ବହୁ ଚୋରା କାରବାରର ଗୁମର ଖୋଲିଥାନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.